ନୂଆଦିଲ୍ଲୀ ୧୯/୭: କରୋନା ମହାମାରୀ ତୃତୀୟ ଲହର ଆଶଙ୍କା ମଧ୍ୟରେ ଏବେ ଆଉ ଏକ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ଆସାମର ଜଣେ ମହିଳା ଡାକ୍ତରଙ୍କ ଶରୀରରେ ଦୁଇଟି ଭାରିଏଣ୍ଟର ଭୂତାଣୁ ମିଳିଛି। ଏହାର ଅର୍ଥ ମହିଳା ଡାକ୍ତର ଜଣଙ୍କ ଡବଲ୍ ଭାରିଏଣ୍ଟ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ପ୍ରାୟତଃ ଏହା ଦେଶର ପ୍ରଥମ ମାମଲା।
ଡିବ୍ରୁଗଡ଼ରେ ଥିବା ଆରଏମଆରସିରେ ଏନେଇ ପରୀକ୍ଷା ପରେ ଜଣାପଡ଼ିଛି। ଟିକାର ଦୁଇଟି ଡୋଜ୍ ନେବାର ମାସେ ପରେ ମହିଳା ଡାକ୍ତର ଉଭୟ ଆଲ୍ଫା ଏବଂ ଡେଲଟା ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ଠାରେ ହାଲକା ଲକ୍ଷଣ ଦେଖାଦେଇଥିବା ବେଳେ ସେ ହସ୍ପିଟାଲରେ ଭର୍ତ୍ତି ବିନା ସୁସ୍ଥ ହୋଇଛନ୍ତି । ବିଶ୍ବରେ ଡବଲ୍ ସଂକ୍ରମଣ ମାମଲା ବହୁତ କମ୍ ଦେଖିବାକୁ ମିଳୁଛି।
ଏହା ପୂର୍ବରୁ ୯୦ ବର୍ଷୀୟା ବେଲଜିୟମର ମହିଳା ଭୂତାଣୁର ଦୁଇଟି ଭାରିଏଣ୍ଟରେ ସଂକ୍ରମିତ ହୋଇଥିଲେ । ଏହା ପରେ ଚଳିତବର୍ଷ ମାର୍ଚ୍ଚରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ଆଣ୍ଟିବଡି କିକଶିତ ହେବା ପୂର୍ବରୁ ୨-୩ ଦିନରେ ପୁଣି ଥରେ ସଂକ୍ରମଣ ହେଲେ ଡବଲ୍ ସଂକ୍ରମଣ ହୋଇଥାଏ ବୋଲି ଆରଏମଆରସିର ବରିଷ୍ଠ ଡାକ୍ତର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଯଦିଓ ବ୍ରିଟେନ, ବ୍ରାଜିଲ୍ ଏବଂ ପର୍ତ୍ତୁଗାଲରେ ଏମିତି ଡବଲ୍ ସଂକ୍ରମଣ ମାମଲା ମିଳିଥିଲା କିନ୍ତୁ ଭାରତରେ ପୂର୍ବରୁ ଏମିତି ସଂକ୍ରମଣ ନେଇ ରିପୋର୍ଟ ମିଳିନଥିଲା। ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚରେ ଆସାମରେ ଆଲ୍ଫା ଭାରିଏଣ୍ଟ ସଂକ୍ରମଣ ହେଉଥିବା ବେଳେ ବିଧାନସଭା ନିର୍ବାଚନ ପରେ ଡେଲ୍ଟା ସଂକ୍ରମଣ ମାମଲା ବଢ଼ିଥିଲା ।