ପାକିସ୍ତାନକୁ ଫାରୁକ ଅବଦୁଲ୍ଲାଙ୍କ ଜବାବ, କହିଲେ ଆମେ କାହା ହାତର ଖେଳନା ନୋହୁଁ

Published By : Prameya-News7 Bureau | August 30, 2020 IST

ଜମ୍ମୁ-କାଶ୍ମୀର ୩୦।୮:  ‘ଗୁପକର ଘୋଷଣାପତ୍ର’ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି ଜମ୍ମୁ-କାଶ୍ମୀର ନ୍ୟାସନାଲ ଫ୍ରଣ୍ଟ ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା। ରାଜ୍ୟର ୬ ପ୍ରମୁଖ ରାଜନୈତିକ ଦଳଙ୍କ ଏହି ଘୋଷଣାପତ୍ରକୁ ପାକିସ୍ତାନ ଉଚ୍ଚ ପ୍ରଶଂସା କରିଥିଲା। ତେବେ ଏପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟଧାରାରେ ଥିବା ରାଜନୈତିକ ଦଳଙ୍କୁ ଅପମାନିତ କରିଆସୁଥିବା ପାକିସ୍ତାନକୁ ସେମାନଙ୍କ ନିଷ୍ପତ୍ତି କିପରି ପସନ୍ଦ ହେଲା ବୋଲି ଫାରୁକ୍ ଅବଦୁଲ୍ଲା ପ୍ରଶ୍ନ କରିଛନ୍ତି। ସେହିପରି କାଶ୍ମୀର ଅଥବା କାଶ୍ମୀରର ନାଗରିକ କାହା ହାତର ଖେଳନା ନୁହଁନ୍ତି ବୋଲି ସ୍ପଷ୍ଟ କରିଦେଇଛନ୍ତି।

ଜମ୍ମୁ-କାଶ୍ମୀରର ପ୍ରମୁଖ ୬ ରାଜନୈତିକ ଦଳ ଗୁପକର ଘୋଷଣା ପତ୍ର ନାମରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରିଛନ୍ତି। ଏଥିରେ ଜମ୍ମୁ-କାଶ୍ମୀରରେ ୫ ଅଗଷ୍ଟ ୨୦୧୯ ପୂର୍ବର ପରିସ୍ଥିତି ପୁଣି ଫେରାଇ ଆଣିବା ଲାଗି ମିଳିତ ଉଦ୍ୟମ କରିବେ ବୋଲି ସହମତ ହୋଇଛନ୍ତି। ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଭାରତ ସରକାର ସମ୍ବିଧାନ ସଂଶୋଧନ କରି ଜମ୍ମୁ-କାଶ୍ମୀର ଉପଭୋଗ କରୁଥିବା ଅନୁଚ୍ଛେଦର ୩୭୦ ଧାରା ଓ ୩୫-ଏକୁ ଅକାମୀ କରିଥିଲେ। ଏହା ସହ କାଶ୍ମୀରକୁ ଦେଶର ଅନ୍ୟ ରାଜ୍ୟଙ୍କ ଭଳି ଏକ ରାଜ୍ୟରେ ପରିଣତ କରିଦିଆଯିବା ସହ କେନ୍ଦ୍ର ସରକାର ଏହାକୁ ଲଦ୍ଦାଖ ଓ ଜମ୍ମୁ-କାଶ୍ମୀର ନାମରେ ଦୁଇ କେନ୍ଦ୍ର ଶାସିତ ପ୍ରଦେଶରେ ବାଣ୍ଟି ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଜମ୍ମୁ-କାଶ୍ମୀର ନାଗରିକଙ୍କ ସମେତ ରାଜନୈତିକ ଦଳଙ୍କୁ ଅସନ୍ତୁଷ୍ଟ କରିଛି। ତେବେ ଏଥିରେ ସବୁଠୁ ବେଶି ଅସନ୍ତୁଷ୍ଟ ହୋଇପଡ଼ିଛି ପାକିସ୍ତାନ। ଜମ୍ମୁ-କାଶ୍ମୀର ସହ କୌଣସି ନେଣଦେଣ ନଥାଇ ମଧ୍ୟ ରାଜ୍ୟର ଆଭ୍ୟନ୍ତରିଣ ପ୍ରସଙ୍ଗରେ ଅଯଥା ହସ୍ତକ୍ଷେପ କରୁଛି। ଏଥିରେ ଗୁପକର ଘୋଷଣାପତ୍ରକୁ ପାକିସ୍ତାନ ସରକାର ଓ ରାଜନୈତିକ ଦଳମାନେ ବେଶ ପସନ୍ଦ କରିଥିଲା।

ତେବେ ଫାରୁକ ଏହାର ଜବାବରେ ପାକିସ୍ତାନକୁ ରାଜ୍ୟ ଭିତରକୁ ସଶସ୍ତ୍ର ଲୋକଙ୍କୁ ପଠାଇବା ବନ୍ଦ କରୁବୋଲି କଡା ଶବ୍ଦରେ କହିଥିବା ବେଳେ ଆମେ ରାଜ୍ୟରେ ରକ୍ତପାତ ସମାପ୍ତ କରିବାକୁ ଚାହୁଁଥିବା ଜଣାଇ ଦେଇଛନ୍ତି। ଜମ୍ମୁ-କାଶ୍ମୀରର ସମସ୍ତ ରାଜନୈତିକ ଦଳ ନିଜର ଅଧିକାର ଲାଗି ଶାନ୍ତିପୂର୍ଣ୍ଣ ଢଙ୍ଗରେ କିପରି ଲଢେଇ କରାଯାଇ ପାରିବ ଜାଣନ୍ତି। ରାଜନୈତିକ ଦଳମାନେ ଜମ୍ମୁ-କାଶ୍ମୀର ଜନତାଙ୍କ ନିକଟରେ ଉତ୍ତରଦାୟୀ ଓ ସେମାନଙ୍କ ଲାଗି କାମ କରିବାକୁ ପ୍ରତିବଦ୍ଧ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.