ଚରିତ୍ର ସନ୍ଦେହରେ ଝିଅକୁ ଗୁଳି କଲା ବାପା, ଥାନାରେ କଲେ ଆତ୍ମସମର୍ପଣ, କହିଲେ-ମୁଁ ଦୋଷୀ ମୋତେ ଗିରଫ କର, ମୋ ଝିଅ...

Published By : Prameya-News7 Bureau | January 09, 2021 IST

ଫତେହପୁର ୦୯/୦୧ : ଉତ୍ତର ପ୍ରଦେଶ ଫତେହପୁରରୁ ଶନିବାର ଦିନ ଏକ ଆଶ୍ଚର୍ଯ୍ୟ ମାମଲା ସାମ୍ନାକୁ ଆସିଛି। ନିଜ ଝିଅକୁ ଗୁଳି କରି ହତ୍ୟା କରିଛି ନିଜେ ବାପା। ହତ୍ୟା ପରେ ଥାନାକୁ ଯାଇ ଆତ୍ମସମର୍ପଣ ମଧ୍ୟ କରିଛି। ଥାନାକୁ ଯାଇ ବାପା କହିଛି 'ମୁଁ ଦୋଷୀ ମୋତେ ଗିରଫ କର, ମୋ ଝିଅ ଚରିତ୍ରହୀନ ଥିଲା, ତାକୁ ମୁଁ ଗୁଳି କରି ହତ୍ୟା କରିଛି।' ଅଭିଯୁକ୍ତର କଥା ଶୁଣିବା ପରେ ପୋଲିସ ଯାଇ ଘଟଣାସ୍ଥଳରେ ପହଂଚି ଯୁବତୀର ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଅଭିଯୁକ୍ତ ବାପା କହିଥିଲେ ଯେ ଝିଅ ଉପରେ ଚରିତ୍ରହୀନ ଦୋଷ ଲଗାଇ ତା ଶାଶୂଘର ଲୋକ ତାକୁ ଆଣି ବାପା ଘରେ ଛାଡି ଯାଇଥିଲେ। ସେ ବହୁତ ବୁଝାଇବା ସତ୍ତ୍ୱେ ଝିଅ ଶୁଣିନଥିଲା। ସେଥିପାଇଁ ସେ ତାକୁ ଗୁଳି କରି ହତ୍ୟା କରିଛନ୍ତି।

ମାମଲା ଉତ୍ତର ପ୍ରଦେଶ ଥରିୟାବ ଥାନା ଅନ୍ତର୍ଗତ ଜୟସିଂହପୁର ଗାଁର। ଗାଁର ଚନ୍ଦ୍ରମୋହନ ଯାଦବ ଗାଁରେ ହାଡ ରୋଗର ଏକ କ୍ଲିନିକ କରିଛନ୍ତି। ଚନ୍ଦ୍ରମୋହନ ଯାଦବଙ୍କ ବିବାହିତା ଯୁବତୀ ଗୁରୁବାର ଦିନ ନିଜ ଦିଅର ସହ ଶାଶୂଘର କାନପୁରରୁ ନିଜ ଗାଁକୁ ଆସିଥିଲେ। ଶନିବାର ସକାଳୁ ହଠାତ ଚନ୍ଦ୍ରମୋହନ ଝିଅକୁ ଅସଞ୍ଜତ ଅବସ୍ଥାରେ ଦେଖି ଉତକ୍ଷିପ ହୋଇଯାଇଥିଲେ ଏବଂ ବନ୍ଧୁକ ଆଣି ଗୁଳି କରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣା ପରେ ଝିଅର ଶବ ଘରେ ଛାଡି ସେ ବାଇକ ନେଇ ଥାନାକୁ ଯାଇଥିଲେ ଏବଂ ପୋଲିସକୁ ସବୁ ଘଟଣା ଜଣାଇ ଆତ୍ମସମର୍ପଣ କରିଥିଲେ।

ସେ କହିଥିଲେ ଯେ ଝିଅର ଚାଲିଚଳନ ଠିକ ନଥିବାରୁ ବର୍ଷେ ପୂର୍ବରୁ କାନପୁରରେ ତାଙ୍କୁ ବିବାହ କରାଇ ଦେଇଥିଲେ। ବାହାଘର ପରେ ଝିଅର ଚାଲିଚଳନରେ କୌଣସି ସୁଧାର ହୋଇନଥିଲା। ବିରକ୍ତ ହୋଇ ଶାଶୂଘର ଲୋକ ଦୁଇ ଦିନ ପୂର୍ବରୁ ବୋହୁକୁ ଆଣି ବାପଘରେ ଛାଡି ଯାଇଥିଲେ। ପୋଲିସ ଚନ୍ଦ୍ରମୋହନଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ କରିଛି। ପୋଲିସ ଶବ ଜବତ କରି ମାମଲାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଚନ୍ଦ୍ରମୋହନକୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.