କରୋନା ଭୟରେ ଭାଙ୍ଗୁଛି ସମ୍ପର୍କ, ଲୋକେ ଅଛୁଆଁ, ବାପାର ମୃତଦେହକୁ ସାଇକେଲରେ ବୋହିଲେ ୨ ଭାଇ

Published By : Prameya-News7 Bureau | August 18, 2020 IST

ବେଙ୍ଗାଲୁରୁ, ୧୮|୦୮:  କରୋନା ଭାଇରସ ନିଜ ସମ୍ପର୍କୀୟଙ୍କୁ ମଧ୍ୟ ପର କରିଦେଉଛି । ସହଜରେ ଏହି ଭାଇରସରେ କେହି ସଂକ୍ରମିତ ହେଲେ ପରିବାର ଲୋକଙ୍କଠାରୁ ଅଲଗା ରହୁଛନ୍ତି । ଏପରିକି ଯଦି ମୃତ୍ୟୁ ହୋଇଯାଏ ତେବେ ଭୟରେ ମଧ୍ୟ ଅନେକ ମୃତଦେହକୁ ସ୍ପର୍ଶ କରୁନାହାଁନ୍ତି । ସାଇପଡିଶା ମଧ୍ୟ ପାଖ ମାଡୁନାହାଁନ୍ତି । କେଉଁଠି ମୃତଦେହକୁ ଟ୍ରଲିରେ ନିଆଯାଉଛି ତ ପୁଣି କେଉଁଠି ଜେସିବିରେ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଚି କର୍ଣ୍ଣାଟକରେ । ଏଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ସାଇକେଲରେ ବୁହାହେଉଥିବା ଦେଖିବାକୁ ମିଳିଛି ।

ସୂଚନାନୁସାରେ, କର୍ଣ୍ଣାଟକର ବେଲଘାବି ଜିଲ୍ଲାରେ ରହୁଥିବା ଜଣେ ୭୧ ବର୍ଷୀୟ ବ୍ୟକ୍ତି ଶ୍ରମିକ ଭାବେ କାମ କରନ୍ତି । ଗତ କିଛିଦିନ ଧରି ସେ ଥଣ୍ଡା ଓ ଜ୍ୱରରେ ପୀଡିତ ହୋଇଥିଲେ । ପେର ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ତାଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଚାହିଁଥିଲେ । କିନ୍ତୁ ଏହାପୂର୍ବରୁ ଗତ ଶନିବାର ରାତ୍ରରେ ସେ ପ୍ରାଣ ହରାଇଥିଲେ ।

ତେବେ ବ୍ୟକ୍ତିଙ୍କ ସମ୍ପର୍କୀୟ ଏହି ଖବର ଶୁଣି କୌଣସି ପ୍ରକାର ସାହାଯ୍ୟ କରିନଥିଲେ । କରୋନା ସଂକ୍ରମଣ ଭୟ ଥିବାରୁ ସେମାନେ ହାତ ଛାଡିଦେଇଥିଲେ । ପରିବାର ଲୋକେ ଗ୍ରାମ ପଞ୍ଚାୟତ ଓ ସରକାରୀ ଅଧିକାରୀଙ୍କୁ ସାହାଯ୍ୟ ପାଇଁ ଯୋଗଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।  ପରେ ତାଙ୍କ ପୁତ୍ର ଓ ପୁତୁରା ସାଇକେଲରେ ବ୍ୟକ୍ତିଙ୍କ ମୃତଦେହ ଦାହ ପାଇଁ ନେବାକୁ ମନସ୍ଥ କରିଥିଲେ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ବେଲାଘାବି ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ରମେଶ ଝାରକିହୋଲି ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.