ସ୍କୁଲ ବାଥରୁମରେ ସାନିଟାରୀ ପ୍ୟାଡ ମିଳିବାରୁ ଛାତ୍ରୀଙ୍କ ପୋଷାକ ଖୋଲି କଲେ ଯାଞ୍ଚ ସ୍କୁଲ କର୍ତ୍ତୃପକ୍ଷ
4/11/2018 at 2:44 PM

ଫାଜିଲ୍କା ୩/୧୧: ପଞ୍ଜାବ ଫାଜୀଲ୍କା ଜିଲ୍ଲାର ଅବହୋର ତହସିଲର କୁଣ୍ଡଳ ଗାଁରେ ଏକ ସରକାରୀ ବାଳିକା ବିଦ୍ୟାଳୟର ବାଥରୁମରୁ ସାନିଟାରୀ ପ୍ୟାଡ ମିଳିବାରୁ ଛାତ୍ରୀମାନଙ୍କର ପୋଷାକ ଖୋଲି ଯାଞ୍ଚ କରାଯାଇଛି। ଛାତ୍ରୀମାନଙ୍କ ଅଭିଭାବକମାନେ ଅଭିଯୋଗ କରିବାରୁ ଏସଡିଏମ୍ ବିଦ୍ୟାଳୟକୁ ଆସି ଯାଞ୍ଚ କରିଥିଲେ। ଏହି ମାମଲା ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ସୋମବାର ପୂରାପୂରିଭାବେ ସ୍ଥିତି ଅନୁଧ୍ୟାନ କରିବା ପରେ ଅଭିଯୁକ୍ତ ୨ଶିକ୍ଷକଙ୍କ ବଦଳି ପାଇଁ ଆଦେଶ ଦେଇଛନ୍ତି।
ଦୁଇଦିନ ପୂର୍ବରୁ ବାଥରୁମରୁ ସାନିଟାରୀ ପ୍ୟାଡ ମିଳିଥିଲା। ଜଣେ ଶିକ୍ଷୟିତ୍ରୀ ଏହି ବିଷୟରେ ଜାଣିବା ପରେ ଛାତ୍ରୀମାନଙ୍କୁ ଡାକି କହିଥିଲେ ଯେ ଏହା ଦ୍ବାରା ଫ୍ଲସ୍ ଜାମ୍ ହୋଇଯାଏ। ଏହା ପରେ ସେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଡାକି ଯାଞ୍ଚ କରିବାକୁ କହିଥିଲେ। ଛାତ୍ରୀମାନଙ୍କର ଅଭିଯୋଗ ଅନୁସାରେ ତାଙ୍କ ପୋଷାକ ଖୋଲି ଯାଞ୍ଚ କରାଯାଇଥିଲା।
ଛାତ୍ରୀମାନେ ଏହି ବିଷୟରେ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ। ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇବାରୁ ସେ ଅଭିଯୁକ୍ତା ଶିକ୍ଷୟିତ୍ରୀଙ୍କ ସହ କଥା ହେବେ ବୋଲି ଆଶ୍ବାସନା ଦେଇଥିଲେ।
ବିଦ୍ୟାଳୟର ମୁଖ୍ୟ କର୍ମଚାରୀଙ୍କ କହିବା ଅନୁସାରେ ଅଭିଯୁକ୍ତା ଶିକ୍ଷୟିତ୍ରୀ ଛୁଟିରେ ଥିଲେ। ସେ ଆସିବା ପରେ ଏହି ମାମଲାର ସତ୍ୟାସତ୍ୟ ଜଣାପଡ଼ିବ।
ଅଭିଭାବକମାନଙ୍କ କହିବା ଅନୁସାରେ ଛାତ୍ରୀମାନେ ଦୁଇ ଦିନ ହେବ ଡରରେ ବିଦ୍ୟାଳୟକୁ ଯାଉନାହାନ୍ତି। ଅଭିଯୋଗ କରିଥିବାରୁ ପୁଣି ଥରେ ସେମାନଙ୍କୁ ନିର୍ଯ୍ୟାତନା ଦିଆଯିବା ଡରରେ ସେମାନେ ଯାଉନାହାନ୍ତି। ଫଳରେ ଏସଡିଏମ ଛାତ୍ରୀମାନଙ୍କୁ ବୁଝାଇଥିଲେ ଯେ କେହି ସେମାନଙ୍କୁ କିଛି କରିବେ ନାହିଁ ଏବଂ ଯେଉଁ ଶିକ୍ଷୟିତ୍ରୀମାନେ ତାଙ୍କ ସହ ଏପରି କରିଛନ୍ତି ତାଙ୍କୁ ଦଣ୍ଡ ମିଳିବ।
ଏସଡିଏମଙ୍କ କହିବା ଅନୁସାରେ ଏହିପରିଭାବେ ଯାଞ୍ଚ କରିବା ଆଦୈା ଠିକ୍ ନୁହେଁ। ମାମଲାର ଯାଞ୍ଚ ପୂରାପୂରି ନହେବା ଯାଏଁ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟକୁ ଆସିବା ପାଇଁ କଟକଣା ହୋଇଛି। ମାମଲାର ଯାଞ୍ଚ ପାଇଁ ଡିସିଙ୍କ ଆଦେଶରେ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। ଏହି କମିଟି ସୋମବାର ଦିନ ରିପୋର୍ଟ ଦେବ।