ଉଛୁଳା ପ୍ରେମ... କ୍ଵାରେଣ୍ଟାଇନ୍ କେନ୍ଦ୍ରରେ ଏକାଠି ରହିବା ପାଇଁ ପ୍ରେମିକଙ୍କୁ ନିଜର ସ୍ଵାମୀ କହିଲେ ମହିଳା କନଷ୍ଟେବଲ

Published By : Prameya-News7 Bureau | July 17, 2020 IST

ନାଗପୁର ୧୭।୦୭: କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କ ଭଜନ କୀର୍ତ୍ତନ ହେଉ କି ଡ୍ୟାନ୍ସ ହେଉ ବା ପାଲାଦାସ କାଠିଆ ଏବଂ ଖେଳକୁଦ ହେଉ ଏହି ସବୁ ବିଷୟରେ ଆପଣ ଅନେକ ଖବର ଦେଖିଥିବେ। ହେଲେ କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ପ୍ରେମିକା ପ୍ରେମିକ ସହିତ ରହିବା ପାଇଁ ଅଧିକାରୀଙ୍କୁ ମିଛ କହିବା ପରି ବିରଳ ଘଟଣା ନାଗପୁରରେ ଘଟିଛି। ଏଠାରେ ଜଣେ ମହିଳା କନଷ୍ଟେବଲ ନିଜ ପ୍ରେମିକାକୁ ଧରି କ୍ଵାରେଣ୍ଟାଇନ୍‌ରେ ସେଣ୍ଟରରେ ରହିଛନ୍ତି।

ସୂଚନା ଅନୁଯାୟୀ ନାଗପୁର ପୋଲିସରେ ଜଣେ କାର୍ଯ୍ୟରତ କନଷ୍ଟେବଲଙ୍କୁ କୋଭିଡ୍-୧୯ ସଂକ୍ରମଣ ଆଶଙ୍କାରେ ଅନ୍ୟ ଜଣେ ବିବାହିତ ବ୍ୟକ୍ତିଙ୍କ ସହିତ କ୍ଵାରେଣ୍ଟାଇନ୍‌ରେ ରଖାଯାଇଛି। ମାତ୍ର ମହିଳା କନଷ୍ଟେବଳ ଅଧିକାରୀଙ୍କୁ ଭୁଲ୍ ସୂଚନା ଦେଇଥିଲେ ଯେ, ଉକ୍ତ ବ୍ୟକ୍ତି ତାଙ୍କ ସ୍ଵାମୀ ଅଟନ୍ତି। ଜଣେ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି।

ଅଧିକାରୀ କହିଛନ୍ତି ମହିଳା କନଷ୍ଟେବଲ ଅବିବାହିତ। ତାଙ୍କର ଜଣେ ସହକର୍ମୀଙ୍କ ଯାଞ୍ଚ ବେଳେ କରୋନା ଚିହ୍ନଟ ହେବା ପରେ ସେମାନଙ୍କୁ ପୃଥକବାସରେ ରଖାଯିବାର ଥିଲା। ହେଲେ ମହିଳା କନଷ୍ଟେବଲ ତାଙ୍କ ସହିତ ତାଙ୍କ ସ୍ଵାମୀଙ୍କୁ ମଧ୍ୟ କ୍ଵାରେଣ୍ଟାଇନ୍‌ରେ ରଖାଯାଉ ବୋଲି କହିଥିଲେ। ମାତ୍ର ପରେ ଜଣେ ପଡିଲା ଯେ ଯେଉଁ ବ୍ୟକ୍ତିଙ୍କୁ କନଷ୍ଟେବଳ ନିଜର ସ୍ଵାମୀ ବୋଲି ପରିଚୟ ଦେଉଥିଲେ ବାସ୍ତବରେ ସେ ତାଙ୍କର ପ୍ରେମିକ ଥିଲେ। ବ୍ୟକ୍ତି ଜଣକ ଡାକବିଭାଗରେ କାମ କରନ୍ତି ଏବଂ ସେ ବିବାହିତ। ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ ଉଭୟଙ୍କୁ ପୃଥକବାସରେ ରଖିଛନ୍ତି।

ଅଧିକାରୀ କହିଛନ୍ତି, ବ୍ୟକ୍ତିଙ୍କ ପ୍ରକୃତ ପତ୍ନୀଙ୍କୁ ଜଣାନଥିଲା ଯେ ତାଙ୍କ ସ୍ଵାମୀଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖାଯାଇଛି। ତିନି ଦିନ ପର୍ଯ୍ୟନ୍ତ ବ୍ୟକ୍ତି ଘରକୁ ନଫେରିବାରୁ ପତ୍ନୀ ବିଚଳିତ ଏବଂ ଚିନ୍ତିତ ହୋଇ ପଡିଥିଲେ। ପରେ କୌଣସି ପ୍ରକାର ସେ ନିଜ ସ୍ଵାମୀଙ୍କ କାରନାମା ବିଷୟରେ ଜାଣିବାକୁ ପାଇଥିଲେ। ଏହା ପରେ ସେ କ୍ଵାରେଣ୍ଟାଇନ୍‌ ସେଣ୍ଟର ଆସିଥିଲେ, ହେଲେ ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଯିବାକୁ ଦେଇନଥିଲେ।

ଅଧିକାରୀ କହିଛନ୍ତି, ଏହା ପରେ ବ୍ୟକ୍ତିଙ୍କ ପତ୍ନୀ ବଜାଜ ନଗର ପୋଲିସ ଥାନାରେ ନିଜ ପତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଏବଂ ପୋଲିସ କମିଶନର ଡ. ଭୂଷଣ କୁମାର ଉପାଧ୍ୟାୟଙ୍କୁ ମଧ୍ୟ ଭେଟିଥିଲେ। କମିଶନର ତୁରନ୍ତ ଏହି ଘଟଣାରେ ତଦନ୍ତ ଆଦେଶ ଦେଇଛନ୍ତି। ପୋଲିସ ସୂତ୍ର ଅନୁଯାୟୀ ମହିଳା କନଷ୍ଟେବଳ ଓ ବିବାହିତ ବ୍ୟକ୍ତି ଗତ ବର୍ଷ ଅକ୍ଟୋବରରେ ଏକ ପ୍ରୋଜେକ୍ଟ କାମରେ ପରସ୍ପରକୁ ଭେଟିଥିଲେ। ମାମଲାର ଖୋଳତାଡ କରୁଥିବା ଜୋନ ୨ର ପୋଲିସ୍ ଉପାୟୁକ୍ତ ବିବେକ ମସଲ କହିଛନ୍ତି, ଘଟଣା ବିଷୟରେ ଜଣା ପଡିବା ପରେ ବ୍ୟକ୍ତିଙ୍କୁ ଅନ୍ୟ ଏକ କ୍ଵାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.