ମେ ୨୦୨୪ ପର୍ଯ୍ୟନ୍ତ ଦିଲ୍ଲୀରେ ବିକ୍ଷୋଭ କରିପାରିବେ ଚାଷୀ: ରାକେଶ ଟିକାୟତ

Published By : Prameya-News7 Bureau | January 17, 2021 IST

ନାଗପୁର ୧୭।୧: ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ରବିବାର ନାଗପୁରରେ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାମାନଙ୍କରେ ରାଜଧାନୀକୁ ଘେରି ରହିଥିବା ଚାଷୀ ସେହିଠାରେ ମେ ୨୦୨୪ ପର୍ଯ୍ୟନ୍ତ ଆନ୍ଦୋଳନ ଚଳାଇବାକୁ ପ୍ରସ୍ତୁତ। ଚାଷୀଙ୍କ ଏହି ଆନ୍ଦୋଳନକୁ ସେ ‘ବୈଚାରିକ କ୍ରାନ୍ତି’ ବୋଲି କହିଛନ୍ତି।

ନାଗପୁରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଟିକାୟତ କହିଛନ୍ତି ଯେ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ଏମଏସପିନେଇ ସରକାରଙ୍କଠାରୁ ଲିଗାଲ ଗ୍ୟାରେଣ୍ଟି ଚାହାନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀମାନେ ୨୬ ନଭେମ୍ବର ୨୦୨୦ରୁ ଦିଲ୍ଲୀ ସୀମାକୁ ଘେରି ରହିଛନ୍ତି। ଆଇନକୁ କେନ୍ଦ୍ର ସରକାର କୃଷିରେ ବଡ ସଂସ୍କାର ବୋଲି କହୁଥିବା ବେଳେ ଚାଷୀମାନେ କୃଷି ସମ୍ପର୍କିତ ୩ଟିଜାକ ଆଇନର ପ୍ରତ୍ୟାହାର ଦାବି କରୁଛନ୍ତି।

ସୁପ୍ରିମକୋର୍ଟ ଗତ ମଙ୍ଗଳବାର ନୂଆ କୃଷି ଆଇନ ଉପରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି।  ତେବେ ରାଜଧାନୀ ଦିଲ୍ଲୀକୁ ଚତୁପାର୍ଶ୍ୱରୁ ଘେରି ରହିଥିବା ଚାଷୀଙ୍କ ଆନ୍ଦୋଳନ ନେଇ କୋର୍ଟ କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି। ଏଥିରେ ସରକାର ଯଦି ଆଇନ ପ୍ରତ୍ୟାହାର ନ କରନ୍ତି ଚାଷୀ କେଉଁ ପର୍ଯ୍ୟନ୍ତ ଦିଲ୍ଲୀକୁ ଘେରି ରହିପାରିବେ ବୋଲି ପଚରା ଯିବାରୁ ଟିକାୟତ ମେ ୨୦୨୪ ପର୍ଯ୍ୟନ୍ତ ଆନ୍ଦୋଳନ ଲାଗି ଚାଷୀ ପ୍ରସ୍ତୁତ ବୋଲି କହିଛନ୍ତି।

ବାସ୍ତବ କଥା ହେଲା ମେ ୨୦୨୪ରେ ଦେଶର ସାଧାରଣ ନିର୍ବାଚନ ହେବ। ଏଣୁ ଚାଷୀ ସେ ପର୍ଯ୍ୟନ୍ତ ସରକାରଙ୍କୁ ଦିଲ୍ଲୀରେ ବିରୋଧ କରିବେ ବୋଲି ଦୃଢତାର ସହ କୃଷକନେତା କହିଛନ୍ତି। ତେବେ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନକୁ ବିଦେଶରୁ ଅର୍ଥ ସହାୟତା ଆସୁଥିବା ନେଇ ପଚରା ଯିବାରେ ଟିକାୟତ ଏହାକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି ଯେ ଦେଶର ଗାଁ ଗାଁରୁ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଲାଗି ଖାଦ୍ୟଶସ୍ୟ, ପନିପରିବା, ତମ୍ବୁ, କମ୍ବଳ ଚାନ୍ଦା କରି ଲୋକେ ପଠାଉଛନ୍ତି। ଏଥିରେ ବିଦେଶ ଦୂରର କଥା ଦେଶର ରାଜନେତା ଓ ବ୍ୟବସାୟୀଙ୍କୁ ମଧ୍ୟ ଚାଷୀ ସାମିଲ କରୁନଥିବା କହିଛନ୍ତି। କୃଷକ ଆନ୍ଦୋଳନକୁ ବିରୋଧ କରୁଥିବା ରାଜନୈତିକ ଦଳ, ନେତା ଓ କର୍ମୀଙ୍କୁ ଏବେ ଗାଁ ଗାଁରେ ଲୋକେ ବାସନ୍ଦ କଲେଣି। ଏହା ବିଦେଶୀ ପ୍ରରୋଚନାରେ ନୁହେଁ ବୋଲି ଟିକାୟତ କହିଛନ୍ତି।

ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଚାଷୀଙ୍କ ବୈଚାରିକ କ୍ରାନ୍ତି ଓ ଏହା କେବେ ବିଫଳ ହେବନି ବୋଲି ସେ କହିଛନ୍ତି। ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଦିଲ୍ଲୀରେ ଜାରି ରହୁ ବୋଲି ଗାଁ ଗାଁରେ ଚାଷୀ ଚାହାନ୍ତି ଓ ତାହାହିଁ ହେବ ବୋଲି କହିଛନ୍ତି ଟିକାୟତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.