ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା

Published By : Prameya-News7 Bureau | January 15, 2021 IST

ନୂଆଦିଲ୍ଲୀ ୧୫/୦୧: କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଚାଲିଥିବା ନବମ ଥର ଆଲୋଚନା ବିଫଳ ହୋଇଛି । ପରବର୍ତ୍ତୀ ବୈଠକ ଜାନୁଆରୀ ୧୯ ତାରିଖ ମଧ୍ୟାହ୍ନ ୧୨ଟାରେ ହେବ । ସୁପ୍ରିମକୋର୍ଟଙ୍କ କମିଟି ଗଠନ ପରେ ଏହା ଥିଲା ପ୍ରଥମ ଆଲୋଚନା । ହେଲେ କିଛି ନୂଆ ଦେଖିବାକୁ ମିଳିଲାନି । ଯିଏ ଯାହା ଜିଦରେ ଅଟଳ । ସରକାର କହୁଛନ୍ତି- କୃଷି ଆଇନ ପ୍ରତ୍ୟାହାର ହେବନି, ସେପଟେ କୃଷକ ସଂଗଠନ ଅଡି ବସିଛି- ପ୍ରତ୍ୟାହାର କରିବାକୁ ହିଁ ପଡିବ । ସରକାରଙ୍କ ପ୍ରସ୍ତାବ ମାନିବାକୁ ଚାଷୀ ନାରାଜ, ଏପଟେ ଚାଷୀ ପ୍ରସ୍ତାବ ଦେଲେ ତାହା ଉପରେ ବିଚାର କରାଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ସରକାର କହିଛନ୍ତି ସୁପ୍ରିମକୋର୍ଟ କମିଟି ଆଗରେ ପକ୍ଷ ରଖାଯିବ ।

ଗୋଟିଏ ପରେ ଗୋଟିଏ ଆଲୋଚନା ଫେଲ ମାରୁଛି ସେପଟେ କୃଷି ଆଇନକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ପ୍ରଦର୍ଶନ ଏବଂ ରାଜଭବନ ଘେରାଉ କରିଛି। କିଶାନ ଅଧିକାର ଦିବସ ପାଳନ କରି ରାସ୍ତାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ପ୍ରତିବାଦର ସ୍ବର ଉଠାଇଛି କଂଗ୍ରେସ । ଦିଲ୍ଲୀରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କାଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ରାଜଭବନ ଘେରିଛନ୍ତି । ଏହାପରେ ଜନ୍ତରମନ୍ତରରେ ପ୍ରଦର୍ଶନ କରୁଛନ୍ତି । ଚଣ୍ଡିଗଡରେ ପଞ୍ଜାବ ରାଜଭବନ ଘେରିବାକୁ ପ୍ରୟାସ କରିଛନ୍ତି କଂଗ୍ରେସ କର୍ମୀ । ଲକ୍ଷ୍ନୌରେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ । କେନ୍ଦ୍ର ସରକାରକୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି, କୃଷକଙ୍କ ସମ୍ମାନ କରୁନାହାନ୍ତି ମୋଦି ବରଂ ସେମାନଙ୍କୁ କ୍ଲାନ୍ତ କରିବାକୁ ଚେଷ୍ଟା କରିବା ଲାଗି ରଣନୀତି ଆପଣାଇଛନ୍ତି ।

ଅନ୍ୟପଟେ ଓଡ଼ିଶା କଂଗ୍ରେସ ବି ଚାଷୀଙ୍କ ସମର୍ଥନରେ ସ୍ବର ଶାଣିତ କରିଛି। ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଇଛି ରାଜ୍ୟ କଂଗ୍ରେସ । ରାଜଭବନ ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କଂଗ୍ରେସ କର୍ମୀ । କୃଷିଆଇନ ପ୍ରତ୍ୟାହାର ନହେଲା ଯାଏ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ପିସିସି ସଭାପତି। କଂଗ୍ରେସର ପ୍ରଦର୍ଶନକୁ ବିଜେପି ନେତା ପ୍ରଦୀପ ପୁରୋହିତ କଡା ନିନ୍ଦା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.