ପଶ୍ଚିମ ଓଡ଼ିଶାରେ ଚାଷୀ ଆନ୍ଦୋଳନ ସ୍ଥଗିତ

Published By : Prameya-News7 Bureau | December 01, 2019 IST

ସମ୍ବଲପୁର ୧/୧୨: ବୀମା ଅର୍ଥ ପ୍ରଦାନ ଦାବିରେ, ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତିର ଶତାଧିକ ଚାଷୀ ଅହୋରାତ୍ର ଧାରଣାକୁ ୪୧ ଦିନ ପୂରିଥିଲେ ମଧ୍ୟ, ଜିଲ୍ଲାପାଳ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଚାଷୀଙ୍କ ସହ ଆଲୋଚନା କରିନାହାଁନ୍ତି। ସେପଟେ କ୍ଷେତରେ ପାଚିଲା ଧାନ ପଡିଛି, ମଣ୍ଡିରେ ଧାନ ବିକ୍ରି କରିହେଉନାହିଁ। ଏଭଳି ସ୍ଥିତିରେ ଚାଷୀ ବାଧ୍ୟ ହୋଇ ଏହି ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ହେଲେ ଚାଷୀକୂଳ ଚେତାବନୀ ଦେଇଛନ୍ତି,  ଧାନକଟା ଓ ବିକ୍ରି ସରିଲେ ପୁଣି ଦୁର୍ବାର ଆନ୍ଦୋଳନ ହେବେ, ହେଲେ ଏଥର ଆଉ ଶାନ୍ତିପୂର୍ଣ୍ଣ ନୁହେଁ ବରଂ ହିଂସାତ୍ମକ ଆନ୍ଦୋଳନ କରିବାକୁ ଚାଷୀ ବାଧ୍ୟ ହେବ.।

{"id":192547,"sizeSlug":"large"}

ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ପକ୍ଷରୁ ଚାଲିଥିବା ଅହୋରାତ୍ର ଧାରଣା  ଆଜିଠାରୁ ସ୍ଥଗିତ ରଖାଯାଇଛି। ଆନ୍ଦୋଳନକୁ ୪୧ଦିନ ପୁରିଥିଲେ ମଧ୍ୟ, ଜିଲ୍ଲାପାଳଙ୍କ ଏକଛତ୍ରବାଦ ନୀତି ଯୋଗୁ, ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରିଲା ନାହିଁ ବୋଲି ଚାଷୀମାନେ କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି ,କେବେ ମିଳିବ ଚାଷୀଙ୍କୁ ସେମାନଙ୍କ ବୀମାରାଶି। ଏହି ପ୍ରଶ୍ନର ଉତ୍ତର ଦେବାକୁ ନା ସମ୍ବଲପୁର ଜିଲ୍ଲାପ୍ରଶାସନ ନା, ରାଜ୍ୟସରକାର କାହାରି ପାଖରେ ସମୟ ଅଛି। ହେଲେ ଚାଷୀ ନିଜ ପେଟରୁ କାଟି, ଘରୋଇ କମ୍ପାନୀକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ଦେଇ, ଫସଲ ନଷ୍ଟ ବାବଦକୁ ବୀମା ଅର୍ଥ ପାଇଁ ୨୨ ଅକ୍ଟୋବରରୁ ଅହୋରାତ୍ର ଧାରଣା, ଆମରଣ ଅନଶନ, ରେଳରୋକୋ, ମହାବନ୍ଦ କରିବା ପରେ, ମଧ୍ୟ ନା ଜିଲ୍ଲାପ୍ରଶାସନ ନା ରାଜ୍ୟସରକାର କାହିରି ନିଦ ଭାଙ୍ଗିଛି। କ୍ଷେତରେ ଧାନ ପଡିଛି, ମଣ୍ଡିକୁ ଧାନ ନେଇ ବିକ୍ରି କଲେ, ପୁଣି ରବି ଫସଲ କରିବାକୁ କ୍ଷେତପ୍ରସ୍ତୁତ କରିବ ଚାଷୀ। ତେଣୁ ଏ ନିର୍ଦ୍ଦୟ ସରକାର ଓ ସମ୍ବେଦନହୀନ ଜିଲ୍ଲାପ୍ରଶାସନକୁ ଆଉ ନଅନାଇ, ଆନ୍ଦୋଳନକୁ ସାମୟୀକ ବିରତି ଦିଆଯାଇଛି। ହେଲେ ଆନ୍ଦୋଳନକୁ ସ୍ଥଗିତ କରିବା ପୁର୍ବରୁ, ଚାଷୀ ଉଭୟ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନକୁ କଠୋର ଚେତାବନୀ ଦେଇଛି। ଆସନ୍ତାଦିନରେ ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ଆନ୍ଦୋଳନ ଆଉ ଅହିଂସା ଉପାୟରେ ନାହିଁ, ବରଂ ହିଂସାତ୍ମକ ଆନ୍ଦୋଳନ ହେବ। ସେଥିପାଇଁ  ପ୍ରଶାସନ,ପୋଲିସ୍‌ ଓ  ନିର୍ବାଚିତ ପ୍ରତିନିଧୀ ମାନେ୍ ସଜାଗ୍‌ ରହିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି। ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ସମ୍ବଲପୁର  ସମେତ ପଶ୍ଚିମଓଡିଶାର ୧୦ଟି ଜିଲ୍ଲାରେ ଚାଷୀଙ୍କୁ ବୀମା ଅର୍ଥ  ପ୍ରଦାନ କରାଯାଇନାହିଁ। ୨୦୧୮ ମସିହାରେ ଚକଡାପୋକ ଯୋଗୁ ଫସଲ ନଷ୍ଟ,ଅଦିନିଆ ବର୍ଷା ଓ ମରୁଡିରେ ଫସଲନଷ୍ଟ ଜନିତ କ୍ଷୟକ୍ଷତି ପାଇଁ ଚାଷୀ ବୀମାରାଶି ଉପରେ ନିର୍ଭର କରି ଆସିଛି। ହେଲେ ସେମାନଙ୍କୁ ଦୁଇବର୍ଷ ହେଲା ଜିଲ୍ଲାପାଳ ବାରମ୍ବାର ଠକି ଆସିଛନ୍ତି। ତେଣୁ ଆସନ୍ତା ଚାଷୀ ଆନ୍ଦୋଳନ ନିର୍ଣ୍ଣାୟକ ହେବ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି ଚାଷୀମାନେ।

