ଦିନ ମଜୁରିଆ ହେଲେ କଣ ହେଲା, ବୁଝିଛନ୍ତି ପାଠର ମୂଲ୍ୟ: ୧୦୫ କିମି ସାଇକେଲ୍ ଚଲାଇ ପୁଅକୁ ପହଞ୍ଚାଇଲେ ପରୀକ୍ଷା କେନ୍ଦ୍ରରେ

Published By : Prameya-News7 Bureau | August 19, 2020 IST

ଧାର ୧୯।୦୮: ଭଲ କରି ଦେଖନ୍ତୁ, ସାଇକେଲ୍ ଚଲାଉଥିବା ବ୍ୟକ୍ତିଙ୍କୁ ଦେଖିଲେ ସେ ଜଣେ ସାଧାରଣ ଶ୍ରମିକ ପରି ଲାଗୁଛନ୍ତି ମାତ୍ର ଯେବେ ତାଙ୍କ କାହାଣୀ ପଢିବେ ତେବେ ଆପଣ ତାଙ୍କୁ ସାଲ୍ୟୁଟ୍ କରି ରହି ପାରିବେ ନାହିଁ। ଜଣେ ବାପା ନିଜ ପୁଅକୁ ଦଶମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ୧୦୫ କିମି ସାଇକେଲ୍ ଚଳାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଛନ୍ତି। ଏହି ଘଟଣା ମଧ୍ୟ ପ୍ରଦେଶର ଧାର ଜିଲ୍ଲାର। ସାଇକେଲ୍ ଚଳାଉଥିବା ବ୍ୟକ୍ତି ଜଣେ ଦିନମଜୁରିଆ। ପଛରେ ବସିଛନ୍ତି ତାଙ୍କ ପୁଅ, ଯାହାଙ୍କ ପିଠିରେ ବହିର ବ୍ୟାଗ ଏବଂ କୋଳରେ ରହିଛି ରାସନ ସାମଗ୍ରୀ। ସବୁଠୁ ବଡ କଥା ବାପା-ପୁଅଙ୍କ ଚେହେରାରେ ଲମ୍ବା ସାଇକେଲ୍ ଯାତ୍ରାର ଥକାପଣ ମଧ୍ୟ ଦେଖିବାକୁ ମିଳିନାହିଁ। ସେ ଦିନ ମଜୁରିଆ ହୋଇଥିଲେ ସୁଦ୍ଧା ଏହି ପରି ଦୁର୍ଦ୍ଦିନ ନିଜ ପୁଅକୁ ଦେଖାଇବାକୁ ଚାହୁଁ ନାହାନ୍ତି। ଏଥିପାଇଁ ତିନି ଦିନର ରାସନ ସାମଗ୍ରୀ ସାଙ୍ଗରେ ନେଇ ପୁଅକୁ ପରୀକ୍ଷା ଦେବା ପାଇଁ ସାଇକେଲ୍‌ରେ ୧୦୫ କିଲୋମିଟର ପଥ ଅତିକ୍ରାନ୍ତ କରି ପରୀକ୍ଷା କେନ୍ଦ୍ର ପହଞ୍ଚିଛନ୍ତି।

ଉଲ୍ଲେଖନୀୟ ମଧ୍ୟ ପ୍ରଦେଶ ଶିକ୍ଷା ବୋର୍ଡ ତରଫରୁ ଆୟୋଜିତ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଅସଫଳ ବିଦ୍ୟାର୍ଥୀଙ୍କୁ ଉତ୍ତୀର୍ଣ୍ଣ ହେବା ପାଇଁ ଆଉ ଏକ ସୁଯୋଗ ଦେଇ ରାଜ୍ୟରେ ‘ରୁକ ଜାନା ନହିଁ’ ଅଭିଯାନ ଚଳାଯାଇଛି। ଏହି ଅଭିଯାନ ଆଧାରରେ ଧାର ଜିଲ୍ଲାର ମନାବର ତହସିଲ ଅନ୍ତର୍ଗତ ବୟଡିପୁରା ଗାଁର ଶୋଭାରାମଙ୍କ ପୁଅ ଆଶିଷଙ୍କୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ତିନୋଟି ପରୀକ୍ଷା ଦେବାର ଅଛି।  ମଙ୍ଗଳବାର ଗଣିତ ବିଷୟର ପରୀକ୍ଷା ଥିଲା। କରୋନା କାରଣରୁ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିଛି ଏବଂ ତାଙ୍କ ପାଖରେ ଧାର ଯିବା ପାଇଁ ଆଉ କୌଣସି ସାଧନ ନଥିଲା। ତେଣୁ ଶୋଭାରାମ ନିଜ ପୁଅ ଆଶିଷଙ୍କୁ ସାଇକେଲ୍‌ରେ ଧରି ପରୀକ୍ଷା କେନ୍ଦ୍ର ଅଭିମୁଖେ ବାହାରି ପଡିଥିଲେ।

