ଛଡାଛଡି ହୋଇ ବିଷ ପିଇଲେ , ଏକାଠି ଚାଲିଗଲେ : ଗୋଟିଏ ଜୁଇରେ ଜଳିଗଲେ ବାପା-ପୁଅ

Published By : Prameya-News7 Bureau | July 04, 2020 IST

ଭବାନୀପାଟଣା ୦୪।୦୭: ପହ୍ଲା ସଜ ହୋଇସାରିଥିଲା । ଆଜି ପହ୍ଲାରୁଆ ହେବାରଥିଲା । ହେଲେ ଦେଖିଲା ବେଳକୁ ଧାନ ତଳିସବୁ ଗାଈ ଖାଇଯାଇଛି । ଏହାଦେଖି ବାପା ରାଗିଯାଇ ପୁଅକୁ ବହେ ଗାଳିକଲେ । ସାମାନ୍ୟ ବଚସା ଏଭଳି ସ୍ଥିତିରେ ପହଞ୍ଚିଗଲା ଯେ ଉତ୍ତ୍ୟକ୍ତ ଉତ୍ତ୍ୟକ୍ତ ପୁଅ ବିଷ ପିଇଦେଲା । ଏକମାତ୍ର ପୁଅ ମୃତ୍ୟୁମୁହଁକୁ ଠେଲିହେବା ଦେଖି ଦୁଃଖରେ ବାପା ମ୍ରିୟମାଣ ହୋଇପଡ଼ିଲେ । ପୁଅ ହାତରୁ କୀଟନାଶକ ଛଡ଼ାଇନେଇ ନିଜେ ପିଇଦେଲେ । କିଛିକ୍ଷଣ ମଧ୍ୟରେ ଉଭୟଙ୍କ ପ୍ରାଣବାୟୁ ଉଡ଼ିଗଲା । ଏଭଳି ସ୍ପର୍ଶକାତର ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ସାଲେପାଲି ପଞ୍ଚାୟତ ଅନ୍ତର୍ଗତ ଡୁଟା ଗାଁରେ । କୀଟନାଶକ ପିଇ ଗ୍ରାମର ଦୀନବନ୍ଧୁ ଦାଶ (୬୦) ଏବଂ ତାଙ୍କ ପୁଅ ଜୟ ଦାଶ(୩୦) ପ୍ରାଣ ହାରିଛନ୍ତି ।

ପୁଲିସ ସୂଚନା ଅନୁସାରେ, ଗ୍ରାମର ଦୀନବନ୍ଧୁ ନିଜ ଜମିରେ ପହ୍ଲା ପକାଇଥିଲେ । ଶନିବାର ପହ୍ଲାରୁଆ ହେବାରଥିଲା । ସେଥିପାଇଁ ଶୁକ୍ରାବର ପୂର୍ବାହ୍ନ ପ୍ରାୟ ୧୧ଟାରେ ସ୍ଥିତି ପରଖିବାକୁ ଦୀନବନ୍ଧୁ ବିଲକୁ ଯାଇଥିଲେ । ହେଲେ ସେଠାରେ ପହଞ୍ଚି ଦେଖିଲା ବେଳକୁ ଧାନ ତଳିସବୁ ଗାଈ ଖାଇଯାଇଛି । ପୁଅ ଜୟର ଦାୟିତ୍ୱହୀନତା ଯୋଗୁ ରୋଇବାକୁ ଥିବା ପହ୍ଲାର ଏଭଳି ଅବସ୍ଥା ସେ ରାଗିଯାଇଥିଲେ । ଘରକୁ ଫେରି ପୁଅର ଅବହେଳାକୁ ନେଇ ଗାଳି କରିଥିଲେ । ସକାଳୁ କିଛି ଖାଇ ନଥିବା ପୁଅ ବାପାଙ୍କ ଏଭଳି ରାଗ ଦେଖି ଜବାବ ଦେଇଥିଲା । ତାହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା ।

ବାପାଙ୍କ ଗାଳିକୁ ଭୁଲ୍‌ ବୁଝି ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ ଜୟ । ଚାଷ କାର୍ଯ୍ୟ ପାଇଁ ଘରେ ଥିବା କୀଟନାଶକ ପିଇ ଦେଇଥିଲେ । ବିଷ ପିଇ ଛାଟିପିଟି ହେବାରେ ଲାଗିଲେ । ଏକମାତ୍ର ପୁଅକୁ କୀଟନାଶକ ଖାଇବା ଦେଖି ଧୈର୍ଯ୍ୟହରା ହୋଇ ପଡ଼ିଲେ ବାପା ଦୀନବନ୍ଧୁ । ଗୋଟିଏ ବୋଲି ପୁଅ ଚାଲିଗଲେ ନିଜେ ବଞ୍ଚି କ’ଣ କରିବେ ବୋଲି ପୁଅ ହାତରୁ କୀଟନାଶକ ଛଡ଼ାଇ ନିଜେ ପିଇ ଦେଇଥିଲେ । ଏହାଦେଖି ପରବାର ଲୋକେ ତୁରନ୍ତ ଉଭୟଙ୍କୁ ମ.ରାମପୁର ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଉଭୟ ବାପପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରିବାରରେ ରୋଜଗାରକ୍ଷମ ବାପପୁଅଙ୍କ ମୃତ୍ୟୁ ପରେ ଜୟଙ୍କ ଦୁଇ ଝିଅ, ପୁଅ, ପତ୍ନୀ ଓ ମା’ ବେସାହାରା ପାଲଟି ଯାଇଛନ୍ତି । ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.