ପଞ୍ଚମ ଟେଷ୍ଟରେ ଇଂଲଣ୍ଡର ଗଡ ଭାଙ୍ଗିବ ବିରାଟ ସେନା ! ସିରିଜ୍ ବରାବର ଲକ୍ଷ୍ୟରେ ଘରୋଇ ଟିମ୍

Published By : Prameya-News7 Bureau | September 10, 2021 IST

ମାଞ୍ଚେଷ୍ଟର,୧୦/୦୯: ଆଜିଠୁ ଆରମ୍ଭ ହେବାକୁ ଯାଉଛି ପଞ୍ଚମ ଟେଷ୍ଟ । ୨-୧ରେ ସିରିଜ ଆଗୁଆ ରହିଥିବା ଭାରତୀୟ ଦଳ ଓଲ୍ଡ ଟ୍ରାଫୋର୍ଡରେ ବିଜୟ ସହ ଇତିହାସ ରଚିବାକୁ ଯୋଜନା କରିଛି । ଘରୋଇ ଦଳ ସିରିଜକୁ ଫେରିବା ପାଇଁ ଦଳକୁ ସୁଦୃଢ କରିଛି । କରୋନା ସଂକ୍ରମଣ ଯୋଗୁଁ ମ୍ୟାଚ୍‌ ଆୟୋଜନ ନେଇ ଗୁରୁବାର ଆଶଙ୍କା ଉପୁଜିଥିଲେ ହେଁ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ ଆରଟି-ପିସିଆର ରିପୋର୍ଟ ନେଗେଟିଭ ବାହାରିବା ପରେ ସଠିକ ସମୟରେ ଆୟୋଜନ ହେବା ନିଶ୍ଚିତ ରହିଛି । ଦଳର ସହକାରୀ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହେବା ପରେ ମ୍ୟାଚ୍‌ ଆୟୋଜନ ନେଇ ଆଶଙ୍କା ଦେଖା ଦେଇଥିଲା । ଭାରତୀୟ ଦଳର ଗତକାଲି ଅଭ୍ୟାସ ଶିବିର ବାତିଲ କରାଯାଇଥିଲା । ଦଳର କୌଣସି ସଦସ୍ୟଙ୍କୁ ହୋଟେଲ କକ୍ଷରୁ ବାହାରିବାକୁ ଅନୁମତି ଦିଆଯାଇନଥିଲା । ଦଳର ବାକି ସବୁ ସଦସ୍ୟଙ୍କ ଆରଟି-ପିସିଆର ରିପୋର୍ଟ ଉପରେ ମ୍ୟାଚ୍‌ ଆୟୋଜନ ନିର୍ଭର କରୁଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବୋଲିଂ କୋଚ ଭାରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନା ସଂକ୍ରମିତ ହୋଇ ଲଣ୍ଡନରେ ଆଇସୋଲେସନରେ ରହିଛନ୍ତି ।ବୁଧବାର ସକାଳେ ଭାରତୀୟ ଦଳ ଅଭ୍ୟାସ କରିଥିଲା । ହୋଟେଲକୁ ଫେରିବା ପରେ ପରମାର ଅସୁସ୍ଥ ଅନୁଭବ କରିଥିଲେ। ଅପରାହ୍ଣରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ବାହାରିବା ପରେ ଭାରତୀୟ ଦଳ ଉପରେ କଟକଣା ଜାରି କରାଯାଇଥିଲା । ଗୁରୁବାର ସକାଳେ ଦଳର ପ୍ରତ୍ୟେକ ସଦସ୍ୟଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ନିତିନ ପଟେଲ ଭାରତୀୟ ଦଳର ମୁଖ୍ୟ ଫିଜିଓ ନିଯୁକ୍ତ ଅଛନ୍ତି । ପରମାର ତାଙ୍କୁ ସହାୟତା କରନ୍ତି ।

ଓଭାଲ୍‌ ଟେଷ୍ଟ ସମୟରେ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନିତିନ, ଅରୁଣ ଓ ଶ୍ରୀଧରଙ୍କୁ ଆଇସୋଲେସନରେ ରଖାଯାଇଥିଲା । ପରେ ଅରୁଣ ଓ ଶ୍ରୀଧରଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ନିତିନଙ୍କ ରିପୋର୍ଟ ନେଗେଟିଭ ରହିଥିଲା । ସେ ମାଞ୍ଚେଷ୍ଟର ଆସିଥିଲେ ହେଁ ଏପର୍ଯ୍ୟନ୍ତ ଦଳ ସହ ଯୋଗ ନଦେଇ ହୋଟେଲ କକ୍ଷରେ ସଙ୍ଗରୋଧରେ ରହିଛନ୍ତି । ୫ଜଣ କୋଚିଂ ସଦସ୍ୟ କରୋନା ସଂକ୍ରମିତ ହେବା ପରେ କେବଳ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଦଳର ଦାୟିତ୍ୱ ସମ୍ଭାଳୁଛନ୍ତି । ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡ୍‌ରେ ଭାରତୀୟ ଦଳ ୧୯୩୬ରୁ ଟେଷ୍ଟ ଖେଳୁଥିଲେ ହେଁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଟେଷ୍ଟ ଜିତି ପାରି ନାହିଁ । ଦୀର୍ଘ ୮୫ ବର୍ଷ ହେଲା ଏହି ଗ୍ରାଉଣ୍ଡ୍‌ରେ ଭାରତୀୟ ଦଳ ବିଜୟକୁ ଅପେକ୍ଷା କରିଛି । ଶେଷ ଥର ପାଇଁ ଉଭୟ ଦଳ ୨୦୧୪ରେ ଏଠାରେ ଟେଷ୍ଟ ଖେଳିଥିଲେ । ଇଂଲଣ୍ଡ ଇନିଂସ ବିଜୟ ହାସଲ କରିଥିଲା ।

ବର୍ଷା ଆଶଙ୍କାପଞ୍ଚମ ଟେଷ୍ଟରେ ବର୍ଷାର ପ୍ରଭାବ ଜାରି ରହିବ ବୋଲି ପାଣିପାଗ ସୂତ୍ରରୁ ପ୍ରକାଶ । ୫ ଦିନ ମଧ୍ୟରେ ବର୍ଷା ଯୋଗୁଁ ୨ ଦିନ ଖେଳ ବାଧାପ୍ରାପ୍ତ ହୋଇପାରେ । ଫଳରେ ଟସ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ଓଲ୍ଡ ଟ୍ରାଫୋର୍ଡ ପିଚ୍‌ ଉଭୟ ପେସ୍‌ ବୋଲର ଓ ସ୍ପିନରଙ୍କୁ ସହାୟତା କରିବାର ନଜିର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.