ସରକାରଙ୍କ ନୂଆ ଧାନ ସଂଗ୍ରହ ନୀତି : ରବି ଋତୁ ମଣ୍ଡିରେ ଧାନ ବିକ୍ରିରୁ ବାଦ୍ ପଡିବେ ହଜାର ହଜାର ଚାଷୀ

Published By : Prameya-News7 Bureau | April 16, 2021 IST

କଳାହାଣ୍ଡି ୧୬।୪: ସରକାରଙ୍କ ନୂଆ ଧାନ ସଂଗ୍ରହ ନୀତି ଅନୁଯାୟୀ ରବି ଋତୁ ମଣ୍ଡିରେ ଧାନ ବିକ୍ରିରୁ ବାଦ ପଡିବେ ହଜାର ହଜାର ଚାଷୀ । ଆଟ, ମାଳ ମାମୁଲି ତଥା ବେର୍ଣା କିସମର ଚାଷ ଜମିକୁ ଅଣ ଜଳସେଚିତ ଦର୍ଶାଇ ସରକାର ପଞ୍ଜୀକରଣରେ ସାମିଲ କରୁ ନଥିବାରୁ କଳାହାଣ୍ଡି ଜିଲ୍ଲାର ଶହ ଶହ ଚାଷୀ ଧାନ ବିକ୍ରି ପାଇଁ ଚିନ୍ତାରେ ଅଛନ୍ତି ।  

ସରକାରଙ୍କ ରବି ଋତୁ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଶେଷ ହୋଇଯାଇଛି । ହେଲେ ସରକାରଙ୍କ ନୂଆ ନୀତି ଆନୁଯାୟୀ ଆଟ, ମାଳ, ମାମୁଲି ତଥା ବେର୍ଣା କିସମର ଚାଷ ଜମିକୁ ଅଣ ଜଳସେଚିତ ଦର୍ଶାଇ ସରକାର ବାଦ ଦେଇଛନ୍ତି ।  ଯେତେବେଳେ କି ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ଜଳସେଚନ ତଥା ଉଠା ଜଳସେଚନ ଦ୍ବାରା ଏହି ଚାଷ ଜମିରେ ଦୋଫସଲି ଚାଷ ହେଉଛି । ତଥା ସରକାର ଗତ ୧୯୮୦ ମସିହା ପରେ ବନ୍ଦୋବସ୍ତ କରି ନ ଥିବାରୁ ଜମିର କିସମ ବଦଳି ନାହିଁ । ଫଳରେ ଧାନ ଚାଷ ସତ୍ତ୍ବେ ଧାନ ବିକ୍ରି ପାଇଁ ଚାଷୀ ବାଦ୍ ପଡିବେ ।  ଏଣୁ ସରକାର ଏହି ଆଇନରେ ସଂଶୋଧନ ପାଇଁ ଚାଷୀ ଜିଲ୍ଲାର ବିଭିନ୍ନ ତହସିଲଦାରମାନଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଆଇନ ସଂଶୋଧନ ସରକାର କରିପାରିବେ ଏଣୁ ଜିଲ୍ଲା ଅଧିକାରୀ ହାତରେ କୌଣସି କ୍ଷମତା ନାହିଁ । ଏଣୁ ସରକାର ଏହାର ପୁନଃ ବିଚାର ଆବଶ୍ୟକତା ରହିଛି । ନଚେତ କରୋନା କାଳରେ ରବି ଧାନ ଚାଷୀଙ୍କ ଏକ ମାତ୍ର ରୋଜଗାର ମାଧ୍ୟମ ଧାନ ଉତ୍ପାଦନ ପରେ ବିକ୍ରି ଚିନ୍ତାର କାରଣ ପାଲଟିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.