ଝିଅକୁ ପାଠ ପଢ଼ାଇବା ପାଇଁ ଚାଷୀଙ୍କ ପାଖରେ ନଥିଲା ଟଙ୍କା : କୀଟନାଶକ ଖାଇ ଜୀବନ ଦେଲେ ଝିଅ

Published By : Prameya-News7 Bureau | December 02, 2019 IST

ଜଲଗାଁଓ ୨/୧୨: ଏଠାରେ ଜଣେ ଚାଷୀଙ୍କ ଝିଅ ଆଗକୁ ପାଠ ପଢ଼ିବା ପାଇଁ ଟଙ୍କା ନଥିବା କାରଣରୁ କୀଟନାଶକ ଖାଇ ଜୀବନ ଦେଇଛନ୍ତି   । ଘଟଣାଟି ଘଟିଛି ଭଦଲି ଗାଁରେ। ମୃତକ ହେଲେ ଯାମିନୀ ପ୍ରମୋଦ ପାଟିଲ(୧୭)। ସେ ବୋନ୍ଦଲେ କଲେଜରେ ଦ୍ବାଦଶ ବାଣିଜ୍ୟର ଛାତ୍ରୀ ଥିଲେ।

ସୂଚନା ଅନୁଯାୟୀ, ଦଶମ ଶ୍ରେଣୀରେ ପ୍ରଥମ ଗ୍ରେଡରେ ପାସ୍ ହୋଇଥିଲେ। ଯାମିନୀ ଆଗକୁ ଉଚ୍ଚ ଶିକ୍ଷା ପ୍ରାପ୍ତ କରି ବଡ଼ ଚାକିରୀ କରିବାକୁ ଚାହୁଁଥିଲେ। କିନ୍ତୁ ବାରମ୍ବାର ମରୁଡ଼ି ଯୋଗୁଁ ତାଙ୍କ ଚା​ଷୀ ବାପାଙ୍କ ଅବସ୍ଥା ଶୋଚନୀୟ ହୋଇ ଯାଇଥିଲା। ଫଳରେ ଯାମିନୀଙ୍କୁ ଆଗକୁ ପାଠ ପଢ଼ାଇବା ପାଇଁ ଟଙ୍କା ନଥିଲା। ତାଙ୍କ ପାଖରେ ବି ମାତ୍ର ଏକ ଏକର ଜମି ଥିଲା,ଯେଉଥିରେ ପରିବାର ଖୁବ୍ କଷ୍ଟେ ମଷ୍ଟେ ଚଳୁଥିଲା। ପରିବାର ଲୋକଙ୍କ କହିବା ଅନୁସାରେ ଯାମିନୀ ସବୁବେଳେ ପାଠ ପଢ଼ା ପାଇଁ ଚିନ୍ତିତ ରହୁଥିଲେ।

ଗତ ଶନିବାର ତାଙ୍କ ବାପା ମାଆ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଭୁସାବଲ ଯାଇଥିଲେ। ଛୋଟ ଭାଇ ମଧ୍ୟ ସ୍କୁଲ୍ ଯାଇଥିଲେ। ଘରେ କେହି ନଥିଲେ ଏବଂ ଯାମିନୀ ସକାଳେ ୧୧ଟାରେ କୀଟନାଶକ ଖାଇ ଦେଇଥିଲେ। ଦ୍ବିପ୍ରହର ୨:୩୦ରେ ଯେତେବେଳେ ବାପା ମାଆ ଘରକୁ ଫେରିଥିଲେ ସେତେବେଳେ ଯାମିନୀଙ୍କୁ ଗୁରୁତର ଅବସ୍ଥାରେ ଦେଖିଥିଲେ। ତୁରନ୍ତ ତାଙ୍କୁ ସରକାରୀ ମେଡିକାଲ କଲେଜକୁ ଅଣାଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.