ରାଜ୍ୟ ବାହାରେ ଡାକ୍ତରଖାନାରେ ବନ୍ଧା ପଡିଛି ପୁଅ- ପୁଅର ଚିକିତ୍ସା ପାଇଁ ବାପର ଆକୁଳ ନିବେଦନ

Published By : Prameya-News7 Bureau | October 29, 2019 IST

ବେଙ୍ଗାଲୁର - ବେଙ୍ଗାଲୁରରେ ରୋଷୟା ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କର ପୁଅ ଏକ ବେସରକାରୀ ଡାକ୍ତରଖାନରେ ଚିକିତ୍ସା ପରେ ଟଙ୍କା ଦେଇ ନଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଛାଡୁ ନ ଥିବା ଅଭିଯୋଗ ହୋଇଛି ।

ପୁଅର ଚିକିତ୍ସା ପାଇଁ ସେ ଜମି ବାଡି ବିକ୍ରି କରି ପ୍ରାୟ ୨୦ ଲକ୍ଷ ଟଙ୍କା ଦେଇ ସାରିଥିବା ବେଳେ ଏବେ ଡାକ୍ତରଖାନା ପକ୍ଷରୁ ଆହୁରି ୧୩ ଲକ୍ଷ ଟଙ୍କା ମଗାଯାଉଥିବା ସେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଅପଲୋଡ କରି ସୂଚନା ଦେଇଛନ୍ତି ।

ବାଲେଶ୍ୱର ଖଇରା ବ୍ଲକରେ ଥିବା ଚକ ମହାସମରପୁରର ଦୀନବନ୍ଧୁ ପଢିଆରୀ ବେଙ୍ଗାଲୁରରେ ପରିବାର ସହ ରୁହନ୍ତି । ସେ ସେଠାରେ ରୋଷୟା ଭାବେ କାମ କରୁଥିଲେ । ତାଙ୍କ ପୁଅ ସୁବ୍ରତର ଆଖିକୁ ହଠାତ୍‌ ଦେଖା ଯାଇ ନଥିଲା । ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣା ପଡିଥିଲା। ସେ କୋମାକୁ ଚାଲିଯାଇଥିଲେ ।

ବିଭି୍ନ୍ନ ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ମାନସ୍ତେସିଆ ଗ୍ରଭିସ୍‌ ନାମକ ରୋଗ ହୋଇଥିବା ଜଣା ପଡିଥିଲା । ସେଠାରେ ଏକ ଘରୋଇ ହସ୍‌ପିଟାଲରେ ଅସ୍ତ୍ରୋପଚାର ବା ଅପରେସନ୍‌ ପାଇଁ ୧୦ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା । ଗତ ୧୯ ତାରିଖରେ ସୁବ୍ରତଙ୍କର ଅସ୍ତ୍ରୋପଚାର ହୋଇଛି । ଦୀନବନ୍ଧୁ ୨୦ ଲକ୍ଷ ଟଙ୍କା ଦେଇଥିବା ବେଳେ ଏବେ ହସପିଟାଲ୍‌ ପକ୍ଷରୁ ଆହୁରି ୧୩ ଲକ୍ଷ ଟଙ୍କା ଦାବି କରାଯାଉଥିବା ସେ ପ୍ରକାଶ କରିଛନ୍ତି । ନିଜର କୀଡ୍‌ନି ବିକ୍ରି କରି ପୁଅକୁ ଆଣିବେ ବୋଲି ସେ ଏକ ଭିଡିଓରେ ହାତ ଯୋଡି କହିଛନ୍ତି । ରାଜ୍ୟ ସରକାରଙ୍କୁ ସାହାଯ୍ୟ ପାଇଁ ସେ ହାତ ଯୋଡି ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.