କୃଷି ଅଧ୍ୟାଦେଶ ବିରୋଧରେ ୨୫ରେ ହରିୟାଣା ବନ୍ଦ, ତୀବ୍ର ଆନ୍ଦୋଳନ କରିବାକୁ କେନ୍ଦ୍ର ସରକାରଙ୍କୁ କୃଷକଙ୍କ ଚେତାବନୀ

Published By : Prameya-News7 Bureau | September 20, 2020 IST

ଚଣ୍ଡିଗଡ ୨୦।୦୯: କେନ୍ଦ୍ର ସରକାର କୃଷି ସଂପର୍କିତ ତିନି ଅଧ୍ୟାଦେଶ ବିରୋଧରେ ଆଜି ହରିୟାଣାର ଅନେକ ସ୍ଥାନରେ ଶତାଧିକ ସଂଖ୍ୟାରେ କୃଷକ ସଡକକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଡକରେ ଜୁଆଡେ ଯିବ ସର୍ବତ୍ର କେବଳ କୃଷକଙ୍କ ଭିଡ ହିଁ ଦେଖିବାକୁ ମିଳିଛି। କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ନାରାବାଜି କରି କୃଷକ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯଦି ଅଧ୍ୟାଦେଶ ପ୍ରତ୍ୟାହାର କରାନଯାଏ ତେବେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବ। ଏହା ସହିତ କୃଷକମାନେ ସେପ୍ଟେମ୍ବର ୨୫ରେ ହରିୟାଣା ବନ୍ଦ ଘୋଷଣା କରିଛନ୍ତି। ଏହା ସହିତ ସେପ୍ଟେମ୍ବର ୨୭ରେ ଦିଲ୍ଲୀରେ ଗୁରୁତ୍ଵପୂର୍ଣ୍ଣ ବୈଠକ କରିବାକୁ ଘୋଷଣା କରିଛନ୍ତି। ଏହି ଦିନ କୃଷକ ସଂଗଠନ ଅଧ୍ୟାଦେଶ ବିରୋଧରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ।

ଉଲ୍ଲେଖଯୋଗ୍ୟ ବିରୋଧୀଙ୍କ ହୋହାଲ୍ଲା ଭିତରେ ରାଜ୍ୟ ସଭାରେ ଆଜି କୃଷି ବିଲ ପାରିତ ହୋଇଛି। ବାଚନିକ ଭୋଟରେ କୃଷି ବିଲ୍ ସଂସଦର ଉଚ୍ଚସଦନରେ ଗୃହୀତ ହୋଇଛି । ସିଲେକ୍ଟ କମିଟିକୁ ପଠାଇବା ନେଇ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଛି । ଏହା ସହ ରାଜ୍ୟସଭାରେ କୃଷି ସମ୍ପର୍କିତ ଦୁଇଟି ବିଲ୍ ପାସ୍ ହୋଇଛି । କୃଷକ ସଶକ୍ତିକରଣ ଓ ସଂରକ୍ଷଣ ବିଧେୟକ ୨୦୨୦, କୃଷକ ସମ୍ବର୍ଦ୍ଧନ ଓ ସୁବିଧା ବିଧେୟକ ୨୦୨୦ ବିଲ୍ ପାସ୍ ହୋଇଛି।

ଗୃହରେ ଆଜି ବିଧେୟକ ବିରୋଧରେ ପ୍ରବଳ ହଟ୍ଟଗୋଳ ମଧ୍ୟ ଦେଖିବାକୁ ମିଳିଛି। ବିରୋଧୀର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବିଧେୟକ ଫାଡିବା  ସହିତ ପ୍ରବଳ ନାରାବାଜି କରିଛନ୍ତି। ଏପରିକି ଉପାଧ୍ୟକ୍ଷଙ୍କ ଟେବୁଲ୍‌ରେ ଲାଗିଥିବା ମାଇକ୍‌କୁ ଭାଙ୍ଗି ଦେଇଛନ୍ତି। ଏବେ ବିରୋଧୀ ଦଳ କୃଷି ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶରେ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.