ସମ୍ଭାବ୍ୟ ବର୍ଷାକୁ ଦେଖି ଚିନ୍ତାରେ ଚାଷୀକୂଳ, ଉଜୁଡିଯିବ ବର୍ଷକର ସମ୍ପତ୍ତି !

Published By : Prameya-News7 Bureau | November 30, 2021 IST

ଭୁବନେଶ୍ଵର ୩୦।୧୧: ଭୁବନେଶ୍ଵର  ଆସୁଛି ବାତ୍ୟା । ଡିସେମ୍ବର ୪ ତାରିଖରେ ଉପକୂଳ ଓଡ଼ିଶାରେ ପହଞ୍ଚିବ ବାତ୍ୟା । ସେପଟେ ସମ୍ଭାବ୍ୟ ବର୍ଷାକୁ ଦେଖି ଚାଷୀକୂଳ ଏବେ ଚିନ୍ତାରେ । ଯେ କୌଣସି ପ୍ରକାରେ ପାଚିଲା ଧାନକୁ ବିଲରୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଚାଷୀ ତରତର । ଗତ ଲଘୁଚାପ ବର୍ଷାର ପାଣି ଏ ପର୍ଯ୍ୟନ୍ତ ବିଲରୁ ସୁଖି ନାହିଁ । ଏ ପଟେ ପୁଣି ପାଣିପାଗ ବିଭାଗ ଲଘୁଚାପ ଆସୁଥିବା ନେଇ ସତର୍କ କରାଇବା ପରେ ପାଚିଲା ଧାନକୁ ବିଲରୁ ସାଉଁଟି ଆଣୁଛି ଚାଷୀ । ଧାନ କ୍ଷେତରୁ ଫସଲ ଅମଳ ଖଳାକୁ ନେଇ ସୁରକ୍ଷିତ ସ୍ଥାନରେ ସାଇତି ରଖିବ ସେଥିପାଇଁ ରାତିଦିନ ଏକ କରିଦେଇଛନ୍ତି ।

{"id":552259,"sizeSlug":"full","linkDestination":"none"}

ଆସୁଛି ବାତ୍ୟା । ଚାଷୀ ମୁଣ୍ଡରେ ଚଡକ । କାରଣ ବିଲରେ ଲହଡି ଭାଙ୍ଗୁଛି ସୁନାର ଫସଲ । ବର୍ଷା ହେଲେ ଉଜୁଡିଯିବ ତାର ବର୍ଷକର ସମ୍ପତ୍ତି । ସବୁକିଛି ଧୋଇଯିବ । ଏହି ଭୟରେ ଏବେ ଚାଷୀ ଯେ କୌଣସି ପ୍ରକାରେ ଧାନ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଛି । ଲଘୁଚାପ ଓ ବାତ୍ୟା ଖବର ଶୁଣି ଚାଷୀ ତରବରିଆ ଭାବେ ବୋହି ନେଉଛନ୍ତି କଞ୍ଚା ପାଚିଲା ଧାନ । କିଏ ହାତରେ ତ ଆଉ କିଏ କଟର ମେସିନ୍ ଲଗାଇ ଧାନ କାଟୁଛନ୍ତି । ଛୋଟରୁ ବଡ, ପରିବାରର ସମସ୍ତେ କ୍ଷେତରୁ ଧାନ ସଂଗ୍ରହ ପାଇଁ ଲାଗି ପଡିଛନ୍ତି ।

{"id":552260,"sizeSlug":"full","linkDestination":"none"}

ବାଲେଶ୍ଵର ଅଞ୍ଚଳରେ ବାତ୍ୟା ଖବର ଶୁଣି ଚାଷୀ ବିଲରୁ କିପରି ଧାନକୁ ଖଳାକୁ ଆଣିବ ଲାଗିପଡିଛି । କେଉଁଠି ହାର୍ଭେଷ୍ଟର ମେସିନ ତ ଆଉ କେଉଁଠି ଚାଷୀ ତା ସପରିବାର କ୍ଷେତରେ ପଡି ଧାନ କାଟୁଛନ୍ତି । ବାଲେଶ୍ଵର ହେଉ କି ଭଦ୍ରକ କିମ୍ବା ଗଜପତି । ଉପକୂଳ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଚାଷୀ ତାର ଫସଲ ବଞ୍ଚାଇବା ପାଇଁ ଦିନରାତି ଏକ କରିଦେଇଛନ୍ତି । ସେପଟେ କୃଷି ବିଭାଗର ଅଧିକାରୀମାନେ ବି ମାଇକ୍‌ ଯୋଗେ ପ୍ରଚାର କରୁଛନ୍ତି ।  ଫସଲକୁ ଶୀଘ୍ର ଅମଳ କରିନେଇ ସାଇତି ରଖିବାକୁ ପରାମର୍ଶ ଦେଉଛନ୍ତି । ବର୍ଷା ଛାଡିବା ପରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବା ସହ ଧାନ ଓ ପନିପରିବା ଫସଲକୁ ରକ୍ଷା କରିବା ପାଇଁ ଚାଷୀଙ୍କୁ ଉପଦେଶ ଦିଆଯାଇଛି ।

{"id":552261,"sizeSlug":"full","linkDestination":"none"}

ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀ କୁ ପରାମର୍ଶ ଦେଇଛନ୍ତି କୃଷି ପାଣିପାଗ ବିଶେଷଜ୍ଞ । ଚାଷ ଜମିରେ ପାଣି  ଜମିପାରେ । ଏହା ଚାଷୀଙ୍କ  ପାଇଁ  ଅନେକ ସମସ୍ୟା ସୃଷ୍ଟି କରିବ ।ତେଣୁ ପାଚିଲା ଧାନକୁ ଯଥା ସମ୍ଭବ ଚାଷୀ ସତର୍କ ରହି ଧାନ ଅମଳ କରେଇନେବାକୁ ପରାମର୍ଶ ଦିଆଯାଇଛି ।   ଖରିଫ ଧାନ ଫସଲ ଲାଗି ଏଥର ପାଗ ସ୍ବାଭାବିକ ଥିଲା । ହେଲେ ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟା ଫସଲ ଉଜୁଡିବା ପରିସ୍ଥିତି ସୃଷ୍ଟି କଲାଣି ।  ଯାହାକୁ ନେଇ ନିରୁପାୟ ଚାଷୀ ଏବେ ମୁଣ୍ଡରେ ହାତ ଦେଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.