ଇତିହାସରେ ଦ୍ୱିତୀୟଥର: ଫେବୃଆରୀରେ ଭୀଷଣ ଖରା ଓ ଗରମ

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ ୨୮/୦୨ : ମେ', ଜୁନ ହେଉଥିବା ଗରମ ଚଳିତ ବର୍ଷ ଫେବୃଆରୀ ମାସରୁ ଅନୁଭୂତ ହେଲାଣି। ଅପରାହ୍ନ ସମୟରେ ତାପମାତ୍ରା ୨୩ ରୁ ୩୩ ଡିଗ୍ରୀ ପହଞ୍ଚି ଯାଉଛି। ଗତ ୨୭ ଦିନର ତାପମାତ୍ରା ଦେଖାଯାଏ ଯଦି ତାପମାତ୍ରା ହାରାହାରି ୨୭ ଡିଗ୍ରୀ ପାର କରିଥିଲା ଯାହା ସାମାନ୍ୟ ତାପମାତ୍ରାରୁ ୪ ଡିଗ୍ରୀ ଅଧିକ। ଫେବୃଆରୀରେ ଏହିଭଳି ଖରା ଓ ଗରମ ହେବା ଇତିହାସରେ ଦ୍ୱିତୀୟଥର। ଏହା ପୂର୍ବରୁ ୨୦୦୬ ମସିହାରେ ସବୁଠାରୁ ଅଧିକ ଖରା ଓ ଗରମ ହୋଇଥିଲା।

ଫେବୃଆରୀରେ ଦେଶର ରାଜଧାନୀ ଦିଲ୍ଲୀରେ ଗତ ୬ ଦିନ ହେଲା ସର୍ବାଧିକ ତାପମାତ୍ରା ୩୦ ଡିଗ୍ରୀ ଉପରକୁ ରହିଛି। ୨୫ ତାରିଖରେ ସର୍ବାଧିକ ତାପମାତ୍ରା ୩୩.୨ ଡିଗ୍ରୀ ଥିଲା ଏବଂ ସର୍ବନିମ୍ନ ତାପମାତ୍ରା ସାମାନ୍ୟରୁ ଏକ ଡିଗ୍ରୀ ଅଧିକ ୧୩.୪ ଡିଗ୍ରୀ ଥିଲା।

ସାରା ଦେଶରେ ଏଥର ଜାନୁଆରୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା ଯାହା ଗତ ୬୨ ବର୍ଷ ପରେ ସବୁଠାରୁ ଅଧିକ ଗରମ ଥିଲା। ବିଶେଷ କରି ଦକ୍ଷିଣ ଭାରତରେ ଅଧିକ ଗରମ ଅନୁଭୂତ ହୋଇଥିଲା। ଦକ୍ଷିଣ ଭାରତରେ ତାପମାତ୍ରା ୨୨.୩୩ ଡିଗ୍ରୀ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ଅନୁଯାୟୀ, ଜାନୁଆରୀରେ ସର୍ବାଧିକ ତାପମାତ୍ରା ସାମାନ୍ୟରୁ କମ ଥିଲା। ବିଶ୍ଳେଷଣରୁ ଜଣାପଡିଛି ଯେ ୧୯୦୧ ରୁ ୨୦୨୧ ମଧ୍ୟରେ ଦେଶରେ ହାରାହାରି ସର୍ବନିମ୍ନ ତାପମାତ୍ରା ୨୦୨୧ ଜାନୁଆରୀରେ ୧୪.୭୮ ଡିଗ୍ରୀ ସେଲସିୟସ ଥିଲା।

ଏପଟେ ସାରା ଦେଶ ପାଇଁ ଭୁବନେଶ୍ୱର ଉତ୍ତପ୍ତ ପିଣ୍ଡ ପାଲଟିଛି। ଲଗାତାର ୪ ଦିନ ହେବ ଭୁବନେଶ୍ୱର ଭାରତର ସବୁଠୁ ଉତ୍ତପ୍ତ ସହର ରହିଛି। ପ୍ରତିଦିନ ରେକର୍ଡ ଭାଙ୍ଗୁଛି ରାଜଧାନୀ ତାତି। ଶନିବାର ମଧ୍ୟ ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁଛି ପାରଦ। ସ୍ୱାଭାବିକଠାରୁ ୭ ଡିଗ୍ରୀ ସେଲସିୟସ୍‌ ଉପରକୁ ଉଠି ତାପମାତ୍ରା ୪୦.୬ ଡିଗ୍ରୀରେ ପହଞ୍ଚିଛି ।ଭୁବନେଶ୍ୱର ସମେତ ରାଜ୍ୟର ୬ଟି ସହରରେ ଦିନ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.