କଏଦୀଙ୍କ ହାତରେ ଖେଳୁଛି ସୁନାର ଫସଲ

Published By : Prameya-News7 Bureau | January 18, 2022 IST

ଉଦଳା ୧୮/୦୧; ଫୁଲଠୁ ଆରମ୍ଭ କରି ପନିପରିବା। କ୍ଷେତରେ ଖେଳୁଛି ସୁନାର ଫସଲ। ସେ ଗୋଲାପ ଫୁଲ ହେଉ ଅବା ପତ୍ର କୋବି, ଭଣ୍ଡା ହେଉ ବା କଦଳୀ। ହୃଷ୍ଟ ପୃଷ୍ଟ ପନିପରିବାରେ ଭରି ରହିଛି କ୍ଷେତ। ଏସବୁ ଫସଲ ପଛରେ ରହିଛି କିଛି କଏଦୀଙ୍କ ହାତ। ଏ କଥା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏ କ୍ଷେତ ଜେଲ୍‌ ପରିସରର। କିଛି କଏଦୀ ମିଶି ଏହି ଫସଲ କରିଛନ୍ତି।

ଉଦଳା ଉପକାରାଗାରରେ ଏବେ ୪ ଜଣ ଆଜୀବନ ସଜା କାଟୁଥିବା କଏଦୀ ରହିଛନ୍ତି । ଜେଲ ପରିସରରରେ ସେମାନେ ଆରମ୍ଭ କରିଛି ଚାଷ କାମ । ଯାହାକୁ ଦେଖିଲେ ଆପଣ ବି ଭ୍ରମରେ ପଡିବେ ଯେ ଏହା କୌଣସି ପରିବା ଚାଷୀଙ୍କ କ୍ଷେତ ନୁହେଁ ତ। ଜେଲ ପରିସରେ ବିଭିନ୍ନ ପ୍ରକାର ପନିପରିବା ଯଥା ଭେଣ୍ଡି, ବନ୍ଧାକୋବି, ଫୁଲକୋବି, ଅମୃତଭଣ୍ଡା, କଦଳୀ, ଶାଗ ଚାଷ କରିଛନ୍ତି କଏଦୀ। ପରିବା ଚାଷ ସହ  ବିଭିନ୍ନ ଫୁଲଗଛ ମଧ୍ୟ ଲଗାଇଛନ୍ତି। ବଜାର ଠାରୁ କମ୍‌ ଦାମରେ ଏହି ପରିବା ମିଳୁଥିବା ବେଳେ ବିନା କୌଣସି ରାସାୟନିକ ସାରରେ ଏହି ପନିପରିବା ଚାଷ କରାଯାଉଛି । ଜୈବିକ ଉପାୟରେ କଏଦୀମାନେ ଏହି ଚାଷ କରୁଛନ୍ତି। ଏଥିପାଇଁ ଜେଲ ତରଫରୁ ତାଙ୍କୁ  କିଛି ଇନସେନଟିଭ୍‌ ମଧ୍ୟ ମିଳୁଛି ।
ସକାଳ ହେଲେ ହାତରେ କୋଦାଳ ଧରି କଏଦୀ ଲାଗିପଡନ୍ତି ଚାଷ କାମରେ । କିପରି ଭଲ ଫଳଟିଏ ପାଇବେ ଏବଂ ଦି ପଇସା ରୋଜଗାର କରିପାରିବେ ସେହି ଆଶାରେ କଟୁଥାଏ ଦିନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.