'ମୋ ଛୁଆକୁ ପାଳିବ, କିଛି ଦିନ ପରେ ମୁଁ ନେଇଯିବି': ନବଜାତ ଶିଶୁ ପାଖରେ ଥିଲା ଆବଶ୍ୟକୀୟ ଜିନିଷ ଓ ଟଙ୍କା, ଏକ ଚିଠିରେ ଭାବପ୍ରବଣ ଅନୁରୋଧ

Published By : Prameya-News7 Bureau | November 05, 2020 IST

ଅମେଠି ୦୫/୧୧ : ଉତ୍ତର ପ୍ରଦେଶ ଅମେଠିରେ ବୁଧବାର ସନ୍ଧ୍ୟାରେ ଏକ ବ୍ୟାଗରୁ ଶିଶୁ ଉଦ୍ଧାର ହୋଇଛି। ଶିଶୁକୁ ଏକ ବ୍ୟାଗରୁ ଉଦ୍ଧାର କରାଯାଇଛି। ବ୍ୟାଗରେ ଶିଶୁ ସହ ଜିନିଷପତ୍ର ମଧ୍ୟ ଥିଲା। ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ ୧୧୨ ନମ୍ବରକୁ ଫୋନ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ସୂଚନା ପାଇ ପିଆରବି ୨୭୮୦ ରାକେଶ କୁମାର ସରୋଜ ଓ ଉମେଶ ଦୁବେ ତ୍ରିଲୋକପୁର ଆନନ୍ଦ ଓଝାଙ୍କ ଘର ନିକଟରେ ପହଞ୍ଚିଥିଲେ। ଜଣେ ଅଜଣା ବ୍ୟକ୍ତି ସେଠାରେ ଏକ ନବଜାତ ଶିଶୁକୁ ବ୍ୟାଗରେ ରଖି ଚାଲିଯାଇଥିଲା।

ଶିଶୁର କାନ୍ଦ ଶୁଣି ଗ୍ରାମବାସୀ ସେଠାରେ ଏକାଠି ହୋଇଥିଲେ ଓ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ଲୋକଙ୍କ ସମ୍ମୁଖରେ ବ୍ୟାଗ ଖୋଲିଥିଲା। ବ୍ୟାଗରେ ଏକ ନବଜାତ ଶିଶୁ ସହ ଶୀତବସ୍ତ୍ର, ଡ୍ରେସ, ଜୋତା, ଜ୍ୟାକେଟ, ସାବୁନ, ଔଷଧ, ୫ ହଜାର ଟଙ୍କା ଓ ଏକ ଚିଠି ଥିଲା। ବ୍ୟକ୍ତି ଜଣକ ଶିଶୁର ଭରଣପୋଷଣ ପାଇଁ ପାଳନକର୍ତ୍ତାଙ୍କୁ ମାସକୁ ୫ ହଜାର ଟଙ୍କା ଦେବାକୁ ଚିଠିରେ ଲେଖିଛନ୍ତି।

{"id":356704,"sizeSlug":"large"}

ଚିଠିରେ ଲେଖାଯାଇଛି, 'ଇଏ ମୋ ପୁଅ। ତାକୁ ମୁଁ ୬-୭ ମାସ ପାଇଁ ଆପଣଙ୍କ ପାଖରେ ଛାଡ଼ୁଛି। ମୁଁ ଆପଣଙ୍କ ସମ୍ବନ୍ଧରେ ଭଲ କଥା ଶୁଣିଛି। ସେଥିପାଇଁ ମୁଁ ମୋ ପୁଅକୁ ଆପଣଙ୍କ ପାଖରେ ଛାଡ଼ୁଛି। ପୁଅର ଭରଣପୋଷଣ ପାଇଁ ମାସକୁ ୫ ହଜାର ଟଙ୍କା ଲେଖାଏଁ ଦେବି। ହାତ ଯୋଡି ଆପଣଙ୍କ ପାଖରେ ଅନୁରୋଧ କରୁଛି ଯେ ମୋ ପୁଅକୁ ରଖନ୍ତୁ। ମୋର କିଛି ମଜବୁରି ଅଛି। ଶିଶୁର ମା ନାହିଁ। ମୋ ପରିବାରରେ ଶିଶୁ ଜୀବନ ପ୍ରତି ବିପଦ ଅଛି। ସେଠ୍ହିପାଇଁ ମୋ ପୁଅକୁ ୬-୭ ମାସ ପାଇଁ ନିଜ ପାଖରେ ରଖନ୍ତୁ। ସବୁ ଠିକ ହେବାପରେ ମୁଁ ଆସି ମୋ ପୁଅକୁ ନେଇଯିବି। ତେବେ କିଏ ଆପଣଙ୍କ ପାଖରେ ନିଜ ଶିଶୁକୁ ଛାଡିକି ଯାଇଛି ସେ ସମ୍ପର୍କରେ କାହାକୁ ଜଣାଇବେ ନାହିଁ। ନଚେତ ଏ କଥା ସମସ୍ତେ ଜାଣିଯିବେ ଯାହା ଠିକ ହବନି। ସମସ୍ତଙ୍କୁ କହିବେ ଯେ ଶିଶୁଟି ଆପଣଙ୍କ ସାଙ୍ଗର ଯାହାର ସ୍ତ୍ରୀ ହସ୍ପିଟାଲରେ କୋମାରେ ଅଛନ୍ତି। ମୁଁ ଆପଣଙ୍କୁ ସାକ୍ଷାତ କରି ମଧ୍ୟ ମୋ ପୁଅକୁ ହସ୍ତାନ୍ତର କରି ଆସିପାରିଥାନ୍ତି କିନ୍ତୁ ଏ କଥା ମୋ ଯାଏଁ ସୀମିତ ରହିବା ହିଁ ଠିକ। କାରଣ ମୋର ଏ ଗୋଟିଏ ହିଁ ପୁଅ। ଆପଣଙ୍କୁ ଆଉ ଟଙ୍କା ଦରକାର ଯଦି କହିବେ, ମୁଁ ଆଉ ଟଙ୍କା ଦେବି କିନ୍ତୁ ମୋ ପୁଅକୁ ନିଜ ପାଖରେ ରଖନ୍ତୁ। ଶିଶୁର ଦାୟିତ୍ୱ ନେବା ପାଇଁ ଡରନ୍ତୁନି। ଭଗବାନ ନ କରନ୍ତୁ କିଛି ଅଘଟଣ ଘଟୁ। କିନ୍ତୁ ତଥାପି ମୁଁ ଆପଣଙ୍କୁ ଦୋଷ ଦେବିନାହିଁ। ମୋତେ ଆପଣଙ୍କ ଉପରେ ପୁରା ବିଶ୍ୱାସ ଅଛି। ଶିଶୁ ପଣ୍ଡିତ ଘରର ପୁଅ।'

ପିଆରବି ଶିଶୁ ସମ୍ବନ୍ଧରେ ସ୍ଥାନୀୟ ଥାନା ପ୍ରଭାରୀ ମିଥିଲେସ ସିଂହଙ୍କୁ ସୂଚନା ଦେଇଛନ୍ତି। ଏହାପରେ ଥାନା ପ୍ରଭାରୀ ଶିଶୁକୁ ଫୋନ କରିଥିବା ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ ଆଦେଶ ଦେଇଛନ୍ତି। ଏହି ନିଆରା ଘଟଣା ସାମ୍ନାକୁ ଆସିବା ପରେ ଲୋକେ ନାନା କଥାବାର୍ତ୍ତା କରୁଛନ୍ତି। କିଛି ଲୋକ ଏହାକୁ ସମ୍ବେଦନଶୀଳ ଘଟଣା କହିଥିବାବେଳେ ଆଉ କିଛି ଲୋକେ ନିନ୍ଦା ମଧ୍ୟ କରିଛନ୍ତି। ଶିଶୁକୁ ଛାଡିବାରେ ବାପାର ମଜବୁରି ଓ ସ୍ନେହ ଚିଠିରେ ସ୍ପଷ୍ଟ ବାରି ହେଇପଡୁଛି। କିନ୍ତୁ ନିରୀହ ଶିଶୁଟି ଏହିଭଳି ଥଣ୍ଡାରେ ବାପା-ମା' ଠାରୁ ଦୂରରେ ରହି ଦଣ୍ଡ ଭୋଗୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.