ନୂଆଦିଲ୍ଳୀ ୧୯/୭: ଆଫଗାନିସ୍ତାନରେ ତାଲିବାନ ରଚିଥିବା ହିଂସା ଅସହ୍ୟ ହୋଇପଡ଼ିଛି। ଆମେରିକା ସମେତ ୧୫ ଦେଶର ରାଷ୍ଟ୍ରଦୂତ ଏବଂ ନାଟୋ ପ୍ରତିନିଧିମାନେ ଯୁଦ୍ଧ ବନ୍ଦ କରିବାକୁ ନେଇ ତାଲିବାନକୁ ଅପିଲ୍ କରିଛନ୍ତି। ଆଫଗାନ ସରକାର ଏବଂ ତାଲିବାନ ମଧ୍ୟରେ ସିଜଫାୟାର ଉପରେ ସହମତି ହୋଇନପାରିବାରୁ ଅନେକ ଦେଶର ରାଷ୍ଟ୍ରଦୂତ ଏହି ନିବେଦନ କରିଛନ୍ତି। ଆଫଗାନିସ୍ତାନର ନେତାଙ୍କ ଟିମ୍ କତର ରାଜଧାନୀରେ ତାଲିବାନ ସହ ସାକ୍ଷତ କରିଥିଲେ। କିନ୍ତୁ ରବିବାର ତାଲିବାନ ପକ୍ଷରୁ ଜାରି ବୟାନରେ ଅସ୍ତ୍ରବିରତି ନେଇ କୌଣସି ସୂଚନା ନଥିଲା।
ଏହା ଉପରେ ଅନେକ ଦେଶ ଚିନ୍ତା ଜାହିର କରିବା ସହ ତାଲିବାନକୁ ଅସ୍ତ୍ରବିରତି ପାଇଁ ନିବେଦନ କରିଛନ୍ତି। ନାଟୋ ପ୍ରତିନଧି ଏବଂ ୧୫ ଦେଶର ରାଷ୍ଟ୍ରଦୂତ ବୟାନ ଜାରି କରି କହିଛନ୍ତି, ‘ଏହି ବକ୍ରିଦରେ ତାଲିବାନ ଅସ୍ତ୍ର ଛାଡ଼ିବା ଦରକାର ଏବଂ ବିଶ୍ବକୁ କହିବା ଦରକାର ଯେ ସେ ଶାନ୍ତି ପ୍ରକ୍ରିୟାର ସମ୍ମାନ କରେ ଏବଂ ଏଥିପ୍ରତି ପ୍ରତିବଦ୍ଧ।’ ଅଷ୍ଟେ୍ରଲିଆ, କାନାଡା, ଚେକ୍ ଗଣରାଜ୍ୟ, ଡେନମାର୍କ, ଜର୍ମାନୀ, ନେଦରଲାଣ୍ଡ, ସ୍ପେନ୍, ସ୍ବିଡେନ୍, ବ୍ରିଟେନ ଏବଂ ଆମେରିକା ସମେତ ଅନେକ ଦେଶ ତାଲିବାନକୁ ଏହି ଅପିଲ୍ କରିଛନ୍ତି।
ଏହା ପୂର୍ବରୁ ଇଦ୍ ଅବସରରେ ତାଲିବାନ ଅସ୍ତ୍ରବିରତି ଘୋଷଣା କରିବା ସହ ଆଫଗାନର ଲୋକମାନଙ୍କୁ ଶାନ୍ତିରେ ଉତ୍ସବ ମନାଇବାକୁ ଦେବାକୁ ଚାହୁଁଛି ବୋଲି କହିଥିଲା। କିନ୍ତୁ ଏଥର ବକରିଦ୍କୁ ଆଉ ଦୁଇ ଦିନ ବାକି ଥିବା ବେଳେ ତାଲିବାନ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇନାହିଁ। ସେପଟେ ଆମେରିକା ସେନା ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ଛାଡ଼ି ଯାଉଥିବା ବେଳେ ଏହାର ସୁଯୋଗ ନେଇ ତାଲିବାନ ଅଧିକରୁ ଅଧିକ ଅଞ୍ଚଳ କବ୍ଜା କରୁଛି।
ଏହାସହ ତାଲିବାନ ଦ୍ବାରା ସ୍କୁଲ୍ ବନ୍ଦ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟ କବଜା କରିବା ଘଟଣାକୁ ରାଷ୍ଟ୍ରଦୂତମାନେ ନିନ୍ଦା କରିଛନ୍ତି। ସେପେଟେ ଏମିତି କିଛି ହୋଇନଥିବା କହିଛି ତାଲିବାନ। ନିକଟରେ ଭାରତୀୟ ଫଟୋ ସାମ୍ବାଦିକ ଦାନୀଶ ସିଦ୍ଦିକିଙ୍କ ହତ୍ୟା ପଛରେ ହାତ ଥିବା ନେଇ ଦାବିକୁ ଖଣ୍ଡନ କରିଥିଲା ତାଲିବାନ ।