କରୋନା ଦେଲା ଅସହ୍ୟ କଷ୍ଟ, ଭାରରେ ପିଲାଙ୍କୁ ଧରି ଚାଲିଚାଲି କଟକରୁ ମୋରଡା

Published By : Prameya-News7 Bureau | May 16, 2020 IST

ବାରିପଦା ୧୬।୦୫: ମହାମାରୀ କରୋନା ସମୟରେ ଲକ୍‌ଡାଉନ୍‌ ଯୋଗୁଁ ସରକାର ନିଃସହାୟ ମାନଙ୍କ ପାଇଁ ଯୋଜନାର ଭଣ୍ଡାର ଖୋଲିଥିଲେ ମଧ୍ୟ ତୃଣମୂଳ ସ୍ତରରେ ସଠିକ୍‌ଭାବେ କାର୍ଯ୍ୟକାରୀ ହେଉ ନଥିବା ଦେଖିବାକୁ ମିଳିଛି । ପ୍ରବାସୀମାନଙ୍କୁ ଜିଲ୍ଲାବାହାରୁ ଏବଂ ବାହାର ରାଜ୍ୟରୁ ଆଣି ଗାଁରେ ପହଞ୍ଚାଇବା ପାଇଁ ସରକାର ସଂପୂର୍ଣ୍ଣ ଭାବେ ବ୍ୟବସ୍ଥା କରି ନିଜେ ଦାୟିତ୍ୱ ନେଇଥିଲେ ମଧ୍ୟ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ପେଟ ଚାଖଣ୍ଡଙ୍କ ପାଇଁ ନିଜ ପରିବାର ସହ କଟକରେ ଏକ ଇଟାଭାଟିରେ କାମ କରୁଥିବା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ବଳଦିଆ ଗ୍ରାମର ରୂପାୟ ଟୁଡୁ ଶେଷରେ ତାର ତିନୋଟି ଛୋଟ ଛୋଟ ଛୁଆ ଓ ସ୍ତ୍ରୀ ସହ କଟକରୁ ଚାଲି ଚାଲି ଆସି ନିଜ ଗାଁରେ ପହଞ୍ଚିଛି । ଏକ ଭାରରେ ତାର ଦୁଇଟି ଛୁଆ (ସୀତା-୪ବର୍ଷ ମେଘରାୟ ଅଢେଇବର୍ଷ) ଓ ତାର ଜିନିଷ ପତ୍ରକୁ ଧରି ଚାଲି ଚାଲି ଆସିଥିବା ବେଳେ ସାଙ୍ଗରେ ଥିବା ୬ବର୍ଷର ଝିଅ ପୁଷ୍ପାଞ୍ଜଳି ଓ ସ୍ତ୍ରୀ ମେଟ୍ରିକ ଟୁଡୁ ମଧ୍ୟ ଚାଲିଚାଲି ଆସି ନିଜ ଗାଁରେ ପହଞ୍ଚିଛନ୍ତି । ଗାଁରେ ପହଞ୍ଚିବା ପରେ ସେମାନଙ୍କୁ ବଳଦିଆ ଉପ୍ରାବିଦ୍ୟାଳୟରେ ହୋଇଥିବା ଟିଏମ୍‌ସିି କେନ୍ଦ୍ରରେ ରଖା ଯାଇଛି । ସେମାନଙ୍କ ସହ ସେଠାରେ ଆଉ ୧୧ଜଣ ମଧ୍ୟ ଅଛନ୍ତି ।

ସେମାନଙ୍କୁ କୌଣସି ଖାଦ୍ୟପେୟର ବ୍ୟବସ୍ଥା କରାଯାଇ ନାହିଁ। ଖବର ପାଇ ଜିଲ୍ଲାପୂର୍ବତନ ବିଜେଡି ସଭାପତି ତଥା ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ବଳଦିଆ ଉପ୍ରା ପ୍ରଥମିକ ବିଦ୍ୟାଳୟରେ ପହଞ୍ଚି ସମସ୍ତଙ୍କୁ ରାସନ ସାମଗ୍ରୀ ସହ ଖାଦ୍ୟ ପେୟର ବ୍ୟବସ୍ଥା କରିଛନ୍ତି । ସେମାନଙ୍କୁ ସାନିଟାଇଜର ,ମାସ୍କ, ସାବୁନ ଆଦି ଦେଇ କରୋନା ବାବଦରେ ସଚେତନ କରାଇବା ସହ ସଙ୍ଗରୋଧ କେନ୍ଦ୍ରରେ ଥିବା ଯାଏଁ ସମସ୍ତ ଖାଦ୍ୟର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.