{"id":192548,"sizeSlug":"large"}

ଚାଷୀଙ୍କ ଅଭିଯୋଗ ହେଲା, ଜିଲ୍ଲାପ୍ରଶାସନ,କୃଷି ବିଭାଗ ଓ ଘରୋଇ ବୀମା କମ୍ପାନୀ ମଧ୍ୟରେ ସଲାସୁତରା ହୋଇ, ଚାଷୀଙ୍କ ବୀମା ରାଶି ହଡପ୍‌ କରାଯାଇଛି। ପ୍ରତ୍ୟକ ଫସଲ ନଷ୍ଟ ସମୟରେ, ଜିଲ୍ଲାପ୍ରଶାସନ,ରାଜସ୍ବ ବିଭାଗ,ବୀମା କମ୍ପାନୀ ଓ ଜିଲ୍ଲା କୃଷି ବିଭାଗ ଦ୍ବାରା ମିଳିତ ଭାବରେ, ସର୍ଭେ କରାଯାଇ, ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ହେଲେ ବୀମାକମ୍ପାନୀ ଚାଷୀଙ୍କୁ ଅର୍ଥ ପ୍ରଦାନ କରିବା ବେଳକୁ, ଧରାଛୁଆଁ ଦେଉନାହିଁ। ଏ ସଂପର୍କରେ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ, କୌଣସି ସୁଫଳ ମିଳୁନାହିଁ। ଓଲଟା ଜିଲ୍ଲାପାଳ ପୋଲିସ୍‌ ଲଗାଇ ଚାଷୀଙ୍କୁ ଗିରଫ କରିବାକୁ ଧମକ ଦେଇ ଆସୁଥିଲେ। କ୍ଷତିଗ୍ରସ୍ତ ଚାଷୀମାନେ ଫସଲ ନଷ୍ଟ ହେବା ଆଶଙ୍କାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମା କରି, ପ୍ରିମିୟମ ଦେଇଛନ୍ତି। ଯେତେବେଳ ବୀମା ଅର୍ଥ ସେମାନଙ୍କ ହକ୍‌, ସେତେବେଳେ ଜିଲ୍ଲାପ୍ରଶାସନ ଓ ଘରୋଇ ବୀମା କମ୍ପାନୀ ଚାଷୀଙ୍କୁ ଠକି ଚାଲିଛନ୍ତି। ଯଦି ଆନ୍ଦୋଳନ,ଧାରଣା,ଅନଶନ ପରେ ମଧ୍ୟ ପ୍ରଶାସନ ନଚେତୁଛି, ତେବେ ଆସନ୍ତାଦିନରେ  ପଶ୍ଚିମଓଡିଶାର ୧୦ଟି ଜିଲ୍ଲାରେ ଭୟାବହ ହିଂସାତ୍ମକ ଆନ୍ଦୋଳନ କରିବାକୁ ଏବେଠାରୁ ଚାଷୀମାନେ ଗାଁଗାଁରେ ମେଳି କରିବା ସହ,ଲୋକବଳ ଜୁଟାଇବାକୁ ଲାଗିଲେଣି।

{"id":192549,"sizeSlug":"large"}

ଚାଷୀଙ୍କ ଆନ୍ଦୋଳନ ଓ ବୀମାଅର୍ଥ ପ୍ରଦାନରେ କେଉଁଠି ବାଧକ ରହିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ, ଜିଲ୍ଲାପାଳ ଏ ସଂପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ଏଥିରୁ  ଘରୋଇ ବୀମାକମ୍ପାନୀ ଓ ଜିଲ୍ଲାପ୍ରଶାସନ ମଧ୍ୟରେ ଥିବା ମଧୂଚନ୍ଦ୍ରିକା ସ୍ପଷ୍ଟ ହୋଇଯାଇଛି। ଜିଲ୍ଲାପାଳ ଚାଷୀଙ୍କୁ ସହାୟତା ହେବା ବଦଳରେ, ବୀମାକମ୍ପାନୀକୁ ସୁରକ୍ଷା ପ୍ରଦାନ କରିବା ଆସନ୍ତା ଦିନରେ ସରକାରଙ୍କୁ ମହଙ୍ଗା ପଡିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.