ବାପା ପଜିଟିଭ୍ ଚିହ୍ନଟ ପରେ ଚାଲିଗଲା ଝିଅର ଜୀବନ, ମିଳିଲାନି ୪ କାନ୍ଧ, ୧୪ ଘଣ୍ଟା ପଡି ରହିଲା ମୃତଦେହ
19/07/2020 at 8:16 AM

ଭଞ୍ଜନଗର ୧୯|୦୭: ଘରେ ପଡିରହିଲା ମୃତଦେହ । ସତ୍କାର ପାଇଁ ମିଳିଲାନି ୪ କାନ୍ଧ । ଦଖିବାକୁ ମିଳିଛି ହଜିଯାଇଥିବା ମାନବିକତାର ଆଉ ଏକ ଉଦାହରଣ। ବାପା କରୋନା ପଜିଟିଭ୍ ଜଣାପଡ଼ିବା ତଥା କୋଭିଡ୍ କେୟାର ସେଣ୍ଟର୍କୁ ନେବାର ୧୨ ଘଣ୍ଟା ମଧ୍ୟରେ ଝିଅର ମୃତ୍ୟୁ ହୋଇଛି। ହେଲେ ଘରେ ମୃତଦେହ ପ୍ରାୟ ୧୪ ଘଣ୍ଟା ପଡି ରହିଥିଲେ ମଧ୍ୟ କାନ୍ଧ ଦେବାକୁ କେହି ଆସିଲେନି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗୋଲାପଡ଼ା ଗ୍ରାମରେ।
ସୂଚନାନୁସାରେ, କିଛି ଦିନ ତଳେ ଗୋଲାପଡ଼ା ଗ୍ରାମରେ ପ୍ରଥମ କରୋନା ସଂକ୍ରମିତ ମହିଳା ଚିହ୍ନଟ ହୋଇଥିଲେ । ମହିଳାଙ୍କୁ ଭଞ୍ଜନଗର କୋଭିଡ୍ କେୟାର୍ ସେଣ୍ଟର୍ରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ପରେ ମହିଳାଙ୍କ ସ୍ୱାମୀ ଓ ଝିଅଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲା । ଏଥିରେ ବାପା ପଜିଟିଭ୍ ରହିଥିବା ବେଳେ ଝିଅ ନେଗେଟିଭ୍ ଥିବା ଜଣାପଡ଼ିଥିଲା । ବାପାଙ୍କୁ ଭଞ୍ଜନଗର କୋଭିଡ୍ କେୟାର୍ ସେଣ୍ଟର୍କୁ ସ୍ଥାନାନ୍ତର କରାଯାଇଥିଲା । ବାପାକୁ ନେବାର ମାତ୍ର ୧୨ ଘଣ୍ଟା ପରେ ଘରେ ଝିଅର ମୃତ୍ୟୁ ଘଟିଥିଲା । ହେଲେ କରୋନା ସଂକ୍ରମଣ ଭୟରେ ଚିହ୍ନା ହେଉ ଅବା ଅଚିହ୍ନା, ଏପରିକି ବନ୍ଧୁବାନ୍ଧବ, ସମ୍ପର୍କୀୟ ମଧ୍ୟ ସାହାଯ୍ୟ କରିବାକୁ ଆସି ନଥିଲେ । ମଧ୍ୟାହ୍ନରୁ ପ୍ରାୟ ୧୪ ଘଣ୍ଟା ଧରି ଯୁବତୀଙ୍କ ମୃତଦେହ ପଡ଼ିରହିଥିଲା ।
ବିଳମ୍ୱିତ ରାତିରେ ଭଞ୍ଜନଗର ପୁଲିସ ପହଞ୍ଚି ମୃତଦେହ ଉଠାଇବା ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଝିଅର ସ୍ୱାବ୍ ଟେଷ୍ଟ୍ ନେଗେଟିଭ୍ ରହିଥିବାରୁ ଶବଦାହ କରିବାରେ କିଛି ଅସୁବିଧା ନାହିଁ ବୋଲି ବୁଝାସୁଝା ପରେ ଶେଷରେ କିଛି ଭଦ୍ରବ୍ୟକ୍ତି ରାଜି ହୋଇଥିଲେ । ରାତି ପାଖାପାଖି ୨ଟାରେ ଘରୁ ଶବ ନିଆଯାଇ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଥିଲା ।