ମଦୁଆ ପୁଅ ପାଇଁ ଜୀବନ ପ୍ରତି ବିତୃଷ୍ଣା : ଋଷିକୂଲ୍ୟାକୁ ଡେଇଁଥିବା ବାପାକୁ ଉଦ୍ଧାର କଲେ ମାଛଧରାଳୀ ଏବଂ ୧୦୮ଆମ୍ବୁଲାନ୍ସ କର୍ମଚାରୀ

Published By : Prameya-News7 Bureau | October 23, 2020 IST

ବ୍ରହ୍ମପୁର ୨୩/୧୦: ଜଣେ ମଦ୍ୟପ ପୁଅର ମାଡ଼ ସହିନପାରି ଜଣେ ବାପା ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ବ୍ରିଜ଼ ଉପରୁ ଅପରାହ୍ନ ତିନିଟା ସମୟରେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେତିକିବେଳେ ସେଠାରେ ଉପସ୍ଥିତ ଥିବା ମାଛ ଧରାଳିମାନେ ତାଙ୍କୁ ଉଦ୍ଧାର କରିଛନ୍ତି। ଖବର ପାଇ ଗଞ୍ଜାମର ୧୦୮ ଆମ୍ବୁଲାନ୍ସ ପହଞ୍ଚି ଚିକିତ୍ସା ପାଇଁ ଛତ୍ରପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ ।

ସୂଚନା ଅନୁଯାୟୀ ଆତ୍ମହତ୍ୟା ଉଦ୍ୟମ କରିଥିବା ୭୦ବର୍ଷ ବୟସ୍କ ବ୍ୟକ୍ତି ଜଣକ ବ୍ରହ୍ମପୁର ମେଡିକାଲର ବ୍ୟାଙ୍କ କଲୋନୀ ତୃତୀୟ ଲାଇନର ବାପୁଜି ନଗରର ବାସିନ୍ଦା । ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ।

ବୁଧବାର ସେ ବଲାଙ୍ଗୀରରେ ରହୁଥିବା ଝିଅ ଘରୁ ସାନ ପୁଅ ଘରକୁ ଆସିଥିଲେ । ସାନ ପୁଅ ବାରମ୍ବାର ମାଡ଼ ମାରିବା ଓ ନିର୍ଯ୍ୟାତନା ଦେଉଥିବା ନେଇ ରାମ ଚନ୍ଦ୍ର ଅଭିଯୋଗ କରିଛନ୍ତି ।  ଦୀର୍ଘ ୧୫ ବର୍ଷ ଧରି ସାନ ପୁଅ ତାଙ୍କୁ ଏବଂ ବଡ଼ ଭାଇକୁ ମଧ୍ୟ ମାଡ଼ ମାରୁଥିବା ସେ କହିଛନ୍ତି ।ସାନପୁଅର ଅତ୍ୟାଚାର ସହିନପାରି ରାମଚନ୍ଦ୍ର ଏକ ଅଟୋ ସାହାଯ୍ୟରେ ଆସିଥିଲେ ଗଞ୍ଜାମ ସହରସ୍ଥିତ ଋଷିକୂଲ୍ୟା ବ୍ରିଜ଼ ପର୍ଯ୍ୟନ୍ତ। ସେଠାରେ ବ୍ରିଜ଼ ଉପରୁ ଋଷିକୂଲ୍ୟା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ମାଛ ଧରୁଥିବା ଲୋକମାନେ ଉଦ୍ଧାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.