ଲଗାଣ ବର୍ଷାରେ ଚାଷୀ ବେହାଲ: ପାଚିଲା ଧାନ ଉପରେ ମାଡିଲା ପାଣି, ପୁଣି ୧୭ରୁ ବଢିବ ବର୍ଷା, ଫସଲ ଅମଳ ହେବ କେମିତି ?

Published By : Prameya-News7 Bureau | November 13, 2021 IST

ଭୁବନେଶ୍ଵର ୧୩।୧୧: ଲଗାଣ ବର୍ଷା ରାଜ୍ୟର ଚାଷୀଙ୍କୁ ବେହାଲ କରି ଦେଇଛି। ଦକ୍ଷିଣ ଓ ଉପକୂଳ ଜିଲ୍ଲାର ଚାଷ ସବୁଠୁ ବେଶୀ ପ୍ରଭାବିତ ହୋଇଛି । ଅମଳ ସମୟରେ ଜମିରେ ବର୍ଷା ପାଣି ଠିଆ ହୋଇଛି । ଆଖି ସାମ୍ନାରେ ଫସଲ ଉଜୁଡିବା ଦେଖି ଚାଷୀ  ଏବେ ଚିନ୍ତାରେ ।  ଏଣେ ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଓ୍ବେଲୋ ଓ୍ବାର୍ଣିଂ ଜାରି କରିଛି ପାଣିପାଗ ବିଭାଗ।  ଏପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଛି, ଯାହାଫଳରେ ୧୭ରୁ ପୁଣି ବର୍ଷା ବଢିବ ।

{"id":543378,"sizeSlug":"full","linkDestination":"none"}

ରାଜ୍ୟରୁ ମୌସୁମି ଫେରିଗଲାଣି ତଥାପି ଲଗାଣ ବର୍ଷାରେ ବେହାଲ ସ୍ଥିତି। କେଉଁଠି  ଚାଷ ଜମିରେ ପାଣି ମାଡିଯାଇଛି,  କେଉଁଠି ଘର  ଭିତରେ ପାଣି ଲହଡି ମାରୁଛି । ରାଜ୍ୟର ଅନେକ ସ୍ଥାନରେ ଏମିତି ଅବସ୍ଥା। ଖାସ କରି ଦକ୍ଷିଣ ଏବଂ ଉପକୂଳ ଓଡିଶାରେ ଚାଷୀ ଉପରେ ଚଡ଼କ ପଡିଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଶହ ଶହ ଏକର ଚାଷ ଜମିରେ ପାଣି ମାଡି ଯାଇଛି । କେଉଁଠି ଧାନ କଟା ହୋଇ ପଡିଛି, କେଉଁଠି ପାଚିଲା ଧାନ କ୍ଷେତ  । ଏସବୁ ପାଣି ତଳେ ଏକାକାର ହୋଇ ଯାଇଛି । ଧାନ ଠାରୁ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଶୀତ ଦିନିଆ ପନିପରିବା ଫସଲ ମଧ୍ୟ ନଷ୍ଟ ହେବାର ଆଶଙ୍କା ବଢି ଯାଇଛି ।

{"id":543379,"sizeSlug":"full","linkDestination":"none"}

ଲଗାଣ ବର୍ଷାରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ । ବ୍ରହ୍ମପୁର ସହରର ଅନେକ ତଳି ଅଞ୍ଚଳ ଜଳବନ୍ଦୀ । କାହା ଘର ଭିତରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ପାଣି।  ପୁରୀ ବଡ଼ ଦାଣ୍ଡରେ ଲହଡି ମାରୁଛି ବର୍ଷା ପାଣି । ଅନେକ ସ୍ଥାନରେ ରାସ୍ତାଘାଟରେ ପାଣି ଚାଲୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରେ ୧୭୦.୬ ମିଲିମିଟର ଏବଂ ପୁରୀରେ ୧୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

{"id":543380,"sizeSlug":"full","linkDestination":"none"}

ନିମ୍ନଚାପ ରେଖା ପ୍ରଭାବରେ ବର୍ଷା ହେଉଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ତମିଲନାଡୁରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଥିବା ଏହି ନିମ୍ମଚାପ ରେଖା ପ୍ରଭାବରେ ରାଜ୍ୟରେ ବର୍ଷା ହୋଇଛି । ଆସନ୍ତାକାଲି ପାଇଁ ୭ ଜିଲ୍ଲା ଖୋର୍ଦ୍ଧା , ପୁରୀ, ଗଞ୍ଜାମ, ଗଜପତି, କଟକ, ନୟାଗଡ଼, ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ଦକ୍ଷିଣ ଆଣ୍ଡମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । । ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେବ । ଅଧିକ ଘନୀଭୂତ ହୋଇ ୧୮ ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଆସନ୍ତା ୧୭ତାରିଖରୁ ପୁଣି ବର୍ଷା ବଢିବ । ଯାହା ବେଡି ଉପରେ କୋରଡା ମାଡ ଭଳି ।

ବର୍ଷା ଯୋଗୁଁ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଶୀତ କମ ଅନୁଭବ ହେବ । ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ତେବେ ବର୍ଷା ଛାଡିବା ପରେ ଶୀତ ବଢିବ ବୋଲି ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.