ସାଂଘାତିକ ଅବହେଳା ! ଦିଲ୍ଲୀ ବିସ୍ଫୋରଣ ସ୍ଥଳ ନିକଟରେ କାମ କରୁନଥିଲା ସିସିଟିଭି କ୍ୟାମେରା, ଚିନ୍ତାରେ ଯାଞ୍ଚ ଅଧିକାରୀ

Published By : Prameya-News7 Bureau | January 30, 2021 IST

ନୂଆଦିଲ୍ଲୀ ୩୦/୦୧ : ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ଶୁକ୍ରବାର ହୋଇଥିବା ବିସ୍ଫୋରଣ ପରେ ସଜାଗ ହୋଇଉଠିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, NIA ଏବଂ କ୍ରାଇମବ୍ରାଞ୍ଚ  । ତେବେ ବର୍ତ୍ତମାନ ଯାଏଁ ଯାଞ୍ଚ ଏଜେନ୍ସିମାନଙ୍କୁ ସେଭଳି ଠୋସ୍ ପ୍ରମାଣ ମିଳିପାରିନାହିଁ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବିସ୍ଫୋରଣ ସ୍ଥଳ ନିକଟରେ ଥିବା ସିସିଟିଭି କ୍ୟାମେରା କାମ କରୁନାହିଁ ।

ଯାଞ୍ଚ କରୁଥିବା ଅଧିକାରୀମାନେ ଏନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ ସ୍ଥାନ ହୋଇଥିଲେ ସୁଦ୍ଧା ସେଠାରେ ସିସିଟିଭି କିପରି କାମ କରୁନଥିଲା ତାହା ଯାଞ୍ଚ ଅଧିକାରୀମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଅନ୍ୟ ସ୍ଥାନରୁ କିଛି ସିସିଟିଭି ଫୁଟେଜ୍ ଯାଞ୍ଚ ଏଜେନ୍ସି ହାତରେ ଲାଗିଛି । କିନ୍ତୁ ସେଥିମଧ୍ୟରୁ ଏଯାଏଁ କୌଣସି ଠୋସ୍‌ ପ୍ରମାଣ ମିଳିପାରିନାହିଁ ।

ଅନ୍ୟ ଏକ ସୂତ୍ରରୁ ଜଣାପଡିଛି ଯେ ଫୋରେନସିକ୍ ବିଶେଷଜ୍ଞମାନେ କିଛି ନମୁନା ସଂଗ୍ରହ କରିଛନ୍ତି ଯାହାକି ବିସ୍ଫୋରଣରେ ବ୍ୟବହୃତ ରାସାୟନିକ ପଦାର୍ଥ ବିଷୟରେ ସୂଚନା ପାଇବାରେ ସହାୟକ ହେବ ବୋଲି ଆଶାକରାଯାଉଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ ବିସ୍ଫୋରକ ତିଆରିରେ ବ୍ୟବହୃତ ହେୟାର ବିୟରିଂର କିଛି ଅଂଶ ଭୂମିରେ ବିଛାଡି ହୋଇଥିବାର ଦେଖିବାକୁ ମିଳିଥିଲା ​​ଏବଂ ବିସ୍ଫୋରଣର ପ୍ରଭାବ ଉକ୍ତ ସ୍ଥାନର ୨୦ରୁ୨୫ ମିଟର ମଧ୍ୟରେ ଅନୁଭୂତ ହୋଇଥିଲା ।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ଔରଙ୍ଗଜେବ୍‌ ରୋଡରେ ଥିବା ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ସ୍ୱଳ୍ପ ତୀବ୍ରତା IED ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ କେହି ଆହତ ହୋଇନାହାଁନ୍ତି । ଏଥିରେ ନିକଟରେ ଥିବା ୩/୪ଟି କାର କ୍ଷତିଗ୍ରସ୍ତ ହୋଇଛି । ଅନୁସନ୍ଧାନକାରୀମାନେ ବିସ୍ଫୋରଣ ସ୍ଥଳରେ ଇସ୍ରାଏଲ୍ ଦୂତାବାସର ଠିକଣା ଥିବା ଏକ ଲଫାପା ପାଇଥିଲେ । ଏ ବାବଦରେ ଏକ ମାମଲା ରୁଜୁ ହୋଇଛି ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.