ବିଭିନ୍ନ କ୍ଷେତ୍ରରେ ଏଫଡିଆଇ ନୀତିର ସମୀକ୍ଷା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

Published By : Prameya-News7 Bureau | August 28, 2019 IST

ନୁଆଦିଲ୍ଲୀ ୨୮/୮: ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନୀତିର ସମୀକ୍ଷା କରାଯିବ । ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଏଫଡିଆଇ ନୀତିରେ ସଂସ୍କାର ଦ୍ୱାରା ବ୍ୟାପକ ପ୍ରଭାବ ଏବଂ ଲାଭ
୧. ଏଫଡିଆଇ ନୀତିରେ ପରିବର୍ତନ କରାଯିବା ଫଳରେ ଭାରତ ଅଧିକ ଆକର୍ଷଣୀୟ ଏଫଡିଆଇ ଲକ୍ଷ୍ୟସ୍ଥଳୀରେ ପରିଣତ ହେବ । ଏହାଦ୍ୱାରା ଦେଶରେ ନିବେଶ, ନିଯୁକ୍ତି ଏବଂ ଅଭିବୃଦ୍ଧି ବଢ଼ିବ ।

୨. କୋଇଲା କ୍ଷେତ୍ରରେ, କୋଇଲା ବିକ୍ରି, ସହାୟକ ପ୍ରକ୍ରିୟାକରଣ ଭିତିଭୂମି ସମେତ କୋଇଲା ଖନନଜନିତ କାର୍ଯ୍ୟକଳାପ ଲାଗି ସ୍ୱୟଂକ୍ରିୟ ମାର୍ଗରେ ୧୦୦% ଏଫଡିଆଇକୁ ମଞ୍ଜୁରି ମିଳିବ । ଯଦ୍ଦ୍ୱାରା ଏକ ଦକ୍ଷ ତଥା ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାର ଲାଗି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଆକୃଷ୍ଟ ହେବେ ।

୩. ମେକ ଇନ ଇଣ୍ଡିଆ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ କଂଟ୍ରାକ୍ଟ ମାନୁଫାକଚରିଂ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁର କରାଯିବ । ଏହି କ୍ଷେତ୍ରରେ ସ୍ୱୟଂକ୍ରିୟ ମାର୍ଗରେ ଏଫଡିଆଇକୁ ମଞ୍ଜୁରି ମିଳିବା ଫଳରେ ଦେଶରେ ଉତ୍ପାଦନ କ୍ଷେତ୍ରକୁ ବ୍ୟାପକ ପ୍ରୋତ୍ସାହନ ମିଳିପାରିବ ।

୪. ଏକକ ବ୍ରାଣ୍ଡ ଖୁଚୁରା ବାଣିଜ୍ୟ (ଏସବିଆରଟି) କ୍ଷେତ୍ରରେ ସ୍ଥାନୀୟ ଉତ୍ସ ସର୍ତାବଳୀକୁ କୋହଳ କରିବା ଲାଗି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ଘୋଷଣା କରିଥିଲେ । ଏହା ଅଧିକ ନମନୀୟତା ଆଣିବା ସହିତ ଏସବିଆରଟି ସଂସ୍ଥାଗୁଡ଼ିକର କାର୍ଯ୍ୟକୁ ସହଜ କରିବ । ଏହାଛଡ଼ା ଗୋଟିଏ ଆଧାର ବର୍ଷରେ ଅଧିକ ରପ୍ତାନି ଥିବା କମ୍ପାନୀଗୁଡ଼ିକ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ସମ୍ଭବ ହେବ । ଏତଦବ୍ୟତୀତ, ପାରମ୍ପରିକ ଷ୍ଟୋର ଖୋଲିବା ପୂର୍ବରୁ ଅନଲାଇନ ବିକ୍ରିକୁ ଅନୁମତି ଦିଆଯିବା ବର୍ତମାନର ବଜାର ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବ । ଅନଲାଇନ ବିକ୍ରି ଫଳରେ ଲଜିଷ୍ଟିକ୍ସ, ଡିଜିଟାଲ ପେମେଂଟ, ଗ୍ରାହକ ସେବା କେନ୍ଦ୍ର ଓ ଉତ୍ପାଦ ଦକ୍ଷତା ତାଲିମ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

୫. ଦେଶରେ ବ୍ୟବସାୟିକ ସୁଗମତା ଯୋଗାଇଦେବା ଉଦ୍ଦେଶ୍ୟରେ ଏଫଡିଆଇ ନୀତିର ଉଦାରୀକରଣ ଓ ସରଳୀକରଣ ଉଦ୍ଦେଶ୍ୟରେ ଉପରୋକ୍ତ ସଂଶୋଧନ କରାଯାଇଛି । ଏହା ଅଧିକ ଏଫଡିଆଇ ପ୍ରବାହକୁ ଆକୃଷ୍ଟ କରିବା ସହିତ ନିବେଶ, ଆୟ ଓ ନିଯୁକ୍ତିର ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.