ଗାଜିଆବାଦ ୨୦/୦୪ : ଦିଲ୍ଲୀ ଜଗତପୁରୀ ଅଞ୍ଚଳରେ ରହୁଥିବା ୟୁଦ୍ଧବୀର ସିଂହଙ୍କ ୭୦ ବର୍ଷ ବୟସ୍କ ପିତା ଅସୁସ୍ଥ ଥିଲେ। ଜ୍ୱର ହେବାପରେ ତାଙ୍କ ଅକ୍ସିଜେନ ଲେଭଲ କମିଯାଇଥିଲା। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ହସ୍ପିଟାଲରେ ଭର୍ତ୍ତି କରିବାକୁ ଦିଲ୍ଲୀରେ ସେ ଅନେକ ହସ୍ପିଟାଲର ଚକ୍କର କାଟିଲେ କିନ୍ତୁ କୌଣସି ହସ୍ପିଟାଲରେ ବେଡ଼ ମିଳିନଥିଲା। କିଛି ଦିନ ହସ୍ପିଟାଲ ଚକ୍କର କାଟିବା ପରେ ସେ ପିତାଙ୍କୁ ନେଇ ଗାଜିଆବାଦ ଗଲେ। ନିଜ ପିତାଙ୍କୁ ସେ ବାଇକରେ ବସାଇ ବୈଶାଳୀର ମ୍ୟାକ୍ସ ହସ୍ପିଟାଲ ଗଲେ କିନ୍ତୁ ସେଠାରେ ବି କିଛି ବ୍ୟବସ୍ଥା ହୋଇପାରିନଥିଲା। ପିତାଙ୍କୁ ବଞ୍ଚାଇବାକୁ ସେ ପୁଣି ଅନ୍ୟ ହସ୍ପିଟାଲ ଖୋଜିବାରେ ଲାଗିପଡ଼ିଲେ।
ମ୍ୟାକ୍ସ ହସ୍ପିଟାଲରୁ ବାହାରି ନବୀନ ହସ୍ପିଟାଲ ଆଡକୁ ଯିବାବେଳେ ରାସ୍ତାରେ ୟୁଦ୍ଧବୀରଙ୍କ ୭୦ ବର୍ଷୀୟ ଜୀବନ ହାରିଦେଲେ ଓ ବାଇକରୁ ତଳେ ପଡିଗଲେ। ତାଙ୍କ ମୃତଦେହ ପ୍ରାୟ ଦୁଇ ଘଣ୍ଟା ଯାଏଁ ରାସ୍ତାରେ ହିଁ ପଡିରହିଥିଲା। କେହି ସାହାଯ୍ୟ କରିବାକୁ ବି ଆସିଲେନି। ପୋଲିସକୁ ସୂଚନା ଦିଆଗଲା, ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ସୂଚନା ଦିଆଗଲା। କିନ୍ତୁ ସାହାଯ୍ୟ ପାଇଁ କେହି ଆସିଲେନି। ଏହାପରେ କୋୖଶମ୍ବି କାଉନସିଲର ମନୋଜ ଗୋୟଲ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଲେ ଓ ମାନବିକତାର ପରିଚୟ ଦେଇ ୟୁଦ୍ଧବୀରଙ୍କୁ ସାହାଯ୍ୟ କରିଥିଲେ। ସେ ଆମ୍ବୁଲାନ୍ସ ଡାକି ମୃତଦେହ ଦିଲ୍ଲୀ ପଠାଇଲେ।
ଏହି ହୃଦୟ ବିଦାରକ ଘଟଣା ଦିଲ୍ଲୀ ଓ ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ସେବାର ପୋଲ ଖୋଲି ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦାବି କରୁଛନ୍ତି ଯେ ତାଙ୍କ ଅଞ୍ଚଳରେ କୋଭିଡ ଚିକିତ୍ସା ସୁଚାରୁ ରୂପେ କରାଯିବ। କିନ୍ତୁ ଏସବୁ କେବଳ କାଗଜରେ ହିଁ ସୀମିତ ଥିଲା ଭଳି ନଜର ଆସୁଛି। ହସ୍ପିଟାଲ ଖୋଜି ଖୋଜି ଅଧା ବାଟରେ ରୋଗୀଙ୍କ ଜୀବନ ଚାଲିଗଲା। ଏହି ମୃତ୍ୟୁ ନାନା ପ୍ରଶ୍ନ ଛିଡା କରିଛି। ଅସୁବିଧା ସମୟରେ ନା କାମରେ ଆସିଲା ମନ୍ତ୍ରୀ, ପ୍ରଶାସନର ଦାବି ନା ଦୃଢୋକ୍ତି। ଶେଷରେ କାମରେ ଆସିଲା ମାନବିକତା।