ଦିଲ୍ଲୀ ସୀମାରେ ମୁହାଁମୁହିଁ ପରିସ୍ଥିତି, କୃଷକଙ୍କ ଉପରେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କଲା ପୋଲିସ

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ  ୨୬।୦୧:  କୃଷି ଆଇନକୁ ବିରୋଧ କରି ଅନ୍ନଦାତାମାନେ ଆନ୍ଦୋଳନ ଜାରି ରହିଛି । ଆଜି ସାରାଦେଶରେ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଚାଷୀମାନେ ନିଜ ହକ୍‌ ପାଇଁ ଲଢେଇ ଜାରି ରଖିଛନ୍ତି । ଯାହାର ଫଳସ୍ୱରୂପ ଆଜି ଚାଷୀମାନେ ବିଶାଳ ଟ୍ରାକ୍ଟର ରାଲି କରୁଛନ୍ତି । କିନ୍ତୁ ଚାଷୀଙ୍କ ଏହି ଟ୍ରାକ୍ଟର ରାଲି ବେଳେ ପୋଲିସ ସହିତ ମୁହାଁମୁହିଁ ହୋଇଥିବାର ଘଟଣା ସାମ୍ନାକୁ ଆସିଛି ।

ସଂଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗର  ନିକଟରେ କୃଷକମାନଙ୍କ ବିଷାଳ ଟ୍ରାକ୍ଟର ରାଲି ପ୍ରବେଶ କରୁଥିଲା । କିନ୍ତୁ ଏହି ସମୟରେ ଦିଲ୍ଲୀ ପୋଲିସ ଟ୍ରାକ୍ଟର ରାଲିକୁ ଅଟକାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ଅନ୍ନଦାତାମାନେ ଏହାକୁ ଶୁଣ ନଥିଲେ । ଯାହାଫଳରେ କି ପୋଲିସ ବାଧ୍ୟ ହୋଇ ଚାଷୀମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ୍‌ର ପ୍ରୟୋଗ କରିଥିଲା ।  ଶିନ୍ଧୁ ବର୍ଡର ଠାରୁ କୃଷକଙ୍କ ଟ୍ରାକ୍ଟର ଲାରି ଆସି ଏହିଠାରେ ପହଞ୍ଚିଥିଲା ।

ସେହିପରି ଏହାପୂର୍ବରୁ ଆଜି ସକାଳ ସମୟରେ ଟିକରୀ ସୀମାରେ ପୋଲିସ ବ୍ୟାରିକେଡ଼୍ ଭାଙ୍ଗିଥିଲେ ଚାଷୀ । ଦିଲ୍ଲୀ ଜାତୀୟ ରାଜପଥରେ ଗଣତନ୍ତ୍ର ଦିବସର ସମାପ୍ତ ପରେ ଟ୍ରାକ୍ଟର ରାଲି ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର କୃଷକମାନେ ଟ୍ରାକ୍ଟର ରାଲି ବାହାର କରି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏହି ଆନ୍ଦୋଳନରେ ଲକ୍ଷାଧିକ ଟ୍ରାକ୍ଟର ଓ କୃଷକ  ଭାଗ ନେବାରୁ ଅନୁମାନ କରାଯାଉଛି । କେନ୍ଦ୍ର ସରକାର ତିନୋଟି କୃଷି ଆଇନ୍‌ରୁ ରଦ୍ଧ କରିବା ଦାବି ନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଇତିମଧ୍ୟରେ ଆନ୍ଦୋଳନକୁ ୫୦ଦିନରୁ ଅଧିକ ଦିନ ହୋଇସାରିଲାଣି । ଚାଷୀ ଆନ୍ଦୋଳନ କେବଳ ଦିଲ୍ଲୀ, ହରିୟାଣା, ପଞ୍ଜାବରେ ସୀମିତ ହୋଇରହିନାହିଁ, ବରଂ ସାରାଦେଶରେ ଅନ୍ନଦାତାଙ୍କ ଆନ୍ଦୋଳନ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.