ଅପରାହ୍ନରେ ନିଜ ଗାଁରୁ ବାହାରିବା ପରେ ମାଣ୍ଡୁ ଗାଁରେ ବାପା ଓ ପୁଅ ରାତ୍ରି ବିଶ୍ରାମ କରିଥିଲେ ଏବଂ ଭୋର ସକାଳୁ ଧାର ଜିଲ୍ଲା ଅଭିମୁଖେ ବାହାରିଥିଲେ। ସକାଳେ ଆଶିଷ ଧାର ପହଞ୍ଚି ଗଣିତ ପରୀକ୍ଷା ଦେଇଛନ୍ତି। ଏହା ପର ଦିନ ମଧ୍ୟ ତାଙ୍କୁ ପରୀକ୍ଷା ଦେବାର ଥିଲା। ତେଣୁ ବାପା-ପୁଅ ଧାରରେ ରହି ଥିଲେ ଏବଂ ଷ୍ଟାଡିୟମର ଖୋଲା ଆକାଶ ତଳେ ଶୋଇ ରାତି ବିତାଇଥିଲେ। ଆଜି ସାମାଜିକ ବିଜ୍ଞାନ  ଓ ଗୁରୁବାର ଇଂରାଜୀ ବିଷୟର ପରୀକ୍ଷା ଅଛି। ପରୀକ୍ଷା ସରିବା ପର୍ଯ୍ୟନ୍ତ ଧାରରେ ବାପା ଓ ପୁଅ ରହିବେ।

ଏହି ବିଷୟରେ ବାପା ଶୋଭାରାମ କହିଛନ୍ତି ସେ ଦିନମଜୁରୀ କରି ପରିବାର ଭରଣପୋଷଣ କରନ୍ତି। ସେ ବେଶି ପାଠ ପଢି ନାହାନ୍ତି। ମାତ୍ର ପୁଅକୁ ପାଠ ପଢାଇ ଅଫିସର କରିବାକୁ ଚାହାନ୍ତି। ଆଦିବାସୀ ବହୁଳ ଜିଲ୍ଲା ଧାରରୁ ସାମ୍ନାକୁ ଆସିଥିବା ଏହି ଚିତ୍ର ସଭିଙ୍କୁ ବ୍ୟଥିତ କରିଛି। ଏଥିରେ କେବଳ ଶାସନ ପ୍ରଶାସନ, ଦାୟିତ୍ଵବାନ ଜନ ପ୍ରତିନିଧି ଓ ସରକାରଙ୍କ ପାରିବା ପଣିଆର ପୋଲ୍ ଖୋଲି ଦେଇଛି ତା ନୁହେଁ ବରଂ ଶିକ୍ଷା ବିଭାଗ ଓ ଆଦିବାସୀ ବିକାଶ ବିଭାଗର ଦାୟିତ୍ଵବାନ ଅଧିକାରୀଙ୍କ ଦାୟିତ୍ଵହୀନତାର ଛବି ଜନତାଙ୍କ ସାମ୍ନାକୁ ନେଇ ଆସିଛି।

ଅପରପକ୍ଷେ ଏହି ପୂରା ମାମଲାରେ ଯେବେ ଜିଲ୍ଲା ଶିକ୍ଷା ଅଧିକାରୀ ଦିନେଶ ଦୁବେକୁ ପଚରାଗଲା ସେ ବୁଲେଇ ବଙ୍କେଇ ଉତ୍ତର ଦେଇଥିଲେ। ସେ କହିଛନ୍ତି ପିଲାଟି ନିଜ ଗାଁରୁ ମନାବର ପର୍ଯ୍ୟନ୍ତ ସାଇକେଲ୍‌ରେ ଆସିଲା ଏବଂ ଏହା ପରେ କୌଣସି ସଂପର୍କୀୟଙ୍କ ସହିତ ବାଇକ୍‌ରେ ଧାର ପହଞ୍ଚିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.