ଅନ୍ୟାୟ ବିରୋଧରେ ପାଟି ଖୋଲିବାରୁ ହତ୍ୟା : ଝିଅ ସହ ହୋଇଥିଲା ଅସଦାଚରଣ, ଅଭିଯୋଗ କରିବାରୁ ବାପାକୁ ଗୁଳି କରି ମାରିଦେଲା ଅଭିଯୁକ୍ତ
2/03/2021 at 10:09 AM

ଲକ୍ଷ୍ନୌ, ୦୨|୦୩ : ଉତ୍ତର ପ୍ରଦେଶ ହାଥରସରେ ଝିଅ ବିରୋଧରେ ହୋଇଥିବା ଅସଦାଚରଣ ମାମଲାରେ ଅଭିଯୋଗ କରିବା ଜଣେ ପିତାକୁ ମହଙ୍ଗା ପଡିଛି । ଜିଲ୍ଲାର ନୌଜରପୁର ଗାଁରେ ଜଣେ ଯୁବକ ନିଜ ବନ୍ଧୁଙ୍କ ସହ ମିଶି ୫୨ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତି ପୀଡିତାଙ୍କ ପିତା ଅଟନ୍ତି । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ମୃତକଙ୍କ ଝିଅ ୬ଜଣଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି ।
ମୃତକ ହେଉଛନ୍ତି ଅମରୀଶ ଶର୍ମା । ସେ ଜଣେ କୃଷକ । ସେ ୨୦୧୮ ମସିହା ଜୁଲାଇ ୧୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୌରବଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଗୌରବ ତାଙ୍କ ଘରେ ପସି ଝିଅଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ୧୫ ଦିନ ଜେଲରେ ମଧ୍ୟ ରହିଥିଲା । ସେବେଠାରୁ ସେ ପ୍ରତିଶୋଧ ନିଆଁରେ ଜଳୁଥିଲା । ଏପରିକି ମାମଲାକୁ ରଫାଦଫ କରିବା ପାଇଁ ଅମରୀଶଙ୍କ ଚାପ ପକାଉଥିଲା । ତେବେ ସୋମବାର ଅପରାହ୍ନ ୪ଟା ବେଳେ ନିଜ ଜମିରେ ଆଳୁ ଖୋଳୁଥିଲେ । ଏତିକି ବେଳେ ତାଙ୍କ ପତ୍ନୀ ଓ ଝିଅ ପ୍ରିୟଙ୍କା ଶର୍ମା ଖାଇବା ନେଇ ବିଲକୁ ଯାଇଥିଲେ । ସେଠାରେ ପୂର୍ବରୁ ଲୁଚିଥିବା ଗୌରବ ନିଜର ଦୁଇ ସହଯୋଗୀଙ୍କୁ ଧରି ଏକ ଧଲା ଗାଡିରେ ଆସି ଆଖିବୁଜା ଗୁଳିମାଡ କରିଥିଲା ।
ଗୁଳିମାଡ ବେଳେ ଜଣେ ଅଭିଯୁକ୍ତ ଦେହରେ ମଧ୍ୟ ଗୁଳି ବାଜିଛି । ସେ ମଧ୍ୟ ଗୁରୁତର ହୋଇଯାଇଥିଲା । ଦୁର୍ବୃତ୍ତମାନେ ଆହତ ସହଯୋଗୀକୁ ଗାଡିରେ ଧରି ପଳାଇଥିଲେ । କ୍ଷେତରେ କାମ କରୁଥିବା ଅନ୍ୟ ଚାଷୀମାନେ ଜୀବନ ବିକଳରେ ଦୌଡି ପଳାଇଥିଲେ । ଘଟଣା ପରେ ସ୍ଥାନୀୟ ଲୋକେ ଜମା ହୋଇଥିଲେ । ଏହାସହ ଅମରୀଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣାକୁ ନେଇ ଅମରୀଶଙ୍କ ଝିଅ ପ୍ରିୟଙ୍କା ଥାନାରେ ଏଫଆଇଆର ଦେଇଛନ୍ତି । ଏଫଆଇଆରରେ ଗୌରବଙ୍କ ସମେତ ରୋହତାସ ଶର୍ମା, ନିଖିଲ ଶର୍ମା ଓ ଲଳିତ ଶର୍ମାଙ୍କ ନାଁ ରହିଛି । ତେବେ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।