କଂଗ୍ରେସ ମେଣ୍ଟକୁ ଘାରିଲା ବିଜେପିର ଘୋଡା ବେପାର ଭୟ, ଆସାମର ନେତାଙ୍କୁ ଜୟପୁର ସ୍ଥାନାନ୍ତର

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୦୯।୦୪: ଆସାମରେ ବିଧାନସଭା ନିର୍ବାଚନ ଶେଷ ହୋଇ ସାରିଛି। ବିଜେପି ପୁନର୍ବାର ଗଡ ଦଖଲ କରିବ ନା କଂଗ୍ରେସ କ୍ଷମତାକୁ ଫେରିବ ଏସବୁର ଉତ୍ତର ମେ ୨ରେ ମିଳିବ। ଏହା ମଧ୍ୟରେ ଘୋଡା ବେପାର ଆଶଙ୍କା କରି କଂଗ୍ରେସ-ଏଆଇଡିୟୁଫ ମେଣ୍ଟର କିଛି ପ୍ରାର୍ଥୀଙ୍କୁ ରାଜସ୍ଥାନର ରାଜଧାନୀ ଜୟପୁର ସ୍ଥାନାନ୍ତର କରାଯାଇଛି। ଖୁବ୍ ଶୀଘ୍ର କିଛି କଂଗ୍ରେସ ସଦସ୍ୟଙ୍କୁ ମଧ୍ୟ ହୋଟେଲ୍ ସ୍ଥାନାନ୍ତର କରାଯିବ ବୋଲି କଂଗ୍ରେସର ମୁଖ୍ୟ ସଚେତକ ମହେଶ ଯୋଶୀ ରାଜସ୍ଥାନ ବିଧାନସଭାରେ କହିଛନ୍ତି।

ଏଠାକୁ ଆସୁଥିବା ଦଳର ସଦସ୍ୟଙ୍କ ଠିକ୍ ଧ୍ୟାନ ରଖାଯିବ। କଂଗ୍ରେସ ଏହାର ସମସ୍ତ ଖର୍ଚ୍ଚ ବହନ କରିବ। ପ୍ରାୟ ୨୦ ଜଣଙ୍କ ବ୍ୟବସ୍ଥା କରାଯାଇଛି। କାରଣ ବିଜେପି କେନ୍ଦ୍ରରେ ରହିଛି। ବିଜେପି ସର୍ବଦା ବିଧାୟକଙ୍କୁ କିଣିବାର ସମ୍ଭାବନା ରହିଥିବା ଯୋଶୀ କହିଛନ୍ତି।

ଏହା ଉପରେ ପ୍ରତିକ୍ରିୟା ଦେଇ ଏଆଇଡିୟୁଏଫର ପ୍ରମୁଖ ବଦରୁଦ୍ଦୀନ ଅଜମଲ କହିଛନ୍ତି, ଯେଉଁ ଲୋକଙ୍କ ଘୋଡା ବେପାର କରିବାର ଅଭ୍ୟାସ୍ ରହିଛି, ସେମାନେ ଏମିତି କରିବେ। ସେ କହିଛନ୍ତି ଯେ, ରାଜ୍ୟ ବାହାରକୁ କେତେ ନେତା ଯିବେ ଏହାର ସଂଖ୍ୟା କେତେ ତାଙ୍କୁ ସ୍ପଷ୍ଟଭାବେ ଜଣା ନାହିଁ।

ଅଜମଲ କହିଛନ୍ତି, ମେ ୨ରେ ଆସାମରେ ଆମେ ସରକାର ଗଠନ କରୁଛୁ। ଏ ପର୍ଯ୍ୟନ୍ତ ବିଜେପି ଆମ ସହ ଯୋଗାଯୋଗ କରି ନାହିଁ। କିନ୍ତୁ ଯେଉଁ ଦିନ ଆମେ ସରକାର ଗଠନ କରିବୁ, ବିଜେପି ଆମ ସହ ଯୋଗାଯୋଗ କରିବ। ଗୁରୁବାର ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ ବିଜେପି ପୁଣି ଥରେ କ୍ଷମତାକୁ ଫେରିବ ବୋଲି କହିଛନ୍ତି। କାରଣ ଗତ ୫ ବର୍ଷରେ ସରକାର ଅନେକ ବିକାଶମୂଳକ କାମ କରିଛନ୍ତି।

ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ତିନୋଟି ପର୍ଯ୍ୟାୟରେ ସଂପନ୍ନ ହୋଇଛି। ମୋଟ୍ ୮୨.୦୪ ପ୍ରତିଶତ ମତଦାନ ହୋଇଛି। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରାହୁଲ ଚନ୍ଦ୍ର ଦାସ ମଙ୍ଗଳବାର କହିଥିଲେ ଯେ, ରାଜ୍ୟରେ ଅନ୍ତିମ ପର୍ଯ୍ୟାୟରେ ୮୫.୨୦ ପ୍ରତିଶତ ମତଦାନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.