ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀମନ୍ଦିର ଟଙ୍କା : ଷ୍ଟେଟ ବ୍ୟାଙ୍କର ମନ୍ଦିର ଖାତାରେ ଜମାହେଲା ୩୯୭କୋଟି , ମାର୍ଚ୍ଚ ୩୦ରେ ଆସିବ ସୁଧ ସହ ଅବଶିଷ୍ଟ ଅର୍ଥ
19/03/2020 at 11:11 AM

ପୁରୀ ୧୯।୦୩ : ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କା ଫେରିଲା । ୟେସ୍ ବ୍ୟାଙ୍କୁ ଉଠିଛି ପ୍ରଭୂ ଜଗନ୍ନାଥଙ୍କ ଟଙ୍କା । ଇ-ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଉଠାଯାଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଜମା କରାଯାଇଛି। ଫଳରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ମିଳିବ କି ନାହିଁ ତାକୁ ନେଇ ଦେଖାଦେଇଥିବା ସନ୍ଦେହ ପୂର୍ଣ୍ଣଚ୍ଛେଦ ପଡିଛି । ୟେସ୍ ବ୍ୟାଙ୍କ ସଙ୍କଟ ଏବଂ ସେହି ବ୍ୟାଙ୍କରୁ ଜମାକାରୀଙ୍କ ଟଙ୍କା ଉଠାଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ନିର୍ଦ୍ଦିଷ୍ଟ କଟକଣା ଯୋଗୁଁ ଶ୍ରୀମନ୍ଦିରର ବିପୁଳ ଅର୍ଥ (ସ୍ଥାୟୀଜମା) ସେଠାରୁ ସ୍ଥାନାନ୍ତରଣ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ବିଧାନସଭାରେ ବିରୋଧୀଦଳ ତମ୍ବିତୋଫାନ କରିଥିଲେ । କିନ୍ତୁ ସରକାର ଏଥିପାଇଁ ପଦକ୍ଷେପ ନେବା ଆର୍ବିଆଇ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ । ଏପରିକି ବିଜେଡି ସାଂସଦମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଶ୍ରୀଜଗନ୍ନାଥଙ୍କ ଟଙ୍କା ଉଠାଣ ନେଇ ଦାବି ରଖିଥିଲେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଶୃତି ମଧ୍ୟ ଦିଆଯାଇଥିଲା । ୧୮ତାରିଖ ସଂଧ୍ୟାରେ ୟେସ୍ ବ୍ୟାଙ୍କ ଉପରେ ଲାଗିଥିବା ଆରବିଆଇ କଟକଣା ଉଠିବା ପରେ ତୁରନ୍ତ ଶ୍ରୀମନ୍ଦିରର ସ୍ଥାୟୀ ଜମା (ସୁଧସହ) ଏସ୍ବିଆରୁ ସ୍ଥାନାନ୍ତରିତ ହୋଇଛି ।

ୟେସ୍ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ଏସଂପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କୁ ଚିଠି ମାଧ୍ୟମରେ ଜଣାଇଦେଇଛନ୍ତି । ଏହି ଚିଠି ଅନୁଯାୟୀ ଶ୍ରୀମନ୍ଦିରର ୩୮୯ କୋଟି ଟଙ୍କା ଜମା ସହ ୮, ୨୩,୨୭,୬୩୬ସୁଧ ପୁରୀ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିର ଆକାଉଣ୍ଚଙ୍କୁ ସ୍ଥାନନ୍ତିରତ କରିଦିଆଯାଇଛି । ୟେସ୍ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଯାଇଛି ଯେ, ୨୦୧୯ ଡିସେମ୍ବର ସୁଦ୍ଧା ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ଜମା ଉପରେ ସର୍ତ୍ତମୂତାବକ ସୁଧ ପୈଠ କରାଯାଇଛି । ଏହା ସହ ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ଆଉ ଦୁଇଟି ସ୍ଥାୟୀ ଜମାରହିଛି । ତାହାର ପରିମାଣ ୧୫୬ କୋଟି । କିନ୍ତୁ ତାହା (ନୋ ପ୍ରିମ୍ମାଟ ଅପ୍ସନରେ ରହିଥିବାରୁ) ବ୍ୟାଙ୍କର ଗାଇଡଲାଇନ୍ ଦିଆଯାଇପାରୁନାହିଁ । ସେହି ଜମା ଚଳିତ ବର୍ଷ ମାର୍ଚ୍ଚ ୩୦ତାରିଖରେ ତାହାର ଅବଧି (ମାଚ୍ୟୁରିଟି) ପୂରଣ କରିବ । ସେହି ଦିନ ସୁଧ ସହ ସେହି ଦୁଇଟି ସ୍ଥାୟୀ ଜମାର ସମ୍ପୂର୍ଣ୍ଣ ରାଶି ଏସବିଆଇର ପୁରୀ ମୁଖ୍ୟ ଶାଖାରେ ଥିବା ଜଗନ୍ନାଥ ମନ୍ଦିର କର୍ପସ ଫଣ୍ଡ ଆକାଉଣ୍ଟକୁ ସ୍ଥାନାନ୍ତିରତ କରିଦିଆଯିବ ବୋଲି ୟେସ୍ ବ୍ୟାଙ୍କ ପକ୍ଷରୁ ଜୟଦେବ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜଣାଇଛନ୍ତି । ଏହାଫଳରେ ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ନେଇ ସୃଷ୍ଟି ହୋଇଥିବା ସମସ୍ତ ଅନିଶ୍ଚିତତା ଓ ସନ୍ଦେହ ଶେଷ ହୋଇଛି ।