ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା: କହିଲେ ଆନ୍ଦୋଳନରେ ପୁରା ଦେଶ ସାମିଲ ନାହିଁ, କୃଷି ଆଇନ ସହିତ ଅଛନ୍ତି ଚାଷୀ
12/12/2020 at 9:45 PM

ନୂଆଦିଲ୍ଲୀ ୧୨/୧୨ : ଦିଲ୍ଲୀ ସୀମାରେ ବିଗତ ୨ ସପ୍ତାହ ଧରି ପଞ୍ଜାବ, ହରିୟାଣା ସମେତ ଅନ୍ୟ କିଛି ରାଜ୍ୟର ଚାଷୀମାନଙ୍କ ଆନ୍ଦୋଳନ ଜାରି ରହିଛି । ଚାଷୀ ସଂଗଠନ ଲଗାତାର ଭାବେ କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା ୩ଟି ଆଇନକୁ ଫେରାଇନେବା ପାଇଁ ଦାବି କରୁଛନ୍ତି । ଏହି ଧାରଣା ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ପ୍ରାୟ ୬ ଥର ଆଲୋଚନା ହୋଇସାରିଲାଣି । କିନ୍ତୁ ଏଯାଏଁ କୌଣସି ଫଳାଫଳ ବାହାରି ପାରିନାହିଁ । ସେପଟେ କେନ୍ଦ୍ର ସରକାର ବାରମ୍ବାର କହି ଆସୁଛନ୍ତି ଯେ, ଏହି ବିଲ କୃଷକମାନଙ୍କ ହିତ ପାଇଁ ପ୍ରସ୍ତାବିତ ଯାଇଛି ।
ଏହି କ୍ରମରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଆନ୍ଦୋଳନରେ ପୁରା ଦେଶର ଚାଷୀମାନେ ସାମିଲ ନାହାନ୍ତି । ସେ ଦାବି କରିଛନ୍ତି ଯେ, ଦେଶର ଚାଷୀମାନେ କୃଷି ଆଇନ ସହିତ ଅଛନ୍ତି । ଚାଷୀମାନଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିସ୍ତୃତ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ନୂଆ ଆଇନକୁ ନେଇ ଚାଷୀମାନେ ଭ୍ରମରେ ଅଛନ୍ତି ଏହାକୁ ଆମେ ମାନୁନାହୁଁ ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସରକାରଙ୍କର ଏ ନେଇ କୌଣସି ଅହଂ ଭାବ ନାହିଁ । ଆମେ ଖୋଲାଖୋଲି ଭାବେ ସମସ୍ତ ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ । ଯଦି ନୂଆ ଆଇନରେ କିଛି ତ୍ରୁଟି ରହୁଛି ତେବେ ଆମେ ଏହାକୁ ସଂଶୋଧନ କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ସେ ସରକାରଙ୍କ ଦ୍ବାରା ଦିଆଯାଇଥିବା ପ୍ରସ୍ତାବକୁ ନେଇ ପ୍ରଶ୍ନ କରିଛନ୍ତି ଯେ, ଯଦି ଚାଷୀମାନଙ୍କ ଉଦ୍ୟୋଗରେ ଉତ୍ପାଦନର ଏକ ନିର୍ଦ୍ଧାରିତ ମୂଲ୍ୟ ପାଇଁ ଯୋଜନା ହେଉଛି ତେବେ ଏଥିରେ ବିରୋଧ କାହିଁକି ? ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀମାନଙ୍କ ପାଇଁ ଶୀତଳ ଭଣ୍ଡାର, ଆଧୁନିକ ବଜାର ବ୍ୟବସ୍ଥା, ଭଲ ରାସ୍ତା, ଅଧିକ ନିବେଶ ହେବା ଦରକାର ନୁହେଁ କି? କେବଳ ବିରୋଧିମାନେ ଚାଷୀମାନଙ୍କୁ ଭ୍ରମିତ କରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।