ବାପାକୁ ହତ୍ୟା କରି ପୁଅର ଆତ୍ମହତ୍ୟା ଉଦ୍ୟମ, ବଡ ଡାକ୍ତରଖାନାରେ ମୃତ୍ୟୁ
22/03/2020 at 10:22 AM

ଚୌଦ୍ବାର ୨୨।୩: ଚୌଦ୍ବାର ସାମାନ୍ୟ ଘଟଣାକୁ ନେଇ ବାପାକୁ ହତ୍ୟା କଲା ପୁଅ। ତେବେ ବାପାଙ୍କୁ ହତ୍ୟା କରି ସାରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ପ୍ରାଣ ହରାଇଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଚୌଦ୍ବାର ପୌରପାଳିକାର ଏଗାର ନମ୍ବର ୱାର୍ଡ ଅନ୍ତର୍ଗତ ଓଟିଏମ କଲୋନୀରେ।
ସୂଚନାଯୋଗ୍ୟ ଯେ, ଏହି କଲୋନୀରେ ରହୁଥିବା କାଳୁ ଚରଣ ବେହେରା (୬୫)ଙ୍କର ପୁଅ ମୁନି ବେହେରାଙ୍କର ମାନସିକ ଅବସ୍ଥା ଭଲ ନଥିଲା। ଆଜି ସେ ରାତି ପ୍ରାୟ ୯ଟା ସମୟରେ ମୁନି ନିଜ ମା’ଙ୍କ ସହ କୌଣସି କଥାକୁ ନେଇ ପଟିତୁଣ୍ଡ କରିଥଲେ । ଏ ସମୟରେ ବାପା କାଳୁଚରଣ ତାକୁ ବୁଝାଇବାକୁ ଚେଷ୍ଟା କଲାରୁ ମୁନି ଉତକ୍ଷିପ୍ତ ହୋଇ ଏକ ଲୁହା ରଡରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ କାଳୁଙ୍କର ମୁଣ୍ଡ ଦୁଇଫାଳ ହୋଇଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାଦେଖି ପୁଅ ମୁନି ମାନସିକ ଭାରସାମ୍ୟ ହରାଇ ଏକ ଛୁରୀ ସାହାଯ୍ୟରେ ନିଜ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଦେଇଥିଲେ।
ପ୍ରବଳ ରକ୍ତ ସ୍ରାବ ଯୋଗୁଁ ସେ ଚେତାଶୂନ୍ୟ ହୋଇ ତଳେ ପଡିଯିବା ପରେ ତାଙ୍କ ମା’ କବାଟ ଖୋଲି ବାହାରକୁ ଆସି ଡାକ ପକାଇଥିଲେ। ପରେ ଖବର ପାଇ ଚୌଦ୍ବାର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମୁନିକୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ ପଠାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଚଳାଉଛି ।