୫ ଦିନ ହେଲା ଘରେ ପଡିଥିଲା ବୃଦ୍ଧଙ୍କ ମୃତଦେହ, ମାନସିକ ବିକୃତ ପୁଅ କହିଲା- 'ବାପା ଏବେ ଶୋଇଛନ୍ତି, ଖାଇବା ସମୟରେ ଉଠିଯିବେ'....

Published By : Prameya-News7 Bureau | January 15, 2021 IST

ଚଣ୍ଡିଗଡ,୧୫/୦୧:  ହରିୟାଣାର ଯମୁନାନଗରରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଭାରତୀୟ ସେନାରେ କ୍ୟାପ୍ଟେନ୍ ରହିଥିବା ୮୦ ବର୍ଷୀୟ ବୃଦ୍ଧଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ତାଙ୍କ ପୁଅ କେବଳ ଘରେ ଏକା ଥିଲେ । ଘରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ ।

ପଡୋଶୀଙ୍କ କହିବାନୁସାରେ, ଘରେ କେବଳ ବାପା ଓ ପୁଅ ରହୁଥିଲେ ।ପୁଅ କିନ୍ତୁ ମାନସିକ ଭାବେ ଅସୁସ୍ଥ ଥିଲେ । ଅର୍ଥାତ ମାନସିକ ବିକୃତ ଅଟନ୍ତି ସେ । ସେ ଏହା ମଧ୍ୟ ଜାଣିନଥିଲା ଯେ ବାପା ଆଉ ଏ ଦୁନିଆରେ ନାହାଁନ୍ତି । ପୋଲିସ ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ପ୍ରବଳ ଥଣ୍ଡା ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଏହି ଘଟଣା ସହରର ସେକ୍ଟର ୧୭ରେ ଘଟିଛି । ଏଠାରେ ଭାରତୀୟ ସେନାରେ କ୍ୟାପ୍ଟେନ୍ ରହିଥିବା ୮୦ ବର୍ଷୀୟ ରାମ ସିଂ ଓ ପୁଅ ପ୍ରବୀଣ କୁମାର ରୁହନ୍ତି । କିଛି ବର୍ଷ ପୂର୍ବରୁ ରାମ ସିଂଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ପରିବାରରେ ଏହି ଦୁଇଜଣଙ୍କ ବ୍ୟତୀତ ଆଉ କେହି ରହୁନଥିଲେ । ଗୁରୁବାର ପ୍ରବୀଣ ଛାତ ଉପରେ କିଛି ପୋଷାକ ପୋଡୁଥିଲେ । ପଡୋଶୀ ମହିଳା ଏହା ଦେଖି ପୋଲିସକୁ ସୂଚନା ଦେଇଥିଲେ । ପ୍ରବୀଣଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ । ପୂର୍ବରୁ ସେ ଏପରି ଅନେକ କିଛି କାଣ୍ଡ କରିଛନ୍ତି । ପୋଲିସ ସେଠାରେ ପହଁଚି ପ୍ରବୀଣଙ୍କୁ ରୋକିବା ସହ ଘରେ ପ୍ରବେଶ କରିଥିଲା । ଘର ମଧ୍ୟରୁ ଦୁର୍ଗନ୍ଧ ଆସୁଥିଲା । ଏକ ବେଡସିଟ୍ ତଳେ ବୃଦ୍ଧଙ୍କ ଗଳିତ ମୃତଦେହ ପଡିଥିବା ପୋଲିସ ଦେଖିବାକୁ ପାଇଥିଲା ।

ପୋଲିସ ଏନେଇ ପ୍ରବୀଣଙ୍କୁ ପ୍ରଶ୍ନ କରିଥିଲା । ପ୍ରବୀଣ କହିଥିଲେ ଯେ, ବାପା ଏବେ ଶୋଇଛନ୍ତି । ଖାଇବା ପାଇଁ ସେ ଉଠିବେ । ଏହା ଶୁଣି ସେଠାରେ ଥିବା ସମସ୍ତେ ଭାବବିହ୍ୱଳ ହୋଇଯାଇଥିଲେ । ଏହାପରେ ପୋଲିସ ମୃତଦେହକୁ ଜବତ କରି ପଡୋଶୀଙ୍କୁ ପଚରାଉଚୁରା କରିଥିଲା । ଘଟଣାର ତଦନ୍ତ ଜାରି ରହିଛି । ତେବେ ପ୍ରାଥମିକ ରିପୋର୍ଟରୁ ପ୍ରବଳ ଥଣ୍ଡାରୁ ରାମ୍ ସିଂ ପ୍ରାଣ ହରାଇଥିବା କୁହାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.