ପୁଅ ଅଧ୍ୟୟନଙ୍କ ମିଥ୍ୟା ଆତ୍ମହତ୍ୟା ଖବର ଶୁଣି ରାଗିଗଲେ ପିତା ଶେଖର ସୁମନ, ନ୍ୟୁଜ୍ ଚ୍ୟାନେଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି
22/02/2021 at 5:07 PM

ମୁମ୍ବାଇ ୨୨/୦୨ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଲଗାତାର ସ୍ୱର ଉତ୍ତୋଳନ କରୁଥିବା ଅଭିନେତା ଶେଖର ସୁମନ୍ ଫେକ୍ ନ୍ୟୁଜ୍ର ଶିକାର ହୋଇଛନ୍ତି। ଏକ ନ୍ୟୁଜ୍ ଚ୍ୟାନେଲରେ ପୁଅର ଆତ୍ମହତ୍ୟା ବିଷୟରେ ମିଥ୍ୟା ଖବର ପ୍ରସାରିତ ହେବାପରେ ଚକିତ ହୋଇଯାଇଥିଲେ ଶେଖର । ପରେ ସେ ତତ୍କ୍ଷଣାତ ପୁଅ ଅଧ୍ୟୟନ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ପୁଅ ଅଧ୍ୟୟନ ଦିଲ୍ଲୀରେ ଅଛନ୍ତି ଏବଂ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଥିଲା ।
ନ୍ୟୁଜ୍ ଚ୍ୟାନେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଶେଖର ସୁମନ କହିଛନ୍ତି । ଏକ ଭିଡିଓ କ୍ଲିପିଂ ସେୟାର କରିବାବେଳେ ଶେଖର ଲେଖିଛନ୍ତି- ଏହି ମିଥ୍ୟା ଖବର ଦେଖିବା ପରେ ଆମ ସମସ୍ତଙ୍କୁ ବଡ ଝଟକା ଲାଗିଥିଲା । ଏହି ଖବରରେ କୁହାଯାଇଛି ଯେ ମୋ ପୁଅ ଅଧ୍ୟୟନ ସୁମନ୍ ଆତ୍ମହତ୍ୟା କରିଛନ୍ତି । ଏହି ନ୍ୟୁଜ୍ ଦେଖିବା ପରେ ଆମେ ଶୀଘ୍ର ଅଧ୍ୟୟନ ସହିତ ଯୋଗାଯୋଗ କରିଥିଲୁ ।

ସେ ଲେଖିଛନ୍ତି- “ମୋ ପୁଅ ଦିଲ୍ଲୀରେ ଥିଲା ଏବଂ ତାର ନମ୍ବର ମଧ୍ୟ ଲାଗୁନଥିଲା । ଏହି କାରଣରୁ ଆମେ ସମସ୍ତେ ଧୈର୍ଯ୍ୟହରା ହୋଇ ପଡିଥିଲୁ । ଏହି ଆଶ୍ଚର୍ଯ୍ୟଜନକ ଖବର ଆମ ସମସ୍ତଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଥିଲା । ତେଣୁ ଉକ୍ତ ଚ୍ୟାନେଲ କ୍ଷମା ମାଗିବା ପାଇଁ ମୁଁ ଡିମାଣ୍ଡ କରୁଛି ।”

ଶେଖର ପରବର୍ତ୍ତୀ ପୋଷ୍ଟରେ ଲେଖିଛନ୍ତି, “ମୁଁ ପ୍ରକାଶ ଜାଭଡେକର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଅନୁରୋଧ କରୁଛି, ଏହି ଦାୟିତ୍ୱହୀନ ତଥା କୁତ୍ସିତ କାର୍ଯ୍ୟ ପାଇଁ ଚ୍ୟାନେଲ ବିରୋଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏହି ଖବର ଦେଖିବା ପରେ ମୁଁ,ମୋ ପତ୍ନୀ ଏବଂ ପରିବାର ସମସ୍ତ ସଦସ୍ୟ ଭାଙ୍ଗି ପଡିଥିଲୁ । ଏପରି କୁକର୍ମ ପାଇଁ ଚ୍ୟାନେଲ ବିରୋଧରେ ମୁଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । “

ବାସ୍ତବରେ, ରୋଗ ହେତୁ ଅଭିନେତା ଶେଖର ସୁମନଙ୍କ ବଡ ପୁଅ ଆୟୁଷଙ୍କର କୌଣସି ରୋଗ କାରଣରୁ ମୃତ୍ୟୁ ହୋଇଥିଲା । ସେତେବେଳେ ଆୟୁଷଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା । ନ୍ୟୁଜ୍ ଚ୍ୟାନେଲ୍ ଆୟୁଷଙ୍କ ବଦଳରେ ଅଧ୍ୟୟନର ଖବରକୁ ଭୁଲ୍ ଭାବରେ ଚଳାଇ ଦେଇଥିଲେ ।