ଆର୍ଥିକ ଅନାଟନର କରୁଣ ଚିତ୍ର, ୪ ମାସର ଶିଶୁ ପୁଅକୁ ବିକିବା ପରେ ସହି ହେଲାନି ଦୁଃଖ, ରଶି ଲଗାଇ ଝୁଲି ପଡିଲେ ବାପା
8/01/2021 at 9:03 PM

ମାଲକାନଗିରି ୦୮।୦୧: ପେଟକୁ ଦାନା ଗଣ୍ଡାଏ ଯୋଗାଡ଼ କରି ନପାରି ପ୍ରଥମେ ୪ ମାସର ଶିଶୁକୁ ବିକିବା ଓ ପରେ ସେହି ଦୁଃଖରେ ଚରମ ନିଷ୍ପତ୍ତି ନେବାର କାହାଣୀ କେବେ ଶୁଣିଛନ୍ତି । ଉତ୍କଟ ଦାରିଦ୍ର୍ୟର ଚାବୁକ୍ ମାଡ଼ରେ ଲହୁଲୁହାଣ ହୋଇ ନିଜକୁ ଶେଷ କରିଦେଇଥିବା ବାପାର ବେଦନା କେବେ ଅନୁଭବ କରିଛନ୍ତି । ଏମିତି ଏକ ଦୁଃଖଭରା ଏବଂ ଅଭାବନୀୟ ଘଟଣା ମାଲକାନଗିରି ମାଥିଲିର ସପ୍ତଧାରା ଗାଁରେ ଘଟିଛି।
ବାପା କେତେ ଅଳି ଅର୍ଦ୍ଦଳି ସହିଥିବେ । ରାତିରାତି ଅନିଦ୍ରା ହୋଇ ପୁଅକୁ ଛାତି ଉପରେ ଶୁଆଇଥିବେ। କେତେବେଳେ ପୁଅକୁ କାନ୍ଧରେ ଝୁଲାଇ ଜହ୍ନମାମୁଁ ସହ ମିତ ବସାଇଥିବେ ତ ଆଉ କେତେବେଳେ ପୁଅ ପାଇଁ ସମାଜର କୁଶକ୍ତି ବିରୋଧରେ ବି ଲଢ଼ିଥିବେ । ହେଲେ ସେହି ବାପା କେବେ କଣ ପୁଅ ବିକ୍ରି କରି ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇପାରିବ ? ମାଲକାନଗିରି ମାଥିଲି ଥାନା ସପ୍ତଧାରା ଗାଁର ଏହି ଆତ୍ମହତ୍ୟା ଘଟଣା ଛିଡ଼ା କରିଛି ଏମିତି କିଛି ଅସମାହିତ ପ୍ରଶ୍ନ । ଆତ୍ମହତ୍ୟା କରିଥିବା ବାପାର ନାଁ ସୋମନାଥ ଖିଲ୍ । କୁଲି ମଜୁରୀ କରି ସ୍ତ୍ରୀ ଓ ୫ଟି ସନ୍ତାନର ବୋଝ ଉଠାଇବା କଷ୍ଟକର ହେବାରୁ ୪ ମାସର ଜନ୍ମିତ ଶିଶୁପୁତ୍ର ରାଜାକୁ ବିକ୍ରି କରି କିଛିଦିନ ପାଇଁ ପିରିବାରର ଦାନା ଯୋଗାଡ଼ କରିଥିଲେ ସୋମନାଥ । ହେଲେ ପୁଅକୁ ବିକି ନା ଶାନ୍ତିରେ ଶୋଇପାରିଲେ ନା ଖାଇପାରିଲେ । ଶେଷରେ ରଶି ଲଗାଇ ଝୁଲିପଡ଼ିଲେ।
ବାପା ଗଲା ପରେ ମା ଓ ବାକି ପିଲା ଅସହାୟ, ବେସାହାରା। ମା କୁନି ଖିଲ ଏବେ ବେସାହାରା । ୪ ପିଲାଙ୍କୁ ଧରି କେମିତି ଚଳିବ ସେଇ ଚିନ୍ତାରେ ଭାଙ୍ଗି ପଡ଼ିଛି । ଘର ନାହିଁ କି ଖାଇବାକୁ ନାହିଁ । ବାଧ୍ୟ ହୋଇ ୩ ପୁଅ ଏବଂ ଗୋଟିଏ ଝିଅକୁ ସରକାର ନେଇ ସାହାରା ଦେବାକୁ ଗୁହାରୀ କରିଛନ୍ତି ।
ତେବେ ୪ ମାସର ଜନ୍ମିତ ଶିଶୁ ପୁତ୍ରକୁ ନେଲା କିଏ ? ପୂରା ଘଟଣା ବିଷୟରେ ଚାଇଲ୍ଡ ଲାଇନ୍ ଅବଗତ ନା ନାହିଁ ? ଜିଲ୍ଲା ପ୍ରଶାସନର କୋଉ ବାବୁଙ୍କ ପାଦ ସପ୍ତଧାରା ଗାଁରେ ପଡ଼ିଛି କି ନାହିଁ ? ଏସବୁ ପ୍ରଶ୍ନର ଉତ୍ତର ତ ଖୋଜା ହେବ, କିନ୍ତୁ ଯଥାଶୀଘ୍ର କୁନି ଖିଲଙ୍କ ୪ ପିଲାର କିଛି ବ୍ୟବସ୍ଥା ନକରାଗଲେ, ସେମାନେ ବଣମଲ୍ଲୀ ପରି ନିଶ୍ଚୟ ଝରି ପଡ଼ିବେ ।