ଧାନକିଣା ପାଇଁ ଟୋକନ ବ୍ୟବସ୍ଥାକୁ ବିରୋଧ, ପଶ୍ଚିମ ଓଡିଶାର ୪ ବିଧାୟକଙ୍କ ବାସଭବନ ଘେରିଲେ ଚାଷୀ
19/11/2019 at 2:40 PM

ସମ୍ବଲପୁର ୧୯।୧୧: ଧାନକିଣା ପାଇଁ ଟୋକନ ବ୍ୟବସ୍ଥାକୁ ବିରୋଧ । ପଶ୍ଚିମ ଓଡିଶାର ୪ ବିଧାୟକଙ୍କ ବାସଭବନ ଘେରିଲେ ଚାଷୀ । ଧାନ ବିକ୍ରି ପାଇଁ ସରକାର କରିଥିବା ଟୋକନ୍ ବ୍ୟବସ୍ଥା ନିଷ୍ପତ୍ତିକୁ ବିରୋଧ କରି ୨ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି ପଶ୍ଚିମ ଓଡିଶାର ଶହ ଶହ ଚାଷୀ । ମଣ୍ଡିରେ ଖୋଲା ଆକାଶ ତଳେ ପଡିଛି ହଜାର ହଜାର ବସ୍ତା ଧାନ । ଏପଟେ ଟୋକନ ବ୍ୟବସ୍ଥା ଉଚ୍ଛେଦ କରିବାକୁ ଜିଦ୍ ଧରି ବସିଛନ୍ତି ଚାଷୀ ।

ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ଆଗରେ ଧାନ ଟ୍ରାକ୍ଟର ରଖି ଚାଷୀମାନେ ପ୍ରତିବାଦ କରିଥିଲେ । ଜିଲ୍ଲାପାଳଙ୍କ ଅଫିସ ପରିସରକୁ ଧସେଇ ପଶିବାକୁ ଚେଷ୍ଟା କରିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରି ଆଜି ବିଧାୟକମାନଙ୍କ ଘର ଆଗରେ ଧାନ ରଖି ଧାରଣା ଦେଇଛନ୍ତି ଶହ ଶହ ଚାଷୀ । ଟ୍ରାକ୍ଟରରେ ଧାନ ରଖି ଶହ ଶହ ଚାଷୀ ପ୍ରତିବାଦ ଜଣାଉଛନ୍ତି । ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ନେତୃତ୍ବରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି ।

ରେଙ୍ଗାଲି ବିଜେପି ବିଧାୟକ ନାଉରୀ ନାୟକ, ରେଢାଖୋଲ ବିଜେଡି ବିଧାୟକ ରୋହିତ ପୂଜାରୀ, ସମ୍ବଲପୁର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ କୁଚିଣ୍ଡା ବିଜେଡି ବିଧାୟକ କିଶୋର ନାୟକଙ୍କ ବାସଭବନ ଆଗରେ ପ୍ରତିବାଦ ଜଣାଇଛନ୍ତି ଚାଷୀ । ପଶ୍ଚିମ ଓଡିଶାର ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ଗଦା ହୋଇଛି ଶହ ଶହ ବସ୍ତା ଧାନ । ହେଲେ ବିକ୍ରି ହୋଇପାରୁନି । ଆଜି ସନ୍ଧ୍ୟା ସୁଧା ସୁଦ୍ଧା ଦାବି ପୂରଣ ନହେଲେ ଆସନ୍ତାକାଲି ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।