କରୋନା ଭୟ ଓ ଲକ୍‌ଡାଉନ୍‌ ଆଶଙ୍କାରେ ବଢିଲା ଔଷଧର ଚାହିଦା, ଏହି ବଟିକା କିଣିବାକୁ ମେଡିସିନ୍ ଦୋକାନରେ ଜମୁଛି ଲୋକଙ୍କ ଭିଡ

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮।୦୪: କରୋନାର ଦ୍ଵିତୀୟ ଲହର ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିଛି। ଦିନ ଗଡିବା ସହ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଉଦ୍‌ବେଗଜନକ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗି ସାରିଲାଣି। ଅନେକ କଟକଣା ମଧ୍ୟ ଜାରି ହୋଇଛି। ତଥାପି କରୋନା ଗ୍ରାଫ ତଳମୁହାଁ  ହେବାର ନାଁ ଧରୁନାହିଁ। ଫଳରେ ଲୋକଙ୍କ ମନରେ ପୁଣି ଥରେ ଲକ୍‌ଡାଉନ୍‌ର ଆଶଙ୍କା ଉଙ୍କି ମାରିଲାଣି। ଏହି ସବୁ ମଧ୍ୟରେ ଆବଶ୍ୟକତାଠୁ ସବୁଠୁ ଜରୁରୀ ଔଷଧକୁ ନେଇ ଲୋକେ ଅଧିକ ଚିନ୍ତିତ। ଏହାର ପ୍ରଭାବ ମଧ୍ୟ ଏବେଠୁ ଦେଖିବାକୁ ମିଳିଲାଣି। ଦେଶର ଅନେକ ସହରରେ ଔଷଧ ଦୋକାନଗୁଡିକରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। କୋଭିଡ୍ ପାଇଁ ଜରୁରୀକାଳୀନ ଔ୍ୟଷଧର ଚାହିଦା ଅହେତୁକ ବଢି ଯାଇଛି।

ଔଷଧ ବ୍ୟବସାୟୀଙ୍କ ଅନୁଯାୟୀ, ପ୍ରତି ୧୦ ଜଣଙ୍କ ମଧ୍ୟରୁ ଆଠ ଜଣ କରୋନା ସମ୍ବନ୍ଧିତ ଔଷଧ ନେବା ପାଇଁ ଦୋକାନ ଆସୁଛନ୍ତି। ସେଥିରେ ପାରାସିଟାମଲ, ଆଇଭରମେଟିକ୍ସ, ଜିଙ୍କ ଟ୍ୟାବଲେଟ୍, ଆଜିଥ୍ରୋମାଇସି ଓ ଭିଟାମିନ୍ ସି ବଟିକାର ଚାହିଦା ବଢି ଯାଇଛି। କୋଭିଡ୍ ପଜିଟିଭ୍ ହୋଇନଥିଲେ ବି କେବଳ ଲକ୍ଷଣର ସମ୍ଭାବନାକୁ ଦେଖି ଲୋକେ ଏହି ସବୁ ଔଷଧ କିଣିବାରେ ଲାଗିଛନ୍ତି। ଦୋକାନୀଙ୍କ ମତରେ, ଏହି ସବୁ ଔଷଧର ଚାହିଦା ୧୦୦ ପ୍ରତିଶତ ବୃଦ୍ଧି ଘଟିଛି। କିଛି ଦୋକାନରେ ତ ଆଉଟ୍ ଅଫ ଷ୍ଟକ୍ ହୋଇ ଯାଇଛି।

କରୋନାଠୁ ବଞ୍ଚିବା ପାଇଁ ସବୁଠୁ ଜରୁରୀ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ରହୁ। ଲୋକେ ଘରୋଇ ଉପାୟରେ ମଧ୍ୟ ରୋଗପ୍ରତିରୋଧକ କ୍ଷମତା ବଢାଇବାକୁ ପ୍ରୟାସ କରୁଛନ୍ତି। ଏଥିସହ ବଜାରରେ ଉପଲବ୍ଧ ଅନେକ କମ୍ପାନୀର ଇମ୍ୟୁନି ବୁଷ୍ଟରକୁ ମଧ୍ୟ ପ୍ରୟୋଗ କରୁଛନ୍ତି। ଏଥିରେ ଆଲିଓପାଥି, ଆୟର୍ବେଦିକ, ହୋମିଓପାଥି ଓ ୟୁନାନି ପଦ୍ଧତି ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.