ପିତା ମାତାଙ୍କୁ ନିର୍ଯ୍ୟାତନା ଦେଉଥିବା ପୁଅ-ବୋହୁଙ୍କୁ ପାନେ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଘରୁ ବାହାର କଲା ପୋଲିସ

Published By : Prameya-News7 Bureau | August 03, 2021 IST

କୋଲକାତା ୦୩/୦୮ : କୋଲକାତା ହାଇକୋର୍ଟଙ୍କ ଆଦେଶ ପାଳନ କରି ହୁଗୁଳୀ ଜିଲ୍ଲା ଉତ୍ତରପଡା ଥାନା ପୋଲିସ ବୃଦ୍ଧ ପିତାମାତାଙ୍କୁ ନିର୍ଯ୍ୟାତନା ଦେଉଥିବା ପୁଅ-ବୋହୁଙ୍କୁ ଘରୁ ବାହାର କରିଦେଇଛନ୍ତି। ଉତ୍ତରପଡା ଥାନା କ୍ଷେତ୍ରର ଭବାନୀ ସରଣୀ ଅଞ୍ଚଳରେ ବାସ କରୁଥିବା ବୃଦ୍ଧ ଦମ୍ପତି ପ୍ରତାପ ମୁଖୋପାଧ୍ୟାୟ ଏବଂ ତାଙ୍କ ପତ୍ନୀ ଅଞ୍ଜଳି ମୁଖୋପାଧ୍ୟାୟ ନିଜ ପୁଅ-ବୋହୁଙ୍କ ନିର୍ଯ୍ୟାତନା ସହି ନ ପରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ପୋଲିସକୁ ପ୍ରତାପ ମୁଖୋପାଧ୍ୟାୟଙ୍କ ପୁଅ-ବୋହୁଙ୍କୁ ଘରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ସୋମବାର ଦିନ ପୋଲିସ ପୀଡିତ ଦମ୍ପତିଙ୍କ ପୁଅ ସୁଶାନ୍ତ ଓ ବୋହୁ ପମ୍ପା ମୁଖୋପାଧ୍ୟାୟଙ୍କୁ ଘରୁ ବାହାର କରିଦେଇଥିଲା। ପ୍ରତାପ ମୁଖୋପାଧ୍ୟାୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ-ବୋହୁ ତାଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ଅନେକ ଦିନ ହେଲା ମାନସିକ ନିର୍ଯ୍ୟାତନା ଦେଉଥିଲେ। ମାମଲାର ସମାଧାନ ପାଇଁ ପୂର୍ବରୁ ସେ ଉତ୍ତରପଡା ଥାନାକୁ ଯାଇଥିଲେ। ପୋଲିସ ଅଧିକାରୀଙ୍କ ସହ କଥା ହୋଇ ମାମଲାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତଥାପି ପୁଅ-ବୋହୁଙ୍କ ବ୍ୟବହାରରେ କୌଣସି ସୁଧାର ହୋଇନଥିଲା।

ଶେଷରେ ୨୦୨୧ ଜୁନ ୨୧ ତାରିଖରେ ସେ କୋଲକାତା ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ। ପ୍ରତାପ ମୁଖୋପାଧ୍ୟାୟ କହିଛନ୍ତି, ୨୦୧୩ ମସିହାରୁ ତାଙ୍କ ପୁଅ-ବୋହୁ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି। କୋର୍ଟ ପ୍ରତାପ ମୁଖୋପାଧ୍ୟାୟଙ୍କ ବିନା ଅନୁମତିରେ ଉଭୟଙ୍କୁ ଘରେ ପ୍ରବେଶ କରିବାକୁ ପ୍ରତିବନ୍ଧକ ଲଗାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.