ନୂଆଦିଲ୍ଲୀ ୨୧।୧୨: ନାଗରିକ (ସଂଶୋଧନ) ଆଇନ (ସିଏଏ)କୁ ନେଇ ଏବେ ଦେଶରେ ନିଆଁ ଜଳୁଛି। କିଛି ସମୟ ପୂର୍ବରୁ ଦେଶରେ ନ୍ୟାସନାଲ ରେଜିଷ୍ଟ୍ରାର ଅଫ ସିଟିଜେନ( ଏନଆରସି) ଲାଗୁ କରି ସରକାର ବିରୋଧର ସମ୍ମୁଖୀନ ହୋଇଥିଲେ। ଉଭୟ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ ଥମିବା ପୂର୍ବରୁ ସରକାର ପୁଣି ଏହି ଭଳି ଆଉ ଏକ କଡା ଆଇନ ନ୍ୟାସନାଲ ପପୁଲେସନ ରେଜିଷ୍ଟ୍ରାର ( ଏନପିଆର) ଆଣିବା ଲାଗି କେବଳ ବିଚାର କରୁନାହାନ୍ତି ଏ ଦିଗରେ ଉଦ୍ୟମ ମଧ୍ୟ ଆରମ୍ଭ କରିଦେଲେଣି। ତେବେ ଆସନ୍ତୁ ଜାଣିବା ଏନପିଆର କ’ଣ, ଏ ନେଇ ବ୍ୟବସ୍ଥା ଆସିଲେ ଦେଶର କେଉଁ ଉପକାରରେ ଆସିବ ଓ ଲୋକଙ୍କ ଲାଗି କି ପ୍ରକାର ସମସ୍ୟା ସୃଷ୍ଟି କରିବ।
{"align":"center","id":200675,"sizeSlug":"large"}କ’ଣ ଏହି NPR?
୧୯୫୫ ନାଗିରକ ଅଧିନିୟ ଆଇନର ପ୍ରାବଧାନ ଅନୁସାରେ ପ୍ରସ୍ତୁତ ହେବାକୁ ଥିବା ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟ୍ରାର (ଏନପିଆର) ଦେଶର ନାଗରିକଙ୍କ ଦସ୍ତାବେଜ ହେବ। ଏଥିରେ କୌଣସି ବ୍ୟକ୍ତି ଯଦି କୌଣସି ସ୍ଥାନରେ ୬ ମାସରୁ ଅଧିକ କାଳ ଅବସ୍ଥାନ କରନ୍ତି ତେବେ ସେଠାରେ ତାଙ୍କର ଏନପିଆର ପଞ୍ଜିକରଣ ଅନିବାର୍ଯ୍ୟ ହେବ। ୨୦୧୦ ମସିହାରୁ ସରକାର ନାଗରିକଙ୍କ ଡାଟାବେସ୍ ଠୁଳ କରିବାକୁ ଏହାକୁ ଆରମ୍ଭ କରିଥିଲେ ଓ ୨୦୧୬ରେ ଏହା ଜାରି ହୋଇଥିଲା।
NPRର ଉଦ୍ଦେଶ୍ୟ କ’ଣ?
ଏନପିଆର ଦ୍ୱାରା ଦେଶର ସମସ୍ତ ନାଗରିକଙ୍କୁ ଏକାଠି ଯୋଡା ଯାଇପାରିବ। ନାଗରିକ ଚିହ୍ନଟର ବ୍ୟାପକ ଡାଟାବେସ୍ ପ୍ରସ୍ତୁତ କରାଯାଇପାରିବ। ଏଥିରେ ଲୋକଙ୍କ ଜନସଂଖ୍ୟା ସହ ବାୟୋମେଟ୍ରିକ ସୂଚନା ବି ରହିବ। ଏଥିରୁ ଉଚିତ ବ୍ୟକ୍ତି ଚିହ୍ନଟ କରି ସରକାରୀ ଯୋଜନାର ଲାଭ ପ୍ରଦାନ କରାଯାଇପାରିବ। ଏଥିରୁ ଦେଶର ଅଭ୍ୟନ୍ତରିଣ ସୁରକ୍ଷା କଡାକଡି ହେବା ସହ ଆତଙ୍କବାଦ ଗତିବିଧି ରୋକିହେବ।
ଅଣ ବିଜେପି ଶାସିତ ରାଜ୍ୟମାନେ କରୁଛନ୍ତି ବିରୋଧ
ଏନଆରସି ଭଳି ପଶ୍ଚିମବଙ୍ଗ ସରକାର ଏନପିଆରକୁ ମଧ୍ୟ ବିରୋଧ କରୁଛନ୍ତି। ଏଣୁ ଏ ନେଇ ରାଜ୍ୟରେ ଚାଲିଥିବା ଏନପିଆର କାର୍ଯ୍ୟକୁ ମମତା ବାନାର୍ଜୀ ସରକାର ଅଟକାଇ ଦେଇଛନ୍ତି। ସେହିପରି କେରଳର ବାମପନ୍ଥୀ ସରକାର ମଧ୍ୟ ରାଜ୍ୟରେ ଏନପିଆର ନିଷେଧ କରିଛନ୍ତି। ୨୦୨୧ ଜନଗଣନା ଲାଗି ଏବେଠାରୁ ସାରା ଦେଶରେ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ସ୍ୱାଧୀନତା ପରେ ଦେଶରେ ପ୍ରଥମର ଥର ୧୯୫୧ରେ ଜନଗଣନା କରାଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ୭ ଥର ଜନଗଣନା ହୋଇଥିବା ବେଳେ ସରକାର ଆଗାମୀ ଜନଗଣନାରେ ଲୋକଙ୍କ ବାୟୋମେଟ୍ରିକ ଡାଟା ସୂଚନା ସହ ସମ୍ପୃକ୍ତ କରିବା ଲାଗି ଚାହାଁନ୍ତି।