ପୁଅ କରୋନା ସଂକ୍ରମିତ ହୋଇଥିବା ଶୁଣି ଚାଲିଗଲା ବାପାଙ୍କ ଜୀବନ, ଦୁଇଦିନ ପରେ ପୁଅର ବି ମୃତ୍ୟୁ

Published By : Prameya-News7 Bureau | April 29, 2021 IST

ରାଜସମନ୍ଦ ୨୯/୦୪ : ରାଜସ୍ଥାନ ରାଜସମନ୍ଦ ଜିଲ୍ଲାରେ ବାପା-ପୁଅ ବନ୍ଧନର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ବାପା-ପୁଅଙ୍କ ମୃତ୍ୟୁର ଦୁଇଟି ଭିନ୍ନ ଭିନ୍ନ ମାମଲା ସାମ୍ନାକୁ ଆସିଛି। ପୁଅ କରୋନା ସଂକ୍ରମିତ ହୋଇଥିବା ଖବର ପାଇ ବାପାଙ୍କ ମୃତ୍ୟୁ ହୋଇଛି। ଆଉ ଏକ ମାମଲାରେ ପୁଅ ବାପାଙ୍କ ମୃତ୍ୟୁ ଖବର ଶୁଣି ସବୁଦିନ ପାଇଁ ଦୁନିଆ ଛାଡି ଚାଲିଗଲେ। ଦୁଇଟି ପରିବାରରେ ଦୁଇ ଦୁଇ ଜଣଙ୍କ ମୃତ୍ୟୁ ଖବର ଶୁଣି ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ରାଜସମନ୍ଦ ଡେଗାନା ଗାଁରେ କିଛି ଦିନ ପୂର୍ବରୁ ଜଣେ ଯୁବକ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଉଦୟପୁର ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାଞ୍ଚରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପୁଅ କରୋନା ସଂକ୍ରମିତ ହୋଇଥିବା ଖବର ଶୁଣି ତାଙ୍କ ବାପା ମଧ୍ୟ ଅସୁସ୍ଥ ହୋଇଗଲେ। ସୋମବାର ଦିନ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଛି। ପରିବାରର ମୁଖ୍ୟଙ୍କୁ ହରାଇଥିବା ଦୁଃଖକୁ ପରିବାର ଲୋକ ଭୁଲିନଥିଲେ। ବୁଧବାର ଦିନ କରୋନା ସଂକ୍ରମିତ ପୁଅର ମଧ୍ୟ ମୃତ୍ୟୁ ହୋଇଛି। ବାପା-ପୁଅଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। କରୋନାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଏହାପରେ ସରପଞ୍ଚ ଘରେ ଘରେ ବୁଲି ସର୍ଭେ କରିବାକୁ ଚିକିତ୍ସା ବିଭାଗକୁ ଦାବି କରିଛନ୍ତି।

ରାଜସମନ୍ଦ ଜିଲ୍ଲା ଫିୟାବଡି ଗାଁରେ ମଙ୍ଗଳବାର ଦିନ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ସକାଳେ ୯୦ ବର୍ଷୀୟ ମିୟାଚାନ୍ଦଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କଲାବେଳେ ପ୍ରାୟ ଘଣ୍ଟେ ପରେ ତାଙ୍କ ପୁଅ ରତନ ଲାଲଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଘରଲୋକ କହିଛନ୍ତି ଯେ ବାପାଙ୍କ ମୃତ୍ୟୁରେ ପୁଅର ଜୀବନ ଚାଲିଗଲା। ବାପା-ପୁଅଙ୍କ ଅନ୍ତିମ ସଂସ୍କାର ଏକାସଙ୍ଗେ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.