ସିକ୍ୟୁରିଟି ଗାର୍ଡରୁ ଏଫସିଆଇ କିରାଣୀ, ବଡ଼ ବାବୁଙ୍କ ସହ ମିଶି କରୁଥିଲେ ଦୁର୍ନୀତି: ୨ କୋଟି ଟଙ୍କା ଏବଂ ୮ କେଜି ସୁନା ସହ ବାନ୍ଧିଲା ସିବିଆଇ

Published By : Prameya-News7 Bureau | May 29, 2021 IST

ଭୋପାଳ ୨୯/୫: ଭୋପଳରେ ଲାଞ୍ଚ ନେବା ଅଭିଯୋଗରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ୪ ଅଧିକାରୀଙ୍କୁ ବାନ୍ଧିଛି ସିବିଆଇ । ସେମାନଙ୍କ ପାଖରୁ ଲାଞ୍ଚ କାରବାର ନେଇ ଏକ ଡାଏରୀ ଏବଂ ୩ କୋଟିରୁ ଅଧିକ ଟଙ୍କା ମଧ୍ୟ ସିବିଆଇ ଜବତ କରିଛି । ଏହା ସହ ଦୁର୍ନୀତି ଅଭିଯୋଗରେ ଭୋପାଳର ଜଣେ ଏଫସିଆଇ କିରାଣୀଙ୍କ ଘରୁ ସିବିଆଇ ଚଢ଼ାଉ କରି ୨.୧୭ କୋଟି ଟଙ୍କା ଜବତ କରିଛି।

ଟଙ୍କା ବ୍ୟତୀତ ୮ କେଜି ସୁନା ମଧ୍ୟ ଜବତ ହୋଇଛି। ଶୁକ୍ରବାର ରାତିରେ ସିବିଆଇ ଟିମ୍‌ କ୍ଲର୍କଙ୍କ ଘରେ ରେଡ୍‌ କରିଥିଲା। ଲାଞ୍ଚ କାରବାର ମାମଲାକୁ ନେଇ ସିବିଆଇ ଏହି ଛାନଭିନ କରୁଥିବା ଜଣାପଡ଼ିଛି। ୩ ଅଧିକାରୀଙ୍କ ସହ ଗିରଫ ହୋଇଥିବା ଏହି କିରାଣୀ ହେଉଛନ୍ତି କିଶୋର ମୀନା। ଗିରଫ ୩ ମ୍ୟାନେଜରଙ୍କ ଲାଞ୍ଚ ଟଙ୍କା କିଶୋର ନିଜ ପାଖରେ ରଖୁଥିବା ମଧ୍ୟ ଜଣାପଡ଼ିଛି ।

ତଦନ୍ତରୁ ଜଣାପଡ଼ିଛି କିଶୋର ମୀନା ଏଫସିଆଇରେ ସିକ୍ୟୁରିଟି ଗାର୍ଡ ଥିଲେ। ଅଧିକାରୀଙ୍କ ସହ ଦୁର୍ନୀତିରେ ସାମିଲ ହେବା ପରେ ତାଙ୍କୁ କିରାଣୀ କରିଦିଆଯାଇଥିଲା। କିଶୋର ମୀନା ଘରେ ସିବିଆଇ ଛାନଭିନ୍‌ କରିବା ପରେ ୨.୧୭ କୋଟି ଟଙ୍କା ଏବଂ ନୋଟ ଗଣତି ମେସିନ୍‌ ଜବତ କରିଛି। ଏହା ସହ ୮ କେଜି ସୁନା-ରୁପା ଥିବା ଜାଣିବାକୁ ପାଇଛି ସିବିଆଇ। ତେବେ ଏଫସିଆଇ ଅଧିକାରୀଙ୍କ ବିରୋଧରେ ଗୁରୁଗ୍ରାମର ଏକ ସିକ୍ୟୁରିଟି କମ୍ପାନୀ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ କରିଥିଲା। ତା ପରଠୁ ସିବିଆଇର ତଦନ୍ତ ଚାଲୁରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.