ଔରଙ୍ଗାବାଦ୧୨/୧୨: ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମା’ଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ ଅଭିଯୋଗରେ ପୁଅକୁ ପୋଲିସ ଗିରଫ କରିଛି। ଅନ୍ୟପଟେ ପୀଡ଼ିତା ମହିଳାଙ୍କ ଦ୍ବିତୀୟ ସ୍ବାମୀଙ୍କୁ ୧୩ ବର୍ଷର ଝିଅକୁ ଯୌନ ଉତ୍ପୀଡ଼ନା ଅଭିଯୋଗରେ ମଧ୍ୟ ପୋଲିସ ବାନ୍ଧିଛି। ପୀଡ଼ିତା ମହିଳାଙ୍କ ନିଜ ପୁଅ ଓ ତାଙ୍କ ଦ୍ବିତୀୟ ସ୍ବାମୀର ଏଭଳି ଘୃଣ୍ୟକାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନା ସୃଷ୍ଟି ହୋଇଛି।
ପୋଲିସର ସୂଚନା ଅନୁସାରେ ସାତ ବର୍ଷ ତଳେ ପୀଡ଼ିତା ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇ ସାରିଛି। ପୀଡ଼ିତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ । ଏକ ଘରୋଇ ହସ୍ପିଟାଲରେ ପୀଡ଼ିତା ମହିଳା କାମ କରନ୍ତି। ସ୍ବାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ମହିଳା ଦ୍ବିତୀୟ ବିବାହ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ମହିଳାଙ୍କ ଦ୍ବିତୀୟ ସ୍ବାମୀ ଓ ପୁଅ ନିଶା ଖୋର୍ ଥିଲେ। ଅଭିଯୁକ୍ତ ପୁଅ ନିଶା ଖାଇବା ପାଇଁ ମାଆଙ୍କୁ ଟଙ୍କା ମାଗୁ ଥିଲେ। ମାତ୍ର ଟଙ୍କା ଦେବା ପାଇଁ ମାଆ ମନା କଲେ ଅଭିଯୁକ୍ତ ପୁଅ ତାଙ୍କୁ ମାରପିଟ୍ କରିବା ସହ ଦୁର୍ବ୍ୟବହାର କରୁଥିଲା। ଏ ନେଇ ପୀଡ଼ିତା ମହିଳା ଥାନାରେ ନିଜ ପୁଅ ନାଁରେ ଦୁର୍ବ୍ୟବହାର ଓ ଅସଦାଚରଣ ଅଭିଯୋଗ କରିଛନ୍ତି।
ପୀଡ଼ିତା ମହିଳା ଅଭିଯୋଗ ଉଲ୍ଲେଖ କରିଥିଲେ ଯେ ଗତ ୩ ମାସଧରି ଅଭିଯୁକ୍ତ ପୁଅ ତାଙ୍କୁ ଅସଦାଚରଣ କରିବା ସହ ମାରପିଟ୍ କରୁଥିଲା। ମାଆଙ୍କୁ ଦେଉଥିବା ନିର୍ଯାତନା ସଂପର୍କରେ କାହା ପାଖରେ କହିଲେ ଜୀବନରୁ ମାରି ଦେବ ବୋଲି ଅଭିଯୁକ୍ତ ପୁଅ ଧମକ ଦେଉଥିଲା। ଶେଷରେ ପୁଅର ଏଭଳି ନିର୍ଯାତନା ସହି ନ ପାରି ପୀଡ଼ିତା ମହିଳା ପୋଲିସର ଦ୍ବାରସ୍ଥ ହୋଇଛନ୍ତି।
ଅନ୍ୟପଟେ ପୀଡ଼ିତା ମହିଳାଙ୍କ ଦ୍ବିତୀୟ ସ୍ବାମୀ ମଧ୍ୟ ନିଶାଖୋର୍ ଥିଲେ। ନିଶା ଖାଇବା ପରେ ଅଭିଯୁକ୍ତ ସ୍ବାମୀକୁ ୧୩ ବର୍ଷ ଝିଅକୁ ଯୌନ ଉତ୍ପୀଡ଼ନା କରିବା ଅଭିଯୋଗରେ ମଧ୍ୟ ପୋଲିସ ଗିରଫ କରିଛି। ଏହି ଘଟଣାରେ ପୋଲିସ ମହିଳାଙ୍କ ଦ୍ବିତୀୟ ସ୍ବାମୀ ଓ ତାଙ୍କ ନିଜ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି।