ଆନ୍ଦୋଳନ ଶେଷ କରିବେ କୃଷକ ସଂଗଠନ ! ଚାଷୀ ନେତାଙ୍କୁ ଡିମାଣ୍ଡ ଡ୍ରାଫ୍ଟ ପଠାଇଲେ କେନ୍ଦ୍ର ସରକାର, ବୁଧବାର ଚୂଡାନ୍ତ ନିଷ୍ପତ୍ତି

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ ୦୭/୧୨ : ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ ଦୀର୍ଘ ଦିନ ଧରି ଜାରି ରହିଥିବା କୃଷକ ଆନ୍ଦୋଳନ ଶେଷ ହେବାକୁ ଯାଉଛି ! କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ କୃଷି ଆଇନ ପ୍ରତ୍ୟାହାର ହେବାପରେ ବିଜୟ ଉତ୍ସବ ମନାଇ ଆସନ୍ତାକାଲି ଅର୍ଥାତ ବୁଧବାର ଆନ୍ଦୋଳନ ଶେଷ କରିପାରନ୍ତି ଚାଷୀ ସଂଗଠନ । କେନ୍ଦ୍ର ସରକାର ବିଲ ପ୍ରତ୍ୟାହାର କରିବା ସହିତ ସଂସଦରେ ମଧ୍ୟ ଏହା ପାରିତ କରିସାରିଛନ୍ତି । ମଙ୍ଗଳବାର ସରକାରଙ୍କ ପକ୍ଷରୁ ଚାଷୀନେତାମାନଙ୍କୁ ଏକ ଚିଠି ପଠାଯାଇଛି । ଚିଠିରେ ଲେଖାଯାଇଛି ଯେ, ଉତ୍ତର ପ୍ରଦେଶ ଏବଂ ହରିୟାଣାରେ ଚାଷୀ ଆନ୍ଦୋଳନ ବେଳେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବ । ଏହା ସହିତ ନଡା ଜଳାଯିବାକୁ ନେଇ ଚାଷୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିନେବାକୁ ମଧ୍ୟ ମୋଦି ସରକାର ରାଜି ହୋଇଯାଇଛନ୍ତି । ୟୁପି ଏବଂ ହରିୟାଣା ସରକାର ମଧ୍ୟ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ମଧ୍ୟ କୃଷକଙ୍କ ବିରୁଦ୍ଧରେ ଥିବା ମାମଲା ପ୍ରତ୍ୟାହାର କରାଯିବ ।

ମିଳିଥିବା ସୂଚନା ଅନୁସାରେ, ସରକାରଙ୍କ ପକ୍ଷରୁ ଲେଖାଯାଇଥିବା ଚିଠି ଚାଷୀ ନେତାଙ୍କୁ ପସନ୍ଦ ଆସିଛି । ତେବେ ଚାଷୀମାନେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୮ ତାରିଖରେ ଶେଷ ବୈଠକ କରିବା ପରେ ବିଜୟ ମାର୍ଚ୍ଚ ବାହାର କରି ଆନ୍ଦୋଳନ ଶେଷ କରିବାର ସମ୍ଭାବନା ରହିଛି । ପୂର୍ବରୁ ଏମ୍‌ଏସ୍‌ପି ଏବଂ ମାମଲା ପ୍ରତ୍ୟାହାର କରିବା ପାଇଁ ଆଲୋଚନା କରିବାକୁ ୫ ଜଣ କୃଷକ ନେତାଙ୍କ ନାଁ ଦେବାକୁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର । ଏହାପରେ ଚାଷୀଙ୍କ ପକ୍ଷରୁ ନଭେମ୍ବର ୪ ତାରିଖରେ ୫ ଜଣିଆ ପ୍ୟାନେଲ ଘୋଷଣା କରାଯାଇଥିଲା ।

ମଙ୍ଗଳବାର କୃଷକ ସଂଗଠନ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ତେବେ ଆଜି କୌଣସି ନିର୍ଯାସ ବାହାରି ପାରିନଥିବାରୁ ଆସନ୍ତାକାଲିକୁ ପୁଣି ବୈଠକ ଡକାଯାଇଛି । ତେବେ ସମ୍ଭବତ କାଲିର ବୈଠକ ପରେ ହିଁ ଚାଷୀମାନେ ଆନ୍ଦୋଳନ ଶେଷ କରିପାରନ୍ତି । ଅନ୍ୟପଟେ ଚାଷୀଙ୍କ ମଧ୍ୟରେ ଏକ ବଡ ସଂଗଠନ ଆନ୍ଦୋଳନ ପ୍ରତ୍ୟାହାର ସପକ୍ଷରେ ରହିଛନ୍ତି । ତେଣୁ ଆସନ୍ତାକାଲିର ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.