ଅନ୍ଧବିଶ୍ବାସ : ବାପାଙ୍କ ଆତ୍ମାକୁ ବାହାର କରିବା ପାଇଁ ଫ୍ୟାସନ ଡିଜାଇନର ମାଆକୁ ହତ୍ୟା କରିଥିଲା ପୁଅ

Published By : Prameya-News7 Bureau | October 08, 2018 IST

ପାନିପଥ ୮|୧୦: ଅନ୍ଧବିଶ୍ବାସ କାରଣରୁ ମାଆକୁ ହତ୍ୟା କରିଥିଲା ପୁଅ । ମୁମ୍ବାଇ ଲୋଖଣ୍ଡଓ୍ବାଲାରେ ଅକ୍ଟୋବର ୪ତାରିଖରେ ନିଜ ବାଥ୍‌ ରୁମରେ ୪୫ ବର୍ଷ ବୟସ୍କା ଫେଶନ ଡିଜାଇନର ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି ।   ଅକ୍ଟୋବର ୪ତାରିଖରେ ଫ୍ୟାସନ ଡିଜାଇନର ସୁନୀତା ସିଂହଙ୍କ ମୃତଦେହ ତାଙ୍କ ଗାଧୁଆଘରୁ ମିଳିଥିଲା । ଅନ୍ଧବିଶ୍ବାସ କାରଣରୁ ତାଙ୍କ ପୁଅ ଲକ୍ଷ୍ୟ ହିଁ ସୁନୀତାଙ୍କୁ ହତ୍ୟା କରିଥିଲା । ସୁନୀତାଙ୍କ ପୁଅ ଲକ୍ଷ୍ୟ କହିଛି ଯେ, ସେ ଜାଣିଶୁଣି ତା ମାଆଙ୍କୁ ହତ୍ୟା କରିନାହିଁ । ସେ କେବଳ ତାଙ୍କ ବାପାଙ୍କର ଆତ୍ମାକୁ ମାଆଙ୍କ ଶରୀର ଭିତରୁ ବାହାର କରିବା ପାଇଁ ଚାହୁଁଥିଲା । ତା ବାପାଙ୍କ ଆତ୍ମା ତା ମାଆଙ୍କ ଭିତରେ ରହିଥିଲା ବୋଲି ସେ ଭାବୁଥିଲା । ଘଟଣା ଦିନ ଲକ୍ଷ୍ୟ ଦିନ ୩ଟା ବେଳେ ସାଙ୍ଗ ନିଖିଳ ରାୟ ଏବଂ ତା ଭାବିପତ୍ନୀ ଐଶପ୍ରିୟା ବାନାର୍ଜୀଙ୍କ ସହ ଲୋଖଣ୍ଡଓ୍ବାଲା ସ୍ଥିତ ଫ୍ଲାଟ୍ ରେ ପହଞ୍ଚିଥିଲା । କୌଣସି କାରଣରୁ ମାଆଙ୍କ ସହ ତାର ଯୁକ୍ତିତର୍କ ହୋଇଥିଲା । ସେ ରାଗିଯାଇ ସୁନୀତାଙ୍କୁ ଗାଧୁଆଘରେ ବନ୍ଦ କରିଦେଇ ସେଠାରୁ ପଳାଇଥିଲା । ସେଦିନ ସେ ଜଣେ ପଣ୍ଡିତଙ୍କ ପାଖକୁ ମଧ୍ୟ ଯାଇଥିଲା । ପଣ୍ଡିତଙ୍କ ସହଯୋଗରେ ସେ ତା ମାଆଙ୍କ ଶରୀର ଭିତରେ ରହିଥିବା ବାପାଙ୍କ ଆତ୍ମାକୁ ବାହାର କରିପାରିବ ବୋଲି ଭାବୁଥିଲା । ରାତି ୮ଟା ବେଳେ ଯେତେବେଳେ ସେ ଘରକୁ ଫେରିଥିଲା ସେତେବେଳେ ଦେଖିଥିଲା ଯେ ତାଙ୍କ ମାଆ ଗାଧୁଆଘର ଚଟାଣରେ ବେହୋସ ହୋଇ ପଡିଛନ୍ତି । ଫଳରେ ସେ ଡରିଯାଇ ତା ସାଙ୍ଗକୁ ଫୋନ୍ କରି ସବୁ କଥା କହିଥିଲା । ତା ସାଙ୍ଗ ତାକୁ ପୋଲିସକୁ ଜଣାଇବାକୁ କହିଥିଲା । ଲକ୍ଷ୍ୟ ତୁରନ୍ତ ମାଆଙ୍କୁ ହସ୍ପିଟାଲ ନେବାପାଇଁ ଆମ୍ବୁଲାନ୍ସ ଡକାଇଥିଲା ମାତ୍ର ସେତେବେଳକୁ ତାଙ୍କ ମାଆଙ୍କ ମୃତ୍ୟୁ ହୋଇସାରିଥିଲା । ପୋଷ୍ଟ ମର୍ଟମରୁ ଜଣାପଡିଥିଲା ଯେ ସୁନୀତାଙ୍କ ମୁହଁ ଏବଂ ବେକରେ ଗଭୀର ଆଘାତ ଲାଗିଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଲକ୍ଷ୍ୟ କହିଥିଲା ଯେ ସେ ତାଙ୍କ ମାଆଙ୍କୁ ଗାଧୁଆ ଘରେ ବନ୍ଦ କରିବା ପୂର୍ବରୁ ମାଡ ମଧ୍ୟ ମାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.