ଧାନ କଟାକୁ କେନ୍ଦ୍ରକରି ପୁଅକୁ କଟୁରୀରେ ହାଣିଲା ବାପା, ବିଲରେ ଭାଉଜକୁ ଗୋଡାଇ ଗୋଡାଇ ପିଟିଲା ଦିଅର

Published By : Prameya-News7 Bureau | May 04, 2021 IST

ଜଳେଶ୍ବର ୪।୫: ଧାନ କଟାକୁ କେନ୍ଦ୍ର କରି ନିଜ ବଡ ପୁଅକୁ କଟୁରୀରେ ମରଣାନ୍ତକ ଆକ୍ରମଣ କରି  ରଶିରେ ବାନ୍ଧିଲା ବାପା । ଧାନ ବିଲରେ ଭାଉଜକୁ ଗୋଡାଇ ଗୋଡାଇ ପିଟିଲା ଦିଅର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କଣ୍ଠାଳିଆ ଗ୍ରାମରେ ।

ସୂଚନାଯୋଗ୍ୟ ଯେ, କଣ୍ଠାଳିଆ ଗ୍ରାମର ଗଙ୍ଗା ନାରାୟଣ ପଢ଼ିଆରୀ ଓ ତାଙ୍କର ବଡ ପୁଅ ସପନ ପଢ଼ିଆରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡିକୁ କେନ୍ଦ୍ର କରି  ବିବାଦ ଲାଗି ରହିଥିଲା । ବଡ ପୁଅ ସପନ ତାଙ୍କୁ ମିଳିଥିବା ଭାଗ ଜମିରେ ଧାନ ଚାଷ କରିଥିଲେ । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଆଜି ସପନ ନିଜ ବିଲରେ ହାରଭେଷ୍ଟର ମେସିନ ସାହାଯ୍ୟରେ ଧାନ ଅମଳ କରୁଥିଲେ । ଏହି ସମୟରେ  ତାଙ୍କ ବାପା ଗଙ୍ଗା ନାରାୟଣ ପଢ଼ିଆରୀ ଓ ସାନ ପୁଅ ବିଜୁ ପଢ଼ିଆରୀ ମିଳିତ ହୋଇ ବଡ଼ ପୁଅ ସପନ ପଢ଼ିଆରୀଙ୍କ ଧାନ କ୍ଷେତରେ ପହଞ୍ଚି ଜୋରଜବରଦସ୍ତ ଭାଗ ଧାନ ଦେବା ପାଇଁ କହିଥିଲେ । ମାତ୍ର  ବଡ ପୁଅ ସପନ ଧାନ ଦେବାକୁ ମନା କରିବାରୁ ବାପ ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ସାନ ପୁଅ ଏବଂ ବାପା ମିଶି ବଡ ପୁଅ ସପନକୁ କଟୁରୀରେ ମରଣାନ୍ତକ ଆକ୍ରମଣ କରିବା ସହ ରଶିରେ ବାନ୍ଧି ପକାଇଥିଲେ । ଖବର ପାଇ ସପନଙ୍କ ସ୍ତ୍ରୀ ରଞ୍ଜିତା ଦୌଡି ଯାଇ ଧାନ ବିଲରେ ପହଞ୍ଚି  ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସାନ ପୁଅ ବିଜୁ ସପନଙ୍କ ସ୍ତ୍ରୀ  ରଞ୍ଜିତାଙ୍କୁ ଧାନ ବିଲ ମଝିରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ନିଜ ବଡ ପୁଅକୁ ରଶିରେ ବାନ୍ଧି ବୋହୂକୁ ଆକ୍ରମଣ କରି ତାଙ୍କ ବିଲରୁ ଜୋରଜବରଦସ୍ତ ଧାନ କାଟି ନେବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଡାଇ ଗୋଡାଇ ମାଡ ମାରିବା ଘଟଣା ସମୟର ଦୃଶ୍ୟରେ  ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି । ଖବର ପାଇ ଘଟଣାସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ସ୍ବାମୀ ସ୍ତ୍ରୀ ଦୁଇ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । କମର୍ଦ୍ଦା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.