ଏଫଏଟିଏଫ ସିଧା ପାକିସ୍ତାନକୁ ଦେଲା ଚେତାବନୀ : ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହଫିଜ ସୟିଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ହୋଇପାରେ ବ୍ଲାକଲିଷ୍ଟ
7/10/2019 at 2:14 PM

ନୂଆଦିଲ୍ଲୀ ୭/୧୦: ପାକିସ୍ତାନକୁ ପୁଣି ଏକ ଝଟକା ଲାଗିବାକୁ ଯାଉଛି। କାରଣ ଆନ୍ତର୍ଜାତିକ ସ୍ତରରୁ ପାଣ୍ଠି ଉଠାଇବା ଲାଗି ପାକିସ୍ତାନ ଯେତିକି ବିକଳ ହେଉଛି ତାକୁ ସେହି ଅନୁସାରେ ଲାଗୁଛି ଧକ୍କା। କଲା କର୍ମ ପାଇଁ ଏବେ ପାକିସ୍ତାନ ଏଭଳି ଦଶା ଭୋଗୁଛି। ଆନ୍ତର୍ଜାତିକ ଅର୍ଥନୈତିକ ପରିଚାଳନା ମନିଟରିଂ କରୁଥିବା ସଂସ୍ଥା ଏଫଏଟିଏଫ ସିଧା ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହଫିଜ ସୟିଦ ବିରୋଧରେ ଯଥେଷ୍ଟ ପଦକ୍ଷେପ ନେଇନାହିଁ।
ଜାତିସଂଘ ଦ୍ବାରା ଘୋଷିତ ଆତଙ୍କବାଦୀଙ୍କୁ ପାକିସ୍ତାନ ଶରଣ ଦେଇଥିବା ବେଳେ ସେମାନଙ୍କୁ ଆର୍ଥିକ ସହାୟତା ଦେଉଛି। ଯଦିଓ ପାକିସ୍ତାନ ଏଦିଗରେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛି, କିନ୍ତୁ ଏଫଏଟିଏଫ ଏଥିରେ ସନ୍ତୋଷ ପ୍ରକାଶ କରିନାହିଁ। ତେଣୁ ପାକିସ୍ତାକୁ ପୂର୍ବରୁ ଗ୍ରେ ଲିଷ୍ଟରେ ରଖିଥିଲା। ଏହି ସମୟରେ ଏଫଏଟିଏଫର ୪୦ଟି ପାରାମିଟର ମଧ୍ୟରୁ ପାକିସ୍ତାନ ୩୬ଟିକୁ ଆଂଶିକ ପୂର୍ଣ୍ଣ କରୁଥିଲା।
ତେଣୁ ଏଫଏଟିଏଫ ପାକିସ୍ତାନକୁ ନିଜ ସ୍ଥିତିରେ ଉନ୍ନତି ଆଣିବା ଲାଗି ଚେତାବନୀ ଦେଇଥିଲା। ତେବେ ଆଜି ପ୍ରକାଶିତ ସଦ୍ୟ ରିପୋର୍ଟରେ ପାକିସ୍ତାନ ସେଭଳି କିଛି ଉଲ୍ଲେଖନୀୟ ଉନ୍ନତି ଆଣିପାରିନାହିଁ। ଯେଉଁଥିପାଇଁ ପାକିସ୍ତାନକୁ କଳାତାଲିକାଭୁକ୍ତ କରାଯାଇପାରେ। ଅକ୍ଟୋବର ୧୩ରୁ ୧୮ ପ୍ୟାରିସରେ ଏଫଏଟିଏଫର ପ୍ଲିନାରି ବସିବ। ତେଣୁ ଏଥିରେ ପାକିସ୍ତାନ ଏକଘରିକିଏ ହେବା ଏକ ପ୍ରକାରର ଥୟ।