ମା'କୁ ମାରି ପୋତିଦେଲା ଦୁର୍ବୁତ୍ତ, ଦୁର୍ଘଟଣାରେ ଚାଲିଗଲେ ବାପା : ୩ ବର୍ଷର ଶିଶୁ ମୁଣ୍ଡରେ ଛିଡିପଡିଲା ଆକାଶ

Published By : Prameya-News7 Bureau | July 01, 2020 IST

ବାଲିଆପାଳ ୦୧।୦୭ : ରବିବାର ଦିନ ମା’ ଦୁଷ୍କର୍ମ ପରେ ହତ୍ୟାର ଶିକାର ହେଲେ । ଖବର ପାଇ ଦୂରରେ ଥିବା ବାପା ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଥିଲା । ସେଠାରେ କୋମାରେ ଥିବାବେଳେ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଦମ୍ପତିଙ୍କର ଏକ ୩ ବର୍ଷର ପୁଅ ସାଇଶଙ୍କର ଏବେ ବେସାହାରା । ତିନି ଦିନ ହେଲା ମା’ଙ୍କୁ ଖୋଜି ନପାଇ ବିକଳ ହୋଇ କାନ୍ଦୁଛି । ଏଭଳି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ରବିବାର ଦିନ ଘର ପାଖ ପାନବରଜକୁ ସକାଳ ୮ଟାରୁ ପାଣି ଦେବାକୁ ଯାଇ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଚୌମୁଖ ଗ୍ରାମର ଜନ୍ମେଜୟ ପାତ୍ରଙ୍କ ପତ୍ନୀ ସୋନାଲୀ (୨୪) ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ଶାଶୂ ଶାନ୍ତିଲତାଙ୍କୁ କହିଯାଇଥିଲେ ଆସିଲେ ଭାତ ରାନ୍ଧିବି । ମାତ୍ର ବିଳମ୍ବ ହେବାରୁ ଶାଶୂ ଶାନ୍ତିଲତା ପଡ଼ୋଶୀ କେତେ ଜଣ ମହିଳାଙ୍କ ସହ ତାଙ୍କୁ ଖୋଜାଖୋଜି କରିବାକୁ ପାନବରଜ ପାଖକୁ ଯାଇଥିଲେ । ଗୋଟିଏ ସ୍ଥାନରେ ବାଲି ଉଚ୍ଚ ହୋଇଥିବା ଦେଖି ଶାଶୂଙ୍କ ମନରେ ସନ୍ଦେହ ହେଲା । ବାଲି ଆଡ଼େଇ ଦେଖିବାରୁ ପ୍ରଥମେ ସୋନାଲୀଙ୍କ ଗୋଡ଼ ଦୁଇଟି ଦେଖା ଯାଇଥିଲା । ଗୋଡ଼ ଟାଣିବାରୁ ବାଲି ଭିତରୁ ମୃତଦେହ ବାହାରିଥିଲା । ଦେହ ଗରମ ଥିବାରୁ କାଳେ ବଞ୍ଚିଥିବ ଭାବି ଖୋଜିବାକୁ ଯାଇଥିବା ମହିଳାମାନେ ତାଙ୍କ ମୁହଁକୁ ପାଣି ଚିଞ୍ଚିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ପାରିପାର୍ଶ୍ୱିକ ସ୍ଥିତି ତଥା ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତରେ ଯାଇଥିବା ପୁଲିସ ଗ୍ରାମର ମହେଶ୍ୱର ବେହେରା ଓରଫ ଧୂଳିଆକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ସୋନାଲୀଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ସ୍ୱୀକାର କରିଥିଲା । ସେପଟେ ଖବର ପାଇ ପେଶାରେ ଟ୍ରାକ୍ଟର ଡ୍ରାଇଭର ସୋନାଲୀଙ୍କ ସ୍ୱାମୀ ଜନ୍ମେଜୟ ପାତ୍ର ନିଜର କାର୍ଯ୍ୟସ୍ଥଳୀ ବାଲେଶ୍ୱର ସଦର ବ୍ଲକ ନଳବାହାରରୁ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଲଙ୍ଗଳେଶ୍ୱର ନିକଟରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରୁ ତାଙ୍କୁ କଟକ ପଠାଯାଇଥିଲା । ମଙ୍ଗଳବାର ଜନ୍ମେଜୟଙ୍କର ସେଠାରେ ମୃତ୍ୟୁ ହୋଇଯାଇଛି । ସୋମବାର ରାତିରେ ବାଲେଶ୍ୱରଠାରେ ସୋନାଲୀ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିନଥିଲେ ମଧ୍ୟ ମୃତ୍ୟୁବେଳକୁ ସୋନାଲୀ ଗର୍ଭବତୀ ଥିବା ପରିବାର ଲୋକେ କହିଛନ୍ତି । ଏଭଳି ନାରକୀୟ କାଣ୍ଡ ଘଟାଇଥିବା ମହେଶ୍ୱରକୁ ଫାଶୀ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । କିନ୍ତୁ କଥା ଆସି ଏଠି ପହଞ୍ଚିଯାଇଛି ଯେ, ୩ବର୍ଷର ଶିଶୁ ଟିଏ ନିଜ ମାଆ ଓ ବାପାଙ୍କୁ ହରାଇ ଏବେ ବେସାହାରା । ନିଜ ବାପା ଓ ମାଆଙ୍କୁ ହରାଇବା କଥା , ସେ ଜାଣିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.