Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହସ୍ପିଟାଲ ଫି ଦେଇ ପାରିଲାନି ବିବଶ ବାପ, ନବଜାତ ଶିଶୁକୁ ବିକି ଦେଲେ ଡାକ୍ତର

1/09/2020 at 8:58 PM

ଆଗ୍ରା ୦୧।୦୯: ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରେ ମାନବ ଜାତିକୁ ଲଜ୍ଜିତ କରିବା ଭଳି ଘଟଣା ଘଟିଛି। କରୋନାକାଳରେ ଡାକ୍ତର ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଏହି ସମୟରେ ଏମିତି ଜଣେ ଡାକ୍ତର ଯିଏ ଟଙ୍କା ପାଇଁ ନିଜର ସୀମା ଉଲ୍ଲଂଘନ କରି ଲଜ୍ଜାଜନକ କାମ କରିବାକୁ ପଛେଇ ନାହାନ୍ତି। ସହରର ଏକ ଘରୋଇ ହସ୍ପିଟାଲରେ ପ୍ରସବ ପରେ ଗରିବ ଦମ୍ପତ୍ତି ୩୫ ହଜାର ଟଙ୍କା ଶୁଳ୍କ ଜମା ନକରିପାରିବାରୁ ନବଜାତ ଶିଶୁକୁ ହସ୍ପିଟାଲ କର୍ତ୍ତୃପକ୍ଷ ବିକ୍ରି କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ହୋଇଛି ଡାକ୍ତର ବଳପୂର୍ବକ କାଗଜରେ ଦମ୍ପତ୍ତିଙ୍କ ଟିପ ଚିହ୍ନ ଲଗାଇ ନବଜାତ ଶିଶୁକୁ ନେଇ ଯାଇଛନ୍ତି। ଅନ୍ୟପଟେ ମହିଳା ଜଣକ କାନ୍ଦି କାନ୍ଦି ହାତ ଯୋଡି ନେହୁରା ହେଲେ ମଧ୍ୟ  ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ହୃଦୟ ତରଳିନଥିଲା। ଅନ୍ୟପଟେ ସ୍ଵାମୀ ମଧ୍ୟ କିଛି କରିପାରିନଥିଲେ କାରଣ ସେ ବିବଶ ଥିଲେ। ପୀଡିତ ପରିଜନ ଅଭିଯୋଗ କରିଛନ୍ତି ଫି ଦେଇନପାରିବାରୁ ଡାକ୍ତର ସେମାନଙ୍କୁ ଟଙ୍କା ଦେଇ ନ ପାରିଲେ ଶିଶୁକୁ ଦେବାକୁ ପଡିବ ବୋଲି କହିଥିଲେ।

ଏହା ପରେ ଦମ୍ପତ୍ତିଙ୍କଠୁ  ବଳପୂର୍ବକ ଏକ କାଗଜରେ ଟିପ ଚିହ୍ନ ନେଇ ନିଆଗଲା ଏବଂ ୬୫ ହଜାର ଟଙ୍କା ଦେଇ ଦମ୍ପତ୍ତିକୁ ମେଡିକାଲରୁ ଘଉଡାଇ ଦିଆଯାଇଥିଲା। କୁହାଯାଉଛି ଯେ ଡାକ୍ତର ଏକ ଲକ୍ଷ ଟଙ୍କାରେ ନବଜାତକୁ ବିକ୍ରି କରିଛନ୍ତି। ୩୫ ହଜାର ଟଙ୍କା ହସ୍ପିଟାଲର ବକେୟା ବିଲ୍‌ ଜମା କରିବା ପରେ ବଳକା ୬୫ ହଜାର ଟଙ୍କା ପୀଡିତ ରିକ୍ସା ଚାଳକଙ୍କୁ ଦେଇ ହସ୍ପିଟାଲରୁ ଘଉଡାଇ ଦିଆଯାଇଛି। ଦମ୍ପତ୍ତି ଅଭିଯୋଗ କରିଛନ୍ତି ଡାକ୍ତର ଶିଶୁକୁ ଏକ ଲକ୍ଷ ଟଙ୍କାରେ ବିକି ଦେଇଛନ୍ତି। ୩୫ ହଜାର ଟଙ୍କାର ମେଡିକାଲ ବିଲ୍ କାଟି ବାକି ୬୫ ହଜାର ଟଙ୍କା ଦମ୍ପତ୍ତିଙ୍କୁ ଦେଇଛନ୍ତି।

ସୂଚନା ଅନୁଯାୟୀ ଆଗ୍ରାର ଶମ୍ଭୁ ନଗର ନିବାସୀ ଶିବ ନାରାୟଣ ରିକ୍ସା ଚାଳକ। ଚାରି ମାସ ପୂର୍ବେ ଋଣ ଯୋଗୁଁ ତାଙ୍କ ହାତରୁ ଘର ଚାଲି ଯାଇଥିଲା। ଅଗଷ୍ଟ ୨୪ରେ ତାଙ୍କ ପତ୍ନୀ ବବିତାଙ୍କ ପ୍ରସବକାଳୀନ ଯନ୍ତ୍ରଣା ହୋଇଥିଲା। ଏହା ପରେ ନିକଟ ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବବିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଅଗଷ୍ଟ ୨୫ରେ ଡିସଚାର୍ଜ କରିବାର ସମୟ ଆସିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ୩୫ ହଜାର ଟଙ୍କାର ବିଲ୍ ଧରାଇ ଦେଇଥିଲେ। ରିକ୍ସା ଚାଳକ ଏତେ ଗୁଡାଏ ଟଙ୍କା ଦେବାକୁ ଅସମର୍ଥ ଥିଲେ। ତାଙ୍କ ପାଖରେ କେବଳ ୫୦୦ ଟଙ୍କା ଥିଲା।

ମାମଲାର ସୂଚନା ମିଳିବା ପରେ ସ୍ଵାସ୍ଥ୍ୟ ବିଭାଗର ଦଳ ଉକ୍ତ ହସ୍ପିଟାଲ ଉପରେ ଚଢାଉ କରିଛନ୍ତି। ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଆରସି ପାଣ୍ଡେ କହିଛନ୍ତି ଅନିୟମିତତା ଅଭିଯୋଗ ଆସିବା ପରେ ହସ୍ପିଟାଲକୁ ସିଲ୍ କରାଯାଇଛି। ନବଜାତଙ୍କ ବିକ୍ରି କରାଯାଇଥିବା ସୂଚନା ମିଳିଛି। ଏହାର ଯାଞ୍ଚ ପୋଲିସ କରିବ। ମାମଲା ଗଣମାଧ୍ୟମରେ ପ୍ରସାରଣ ହେବା ପରେ ପୋଲିସ ଘଟଣାର ତଦନ୍ତରେ ଜୁଟିଛି।

   Related Posts